ବିଜୟ ମାଲ୍ୟା ଦେଶର ପ୍ରଥମ ପଳାତକ ଆର୍ଥିକ ଅପରାଧୀ ଘୋଷିତ, ଜବତ ହେବ ମଦ ସମ୍ରାଟଙ୍କ ସବୁ ସମ୍ପତ୍ତି

ମାର୍ଚ୍ଚ 2016ରେ ବ୍ରିଟେନ୍‌କୁ ପଳାୟନ କରିଥିବା ବିଜୟ ମାଲ୍ୟାଙ୍କ ଉପରେ ବହୁ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ଅଛି ।

ଧନ ଶୋଧନ ନିରୋଧକ ଅଧିନିୟମ(ପିଏମ୍‌ଏଲ୍‌ଏ) ଆଧାରରେ ନିର୍ମିତ ସ୍ପେଶାଲ୍‌ କୋର୍ଟ ଶନିବାର ମୁମ୍ବାଇରେ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏଥିପାଇଁ ସ୍ପେଶାଲ୍‌ କୋର୍ଟରେ ଆବେଦନ କରିଥିଲେ ।

ପଳାତକ ଆର୍ଥିକ ଅପରାଧୀ ଅଧିନିୟମ(ଏଫ୍‌ଇଓଏ) ଆଧାରରେ ବିଜୟ ମାଲ୍ୟାଙ୍କ ନାମ ଦେଶର ପ୍ରଥମ ପଳାତକ ଆର୍ଥିକ ଅପରାଧୀ ଭାବେ ଘୋଷିତ ହୋଇଛି । ଏହି ଆଇନରେ ତଦନ୍ତକାରୀ ଏଜେନ୍ସିଙ୍କୁ ଏଫ୍‌ଇଓଏ ଆଧାରରେ ଅପରାଧୀଙ୍କର ସବୁ ସମ୍ପତ୍ତି ଜବତ କରିବାର ଅଧିକାର ଅଛି । ଏବେ କର୍ଣ୍ଣାଟକ, ଇଂଲଣ୍ଡ ଓ ଅନ୍ୟ ସ୍ଥାନରେ ଥିବା ବିଜୟ ମାଲ୍ୟାଙ୍କର ସବୁ ସମ୍ପତ୍ତି ଜବତ କରାଯାଇପାରିବ..

ଆର୍ଥିକ ପଳାତକ ଅପରାଧୀ ଘୋଷଣା ହେବାପରେ ବିଜୟ ମାଲ୍ୟାଙ୍କୁ ବ୍ରିଟେନରୁ ପ୍ରତ୍ୟାର୍ପଣ ପାଇଁ ସାହାଯ୍ୟ ମିଳିବ । ସ୍ୱତନ୍ତ୍ର କୋର୍ଟ ପୂର୍ବରୁ ବିଜୟ ମାଲ୍ୟାଙ୍କ ସମସ୍ତ ମାମଲାକୁ ଖାରଜ କରିଦେଇଛନ୍ତି । ପିଏମ୍‌ଏଲ୍‌ଏ କୋର୍ଟ ପଳାତକ ଆର୍ଥିକ ଅପରାଧୀ ଅଧିନିୟମର ଧାରା ୨ଏଫ୍ ଅନୁସାରେ ମାଲ୍ୟାଙ୍କ ବିରୋଧରେ ନିଜର ନିଷ୍ପତ୍ତି ଶୁଣାଇଛନ୍ତି ।

ଏହି ନିୟମ ଅନୁସାରେ ଅପରାଧ କରିବା ପରେ ଦେଶ ଛାଡ଼ିଯବା ଓ ଯାଞ୍ଚ ପାଇଁ କୋର୍ଟରେ ହାଜର ନହେବା ପାଇଁ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି ହୋଇସାରିଛି । ସୂଚନାଯୋଗ୍ୟ ୨୦୧୬ ମସିହାରୁ ମାଲ୍ୟା ଭାରତରୁ ଫେରାର୍ ହୋଇ ଲଣ୍ଡନରେ ଅଛନ୍ତି । ମାଲ୍ୟାଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରୁ ପାଖାପାଖି ୯ ହଜାର କୋଟି ଟଙ୍କା ଋଣ ବକେୟା ରହିଛି ।

Related Posts