ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ଯୋଗ ଦେବ ବିଜେଡ଼ି

ଭୁବନେଶ୍ୱର,୨୪/୫(ସତ୍ୟପାଠ ବ୍ୟୁରୋ): ଦେଶର ନୂଆ ସଂସଦ ଉଦଘାଟନକୁ ନେଇ ଆରମ୍ଭ ହୋଇଛି ରାଜନୀତି । କଂଗ୍ରେସ ସମେତ ଦେଶର ୧୯ ବିରୋଧୀ ଦଳ ଏହି ଉଦଘାଟନ କାର୍ଯ୍ୟକ୍ରମକୁ ବୟକଟ୍ କରିବାକୁ ଘୋଷଣା କରିଥିବାବେଳେ ବିଜୁ ଜନତା ଦଳ (ବିଜେଡି) ପୁଣି କେନ୍ଦ୍ର ସରକାରଙ୍କ ସମର୍ଥନରେ ଛିଡ଼ା ହୋଇଛି । ଦଳ ଉଦଘାଟନ ସମାରୋହରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି ।ଦଳ ପକ୍ଷରୁ କୁହାଯାଇଛି ଯେ ଦେଶର ରାଷ୍ଟ୍ରପତି ଓ ସଂସଦର ଗାରିମା ରହିଛି । ମତଭେଦକୁ ପରବର୍ତ୍ତୀ କାଳରେ ଦୂର କରିହେବ ।

ଦଳପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ‘ଭାରତର ରାଷ୍ଟ୍ରପତି ଦେଶର ଶାସନ ମୁଖ୍ୟ, ସେହିପରି ସଂସଦ ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧିତ୍ବ କରେ । ଉଭୟ ଅନୁଷ୍ଠାନ ଭାରତୀୟ ଗଣତନ୍ତ୍ରର ପ୍ରତୀକ ଓ ଭାରତର ସମ୍ବିଧାନ ସେମାନଙ୍କୁ କ୍ଷମତା ଦେଇଛି । ସେମାନଙ୍କ ଏହି କ୍ଷମତାର ରକ୍ଷା କରାଯିବା ଉଚିତ । ବିଜେଡ଼ି ବିଶ୍ବାସ କରେ ଯେ ଏସବୁ ଅନୁଷ୍ଠାନର ଗାରିମା ରହିଛି ଓ ଏଗୁଡ଼ିକୁ କୌଣସି ପ୍ରକାରର ମତଭେଦରୁ ଉପରେ ରଖାଯିବା ଉଚିତ । ମତଭେଦକୁ ପରବର୍ତ୍ତୀ କାଳରେ ଦୂର କରିହେବ ।’

ଅନ୍ୟପକ୍ଷରେ, ଆନ୍ଧ୍ରପ୍ରଦେଶରେ କ୍ଷମତାରେ ଥିବା ଓ୍ବାଇଏସଆର କଂଗ୍ରେସ ମଧ୍ୟ ଏହି ସମାରୋହରେ ଯୋଗ ଦେବାକୁ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଏକ ଟୁଇଟ କରି ଲେଖିଛନ୍ତି ଯେ ସଂସଦ ଆମ ଗଣତନ୍ତ୍ରର ମନ୍ଦିର ଓ ଏହା ଦେଶର ଆତ୍ମାକୁ ପ୍ରତିନିଧିତ୍ବ କରେ । ଏହା ସମସ୍ତ ଦେଶବାସୀଙ୍କର ଓ ସବୁ ଦଳଙ୍କର । ଏପରି ସମାରୋହକୁ ବୟକଟ୍ କରିବା ପ୍ରକୃତ ଗଣତନ୍ତ୍ରର ପରିଚାୟକ ନୁହେଁ । ମତଭେଦକୁ ଦୂର କରି ସବୁ ଦଳ ଏଥିରେ ଯୋଗ ଦେବାକୁ ସେ ନିବେଦନ କରିଛନ୍ତି ।

ସୂଚନା ଅନୁସାରେ, ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନକୁ ଉଦଘାଟନ କରିବେ । ଏହାକୁ ନେଇ ବିରୋଧୀ ଅସନ୍ତୁଷ୍ଟ ଅଛନ୍ତି। ରାଷ୍ଟ୍ରପତି ଆମ ଲୋକତନ୍ତ୍ରର ମୁଖ୍ୟ ତେଣୁ ଗଣତନ୍ତ୍ରର ମନ୍ଦିର ସଂସଦ ଭବନକୁ ରାଷ୍ଟ୍ରପତି ଉଦଘାଟନ କରିବା ଉଚିତ ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି।

Related Posts