ବିଜେପୁରରେ ଶତାୟୁଙ୍କ ମତଦାନ

(ସତ୍ୟପାଠ ବ୍ୟୁରୋ) ବିଜେପୁରରେ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଉପନିର୍ବାଚନ ପାଇଁ ମତଦାନ। ସକାଳ ୧୧ଟା ସୁଦ୍ଧା ୨୫.୭ ପ୍ରତିଶତ ମତଦାନ ହୋଇଛି । କେଉଁଠି ବି କୌଣସି ବିଶୃଙ୍ଖଳାର ସୂଚନା ମିଳି ନାହିଁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ନିର୍ବାଚନ ଅଧିକାରୀ କହିଛନ୍ତି କି, ୭ଟାରୁ ଏବେ ଯାଏଁ ଗୋଟିଏ ୭ଟା ବାଲାଟ୍ ୟୁନିଟ୍ ଓ ଭିଭିପାଟରେ ତ୍ରୁଟିଥିବା ସୂଚନା ମିଳିଛି। ଏହାପରେ ସଙ୍ଗେ ସଙ୍ଗେ ଏହାକୁ ସୁଧାରିବା ବ୍ୟବସ୍ଥା କରାଯାଇଥିଲା। ଲୋକମାନେ ଶୃଙ୍ଖଳାର ସହ ଭୋଟ ଦେଉଛନ୍ତି। ବୁଥ୍‌ଗୁଡିକରେ ପିଇବା ପାଣି, ବିଦ୍ୟୁତୀକରଣ, ଦିବ୍ୟାଙ୍ଗଙ୍କ ପାଇଁ ହ୍ଵିଲ ଚେୟାରର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ସ୍ଵତନ୍ତ୍ର ଗାଡିର ମଧ୍ୟ ବ୍ୟବସ୍ଥା କରାଯାଇଛି।

ଅନ୍ୟପଟେ ବରପାଲି ବ୍ଲକର ଅଗଲପୁର ବୁଥରେ ଭୋଟ ଦେଇଛନ୍ତି ଜଣେ ଶହେ ବର୍ଷୀୟ ବୃଦ୍ଧା ଲୋଚନା ନାଏକ । ତେବେ ବଡ କଥା ହେଲା କି ପରିଣତ ବୟସରେ ବି ଭୋଟ ଦେବାକୁ ତାଙ୍କ ମନରେ ଥିବା ପ୍ରବଳ ଉତ୍ସାବ । ଆଉ ଭୋଟ ଦେଇ ବିଜେପୁରର ସବୁଠାରୁ ଅଧିକ ବୟସର ମତଦାତା ଭାବେ ରେକର୍ଡ କରିଛନ୍ତି ଲୋଚନ । ବୟସ ସିନା ଶହେ ପାର କରିଛି କିନ୍ତୁ ମତଦାନ କରିବା ପାଇଁ ଲୋଚନଙ୍କ ମନ ଭିତରେ ଉତ୍ସାହ ଭରି ରହିଛି । ଖାସ ଏଇଥି ପାଇଁ ତାଙ୍କ ପାଇଁ ପ୍ରଶାସନ ତରପରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଲୋଚନଙ୍କ ମତଦାନ କରି ଅନ୍ୟ ମତଦାତାଙ୍କ ପାଇଁ ସନ୍ଦେଶ ଦେଇ ଯାଇଛନ୍ତି । ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ସନ୍ଧ୍ୟା ୫ଟା ଯାଏଁ ଚାଲିବ ମତଦାନ ପ୍ରକ୍ରିୟା । ନିର୍ବାଚନୀ ମୈଦାନରେ ଅଛନ୍ତି ୫ ଜଣ ପ୍ରାର୍ଥୀ । ବିଜେଡ଼ିରୁ ରୀତା ସାହୁ, ବିଜେପିରୁ ସନତ ଗଡତିଆ ଓ କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଛି । ମୋଟ ୨୮୫ ମତଦାନ କେନ୍ଦ୍ରରେ ୨ ଲକ୍ଷ ୩୨ ହଜାର ୨୬୪ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ । ଏଥିରେ ୧ ଲକ୍ଷ ୨୦ ହଜାର ୧୩୫ ଜଣ ପୁରୁଷ ଭୋଟର, ୧ ଲକ୍ଷ ୧୨ ହଜାର ୧୧୪ ଜଣ ମହିଳା ଭୋଟର, ୧୫ ଜଣ ତୃତୀୟ ଲିଙ୍ଗି ଭୋଟର୍ ରହିଛନ୍ତି ।  ୧୩୫ଟି ସମ୍ବେଦନଶୀଳ ବୁଥ ରହିଛି । ୧୪ଟି ସ୍ଥାନରେ ସିସିଟିଭି ଲଗାଯିବା ସହିତା ୭୭ଟି ସ୍ଥାନରେ ମାଇକ୍ରୋ ଅବଜରଭର ରହିଛନ୍ତି । ୨,୭୫୦ ଜଣ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗଙ୍କ ପାଇଁ ପ୍ରତି ବୁଥରେ ୨ ଜଣ ସ୍ଵେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନ ପରିଚାଳନା ଲାଗି ୧ ହଜାର ୮୯୫ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ଲାଗି ୩୩ ପ୍ଲାଟୁନ୍ ଫୋର୍ସ ସହ ୫ କମ୍ପାନୀ ସିଆରପିଏଫ୍ ଓ ବରିଷ୍ଠ ପୋଲିସ୍ ମୁତୟନ ହୋଇଛନ୍ତି  ।

Related Posts