‘୨୫-୩୦ ହଜାର ଭୋଟ୍‌ ବ୍ୟବଧାନରେ ଧାମନଗର ଉପନିର୍ବାଚନ ଜିତିବ ବିଜେଡ଼ି’; ପ୍ରମିଳା ମଲ୍ଲିକଙ୍କ ଭବିଷ୍ୟବାଣୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ପାଇଁ ଏବେ ଜୋରଦାର ପ୍ରଚାର ଚାଲିଛି। ଏହାରି ଭିତରେ ନିର୍ବାଚନର ଫଳାଫଳକୁ ନେଇ ବରିଷ୍ଠ ବିଜେଡ଼ି ନେତ୍ରୀ ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଭବିଷ୍ୟବାଣୀ କରିଛନ୍ତି। ବିଜେଡ଼ି ଏହି ଉପନିର୍ବାଚନରେ ୨୫ରୁ ୩୦ ହଜାର ଭୋଟ୍‌ ବ୍ୟବଧାନରେ ବିଜୟୀ ହେବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ପ୍ରମିଳା । ସାଧାରଣ ଲୋକଙ୍କ ପାଇଁ ବିଜେଡ଼ି କାମ କରୁଛି, ସ୍ବାଧୀନ ପ୍ରାର୍ଥୀଙ୍କୁ ଲୋକେ ଭୋଟ ଦେବେନି ବୋଲି ସେ କହିଛନ୍ତି ।

ତେବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବିଜେଡିରୁ ଟିକେଟ ନମିଳିବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ବିଜେଡ଼ି ଓ ଅସନ୍ତୁଷ୍ଟ ବିଜେଡ଼ି ନେତା ରାଜୁ ଦାସଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି । ମାତ୍ର ରାଜୁ ଦାସଙ୍କୁ ନେଇ ବିଜେଡ଼ି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଶାସକ ଦଳର ନେତା ଦମ୍ଭୋକ୍ତି କରୁଛନ୍ତି । ଏ ନେଇ ବରିଷ୍ଠ ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ସାଧାରଣ ଲୋକଙ୍କ ପାଇଁ ବିଜେଡି କାମ କରୁଛି । ସ୍ବାଧୀନ ପ୍ରାର୍ଥୀଙ୍କୁ ଲୋକେ ଭୋଟ୍ ଦେବେନି । ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜେଡି ଭୋଟ୍ ମାଇନସ କରିବେ ନାହିଁ । ଅନ୍ୟ ଦଳର ଭୋଟ୍ ମାଇନସ କରିବେ । ସବୁ ଉପ ନିର୍ବାଚନରେ ବିଜେଡି ଜିତିଛି। ଏହି ଉନିର୍ବାଚନରେ ମଧ୍ୟ ବିଜେଡି ଜିତିବ ବୋଲି ସେ କହିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ଧାମନଗର ଯିବେ କି ? ପ୍ରଶ୍ନର ଉତ୍ତରରେ ପ୍ରମିଳା କହିଛନ୍ତି ଯେ, ଆମେ ଏବେ ପ୍ରଚାର କରୁଛୁ, ଆମେ ନ ପାରିଲେ ସୁପ୍ରିମୋ ପ୍ରଚାରକୁ ଯିବେ।

ସେପଟେ ରାଜନୀତି ସମୀକ୍ଷକ ମଧ୍ୟ ସମାନ କଥା କହୁଛନ୍ତି । ଯଦି ବିଜେଡ଼ିର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରଚାର ପାଇଁ ଧାମନଗର ମୈଦାନକୁ ଯାଆନ୍ତି, ତେବେ ଭୋଟରଙ୍କ ଉପରେ ପ୍ରଭାବ ପଡ଼ିପାରେ । ପ୍ରତିଟି ଦଳ ନିଜ ନିଜର ବିଜୟକୁ ନେଇ ଦମ୍ଭୋକ୍ତି ଦେଖାଉଥିବାବେଳେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ନିଜର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି । ସ୍ବାଭିମାନର ମାଟି ଧାମନଗର ପାଇଁ ସେ ନିର୍ବାଚନ ଲଢୁଛନ୍ତି । ଧାମନଗରବାସୀ ତାଙ୍କ ସହିତ ଅଛନ୍ତି । ଏଣୁ ସେ ବିଜୟ ହାସଲ କରିବେ ବୋଲି କହୁଛନ୍ତି ।

ଧାମନଗର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ଘନ ଘନ ପ୍ରଚାର, ଷ୍ଟାର ପ୍ରଚାରକଙ୍କ ଭିଡ଼ ଓ ରୋଡ଼ ଶୋ’ରେ କମ୍ପୁଛି ଧାମନଗର । ତେବେ କେଉଁ ଷ୍ଟାର ପ୍ରଚାରକ ଓ ଦଳ ଭୋଟରଙ୍କ ଉପରେ ପ୍ରଭାବ ପକାଇ ପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖରେ ଉପନିର୍ବାଚନ ଲାଗି ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଭରିଥିଲେ ଓ ୧୫ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହୋଇଥିଲା । ଅକ୍ଟୋବର ୧୭ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା ।ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ହେବ । ୬ ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ଧାମନଗନର ଆସନ ପାଇଁ ଏହି ଉପନିର୍ବାଚନ ହେଉଛି । ବିଷ୍ଣୁ ବିଧାନସଭାରେ ବିଜେପି ବିଧାୟକ ଦଳର ଉପନେତା ଥିଲେ । ଗତ ସେପ୍ଟେମ୍ବର ୧୯ ତାରିଖରେ ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।

Related Posts