ବିହାର ରାଜନୀତିରେ ହଲଚଲ; ପୁଣି ନୀତିଶ ମାରିବେ ୟୁ-ଟର୍ଣ୍ଣ!

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିହାର ରାଜନୀତିରେ ବଡ ହଲଚଲ। ଭାଙ୍ଗି ଯାଇପାରେ ଆରଜେଡି-ଜେଡିୟୁ ମେଣ୍ଟ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି ନୀତିଶ କୁମାର । ବିହାରରେ ଗଠନ ହୋଇପାରେ ବିଜେପି-ଜେଡିୟୁ ମେଣ୍ଟ ସରକାର। ଆସନ୍ତା ଜାନୁଆରୀ 28ରେ ଜେଡିୟୁ-ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ନେଇପାରନ୍ତି ନୀତିଶ କୁମାର।

ତେବେ ଜାତୀୟ ଗଣମାଧ୍ୟମ ଗୁଡିକରେ ପ୍ରକାଶିତ ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଆସନ୍ତା ରବିବାର ନୀତିଶ କୁମାର ପୁଣି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ବର୍ତ୍ତମାନ ଜନତା ଦଳ (ୟୁନାଇଟେଡ୍) ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସରକାରରେ ମୁଖ୍ୟମନ୍ତ୍ରୀ ଥିବା ନୀତିଶ ବିଜେପି-ଜେଡିୟୁ ସରକାରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ତେବେ ଭାରତ ରତ୍ନ ସମ୍ମାନ ପାଇଁ କର୍ପୂରୀ ଠାକୁରଙ୍କ ନାମ ଘୋଷଣା ପରେ ବଦଳିଯାଇଛି ବିହାରର ରାଜନୈତିକ ସମୀକରଣ। ନୀତିଶ କୁମାର କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ। ଏହାପରେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଗତକାଲି ମଧ୍ୟ ଏକ ବଡ ଧରଣର ମାନସ ମନ୍ଥନ ହୋଇଥିଲା। ଗତକାଲି ଉଭୟ ଆରଜେଡି ଓ ଜେଡିୟୁ ନିଜ ନିଜର ବିଧାୟକଙ୍କୁ ନେଇ ପୃଥକ ପୃଥକ ବୈଠକ କରିଥିଲେ | ସେପଟେ ବିଜେପି ରାଜ୍ୟ ସଭାପତି ଓ ଅନ୍ୟ ବରିଷ୍ଠ ନେତା ମାନଙ୍କୁ ମଧ୍ୟ ଦିଲ୍ଲୀ ଡାକରା ଆସିଛି | ଏସବୁ ମଧ୍ୟରେ ଜେଡିୟୁ ବିଜେପି ସହ ଗଣ୍ଠବନ୍ଧନ କରିବାକୁ ଯାଉଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ଏଭଳି ହେଲେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ସବୁଠାରୁ ବଡ ଝଟକା ଲାଗିବ | ନିଜେ ନୀତିଶ ଏହି ମେଣ୍ଟର ପରିକଳ୍ପନା କରିଥିବାବେଳେ ସେ ବିଜେପି ସହ ଯିବା ଖବର ପ୍ରକାଶ ପାଇବା ବିରୋଧୀ ଶିବିରକୁ ନିରାଶ କରିବ |

Related Posts