ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କୁ ସ୍ଥାନାନ୍ତର କରିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ; ସେପଟେ ସ୍ଥାନାନ୍ତରର ସମସ୍ତ ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ପାଇଁ ଖୁସି ଖବର । ସେଠାରେ ଫସି ରହିଥିବା ଲୋକଙ୍କୁ ଥଇଥାନ କରିବା ପାଇଁ ଭାରତ ସରକାର ବ୍ୟବସ୍ଥା କରିବେ। ବିମାନର ମୂଲ୍ୟ ମଧ୍ୟ ସରକାର ବହନ କରିବେ। ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଏୟାର୍ ଇଣ୍ଡିଆ ୨ଟି ବିମାନ ପଠାଇବ। ୟୁକ୍ରେନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ରୋମାନିଆର ରାଜଧାନୀ ବୁକରେଷ୍ଟ୍କୁ ଦୁଇଟି ବିମାନ ଚଳାଚଳ କରିବାକୁ ଏୟାର ଇଣ୍ଡିଆ ଯୋଜନା କରିଛି। ସରକାରୀ ବରିଷ୍ଠ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସଡ଼କ ପଥରେ ୟୁକ୍ରେନ ଏବଂ ରୋମାନିଆର ସୀମାରେ ପହଞ୍ଚିଥିବା ଭାରତୀୟ ନାଗରିକମାନଙ୍କୁ ଭାରତୀୟ ସରକାରୀ କର୍ମଚାରୀମାନେ ବୁକରେଷ୍ଟକୁ ନେଇଯିବେ ଯେଉଁଠାରୁ ସେମାନଙ୍କୁ ଏୟାର ଇଣ୍ଡିଆ ବିମାନ ଯୋଗେ ଭାରତକୁ ଫେରାଇ ନିଆଯିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ କେତେକ ଭାରତୀୟ ନାଗରିକ ଏବେ କିବସ୍ଥିତ ଭାରତୀୟ ଦୂତାବାସରେ ଆଶ୍ରୟ ନେଇଛନ୍ତି। ଦୂତାବାସ ଚାରିପଟେ ବୋମା ପଡୁଥିବା ରିପୋର୍ଟ ମିଳିଥିଲେ ସୁଦ୍ଧା କିଛି କ୍ଷୟକ୍ଷତି ହୋଇ ନ ଥିବା କୁହାଯାଉଛି। କିଏଭ୍ସ୍ଥିତ ଭାରତୀୟ ଦୂତାବାସ ୟୁକ୍ରେନ୍ରେ ଥିବା ଭାରତୀୟ ନାଗରିକ ତଥା ଛାତ୍ରଛାତ୍ରୀମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରି ଯିଏ ଯେଉଁଠି ଅଛନ୍ତି, ସେଠାରେ ଅବିଚଳିତ ଭାବେ ରହିବାକୁ ପରାମର୍ଶ ଦେଇଥିଲା। ଏଥିସହ ସେମାନଙ୍କୁ ବିକଳ୍ପ ଆକାଶପଥରେ ସ୍ବଦେଶ ଫେରାଇ ନେବା ପାଇଁ ଉଦ୍ୟମ ଚାଲିଛି ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହାଛଡ଼ା, ବୋମା ବର୍ଷଣ ହେଉଥିବାରୁ ନିକଟବର୍ତ୍ତୀ ବୋମା ଆଶ୍ରୟସ୍ଥଳ ଅଥବା ବଙ୍କର୍ ମଧ୍ୟରେ ଆଶ୍ରୟ ନେବାକୁ ଭାରତୀୟ ଦୂତାବାସ ସେମାନଙ୍କୁ ପରାମର୍ଶ ବି ଦେଇଥିଲା।

Related Posts