୧୬ ହଜାର କୋଟି ଟଙ୍କାର ବିମାନରେ ପ୍ରଧାନମନ୍ତ୍ରୀ ବୁଲି ପାରୁଛନ୍ତି ଅଥଚ ଚାଷୀଙ୍କୁ ଆଖୁର ମୂଲ୍ୟ ଦେଇପାରୁ ନାହାନ୍ତି: ପ୍ରିୟଙ୍କା ଗାନ୍ଧୀ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏଥର କ୍ଷମତାରେ ବସିବା ପାଇଁ ସମସ୍ତ ରାଜନୈତିକ ଦଳମାନେ ଆପ୍ରାଣ ଉଦ୍ୟମ କରୁଛନ୍ତି । ଏହା ମଧ୍ୟରେ ୟୁପି ନିର୍ବାଚନରେ ପ୍ରଚାର ବେଳେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ୧୬ ହଜାର କୋଟି ବିମାନରେ ଯାତ୍ରା କରୁଥିବା ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ଆଖୁ ମୂଲ୍ୟ ଦେଇ ପାରିବେ ନାହିଁ। ଏଥିସହିତ ଲଖିମପୁର ଖେରୀରେ ହୋଇଥିବା ହିଂସା ସମ୍ପର୍କରେ ସେ କହିଛନ୍ତି ଯେ ପୀଡିତ ଚାଷୀଙ୍କୁ ଭେଟିବାକୁ ପ୍ରଧାନମନ୍ତ୍ରୀ କାହିଁକି ଆସି ନାହାନ୍ତି । ସେପଟେ ଗୋଣ୍ଡାରେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଯେତେବେଳେ କୃଷକ ଓ ମହିଳାମାନେ ଅତ୍ୟାଚାରର ଶିକାର ହୁଅନ୍ତି, ସେତେବେଳେ ସମସ୍ତେ ଲୁଚି ରହିଥାନ୍ତି। କେହି ଶୁଣିବାକୁ ଆସନ୍ତି ନାହିଁ । ଦିଲ୍ଲୀ ସୀମାରେ ଥିବା ନରେନ୍ଦ୍ର ମୋଦୀଙ୍କ ଘରଠାରୁ ୧୦ କିଲୋମିଟର ଦୂରରେ ଚାଷୀମାନେ ଠିଆ ହୋଇଥିଲେ ।

୭୦୦ କୃଷକ ସହିଦ ହୋଇଥିଲେ। ସେତେବେଳେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଉଁଠାରେ ଥିଲେ। ୧୬,୦୦୦ କୋଟି ଟଙ୍କା ମୂଲ୍ୟର ଦୁଇଟି ବିମାନ କିଣୁଥିବା ପ୍ରଧାନମନ୍ତ୍ରୀ କିନ୍ତୁ ଆଖୁ ଚାଷୀଙ୍କ ଦେୟ ସଫା କରିବାରେ ଅସମର୍ଥ। ଲଖିମପୁର ଖେରୀରେ ହୋଇଥିବା ହିଂସା ସମ୍ପର୍କରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଯେତେବେଳେ ତାଙ୍କ ମନ୍ତ୍ରୀଙ୍କ ପୁଅ ଆନ୍ଦୋଳନକାରୀ ଚାଷୀଙ୍କ ଉପରକୁ ଗାଡ଼ି ଚଢ଼ାଇଦେଇଥିଲେ । ସେତେବେଳେ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ମୋଦୀ କାହିଁକି ପୀଡ଼ିତ ଚାଷୀଙ୍କୁ ଭେଟିବାକୁ ଯାଇ ନାହାଁନ୍ତି? ବରଂ କିଛି ଦିନ ପରେ ସେ ସମାନ ମନ୍ତ୍ରୀଙ୍କ ସହ ମଞ୍ଚ ବାଣ୍ଟିଥିଲେ ଏବଂ ତାଙ୍କ ଇସ୍ତଫା ମାଗି ନଥିଲେ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।

Related Posts