ପାଟନା: ସନ୍ଦିଗ୍ଧ ଆତଙ୍କବାଦୀ ସଙ୍ଗଠନ ଉପରେ ବିହାର ପୁଲିସର ଚଢ଼ାଉ। ଜୁଲାଇ ୧୨ରେ ପାଟନା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଟାର୍ଗେଟ୍‌’ କରିବା ଲାଗି ‌ଷଡ଼ଯନ୍ତ୍ର କରିବା ଖବର କୁ ନେଇ ବିହାର ପୁଲିସ ସୂଚନା ପାଇବା ପରେ ଚଢ଼ାଉ କରିଛି ।

ଏଥିରେ ସମ୍ପୃକ୍ତ ଥିବା ୨ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଦ୍ବୟ ହେଉଛନ୍ତି ଅଥାର୍‌ ପରବେଜ୍‌ ଏବଂ ମହମ୍ମଦ୍‌ ଜଲାଲୁଦ୍ଦୀନ୍। ପ୍ରଧାନମନ୍ତ୍ରୀଙ୍କ ପାଟନା ଗସ୍ତର ୧୫ ଦିନ ପୂର୍ବରୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ଫୁଲ୍‌ୱାରି ଶରିଫ୍‌ରେ ତାଲିମ୍‌ ନେଉଥିଲେ। ମୋଦୀଙ୍କୁ ‘ଟାର୍ଗେଟ୍‌’ କରିବା ନିମନ୍ତେ ଉପାୟ କରିବା ଲାଗି ସେମାନେ ଜୁଲାଇ ୬ ଏବଂ ୭ ତାରିଖରେ ବୈଠକ କରିଥିଲେ।

ବିହାର ପୁଲିସ ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ଫୁଲ୍‌ୱାରି ଶରିଫ୍‌ ଅଫିସ୍‌ରେ ଚଢ଼ାଉ କରି ‘୨୦୪୭ ଇଣ୍ଡିଆ ଟୁୱାର୍ଡସ୍‌ ରୁଲ୍‌ ଅଫ୍‌ ଇସ୍‌ଲାମିକ୍‌ ଇଣ୍ଡିଆ’ ଶୀର୍ଷକ ଦଲିଲ୍‌ ୨୫ଟି ‘ପିଏଫ୍‌ଆଇ’ ପାମ୍ଫ୍‌ଲେଟ୍‌ ସମେତ ଅନ୍ୟାନ୍ୟ ଆପତ୍ତିଜନକ ଦଲିଲ୍‌ ପାଇଥିଲା।

ପାଟନାର ଫୁଲ୍‌ୱାରି ଶରିଫ୍‌ ଅଞ୍ଚଳରେ ଆତଙ୍କବାଦୀ ସଂଗଠନ କାର୍ଯ୍ୟ କରୁଥିବା ସଂକ୍ରାନ୍ତରେ ‘ଇଣ୍ଟେଲିଜେନ୍‌ସି ବ୍ୟୁରୋ’ ସୂଚନା ପାଇବା ପରେ ଜୁଲାଇ ୧୧ ତାରିଖରେ ପୁଲିସ ଓ କେନ୍ଦ୍ରୀୟ ଏଜେନ୍‌ସି ନୟା ତୋଲା ଅଞ୍ଚଳରେ ଚଢ଼ାଉ କରି ୨ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲେ।

ତଦନ୍ତ ପରେ ପୁଲିସ ଜାଣି ପାରିଛି ଯେ, ଆତଙ୍କବାଦୀ ଷଡ଼ଯନ୍ତ୍ର ଯୋଜନା ପାଇଁ ତାଲିମ ନେବା ଲାଗି ସେଠାକୁ ଆସୁଥିବା ଅଧିକାଂଶ ଯୁବକ ହେଉଛନ୍ତି କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ତାମିଲ୍‌ନାଡୁ ଏବଂ ଅନ୍ୟାନ୍ୟ ଅନେକ ରାଜ୍ୟର।

ଦେଶବିରୋଧୀ ଅଭି‌ଯାନ ଚଳାଇବା ପାଇଁ ସେମାନେ ପାକିସ୍ତାନ, ବାଂଲାଦେଶ ଏବଂ ତୁର୍କୀ ଆଦି ଇସ୍‌ଲାମୀୟ ଦେଶରୁ ଆର୍ଥିକ ସହାୟତା ପାଉଥିଲେ ବୋଲି ପୁଲିସ କହିଛି। ।