ଯୋଗୀ ସରକାରଙ୍କୁ ବଡ଼ ଝଟକା; CAA ବିରୋଧୀ ପ୍ରତିବାଦକାରୀଙ୍କ ପାଖରୁ ଆଦାୟ କରିଥିବା ଟଙ୍କାକୁ ଫେରାଇବାକୁ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବଡ଼ ଝଟକା । ତେବେ ୨୦୧୯ରୁ ବିଚାର ପ୍ରକ୍ରିୟା ଆରମ୍ଭ କରାଯାଇଥିବାରୁ ‘ସିଟିଜେନ୍ସିପ୍ ଆମେଣ୍ଡ୍ମେଣ୍ଟ୍ ଆକ୍ଟ୍’ ବିରୋଧୀ ପ୍ରତିବାଦକାରୀଙ୍କ ଠାରୁ ଆଦାୟ କରାଯାଇଥିବା କୋଟି କୋଟି ଟଙ୍କା ଫେରସ୍ତ କରିବା ଲାଗି ଆଜି ସୁପ୍ରିମ୍ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ କହିଛନ୍ତି। ସେପଟେ ସର୍ବସାଧାରଣ ଏବଂ ଘରୋଇ ସମ୍ପତ୍ତି ନଷ୍ଟ କରିଥିବା ‘ସିଏଏ-ବିରୋଧୀ’ ପ୍ରତିବାଦକାରୀଙ୍କ ପ୍ରତି ଜାରି ହୋଇଥିବା ୨୭୪ ‘ରିକଭରି ନୋଟିସ୍’ ପ୍ରତ୍ୟାହାର କରି ନିଆଯାଇଛି ବୋଲି ଫେବ୍ରୁଆରି ୧୩ ଓ ୧୪ ତାରିଖ ଦିନ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ସରକାର ସୁପ୍ରିମ୍ କୋର୍ଟଙ୍କୁ ଜଣାଇଥିଲେ। ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ସୂର୍ୟ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ୨୦୧୯ରେ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିବା ହେତୁ ଅଭିଯୁକ୍ତ ପ୍ରତିବାଦକାରୀମାନଙ୍କ ଠାରୁ ଆଦାୟ କରାଯାଇଥିବା କୋଟି କୋଟି ଟଙ୍କା ରାଜ୍ୟ ସରକାର ଫେରସ୍ତ ଦେବେ।

କିନ୍ତୁ, ୨୦୨୦ ଅଗଷ୍ଟ ୩୧ ତାରିଖ ଦିନ ବିଜ୍ଞାପିତ ହୋଇଥିବା ନୂଆ ଆଇନ ‘ଉତ୍ତର ପ୍ରଦେଶ ରିକଭରି ଅଫ୍ ଡ୍ୟାମେଜ୍ ଟୁ ପବ୍ଲିକ୍ ଆଣ୍ଡ୍ ପ୍ରାଇଭେଟ୍ ପ୍ରପର୍ଟି ଆକ୍ଟ୍’ ଅନୁସାରେ ପ୍ରତିବାଦକାରୀମାନଙ୍କ ବିରୋଧରେ ମାମଲା ଚଳାଇବାକୁ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ କେତେକାଂଶରେ ସ୍ବାଧୀନତା ଦେଇଛନ୍ତି। ଏହା ବ୍ୟତିରେକେ, ଅର୍ଥ ଫେରସ୍ତ ନିର୍ଦେଶ ପରିବର୍ତ୍ତେ ପ୍ରତିବାଦକାରୀ ଓ ରାଜ୍ୟ ସରକାରଙ୍କୁ ‘କ୍ଲେମ୍ ଟ୍ରାଇବୁନାଲ୍’କୁ ଯିବା ନିମନ୍ତେ ଅନୁମତି ଦେବାକୁ ଅତିରିକ୍ତ ଆଡ୍ଭୋକେଟ୍ ଜେନେରାଲ୍ ଗରିମା ପ୍ରସାଦ ଦାଖଲ କରିଥିବା ଆବେଦନକୁ ଗ୍ରହଣ କରିବା ଲାଗି ଖଣ୍ଡପୀଠ ଅଗ୍ରାହ୍ୟ କରିଦେଇଛନ୍ତି। ୨୦୧୯ ଡିସେମ୍ବରରେ ‘ସିଏଏ-ବିରୋଧୀ’ ପ୍ରତିବାଦକାରୀଙ୍କ ପ୍ରତି ଜାରି ‘ରିକଭରି ନୋଟିସ୍’ ଅନୁସାରେ କାର୍ୟ୍ୟାନୁଷ୍ଠାନ ବନ୍ଦ ରଖିବାକୁ ଫେବ୍ରୁଆରି ୧୧ ତାରିଖ ଦିନ ସୁପ୍ରିମ୍ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେବା ସହ ବିଚାର ପ୍ରକ୍ରିୟା ପ୍ରତ୍ୟାହାର କରିନେବା ଲାଗି ଶେଷ ସୁଯୋଗ ଦେଇଥିଲେ।

Related Posts