21ରେ ବିଜେପୁର ଫାଇଟ୍

ବାଜିଲା ବିଗୁଲ । ଅକ୍ଟୋବର 21ରେ ହେବ ବିଜେପୁର ଉପନିର୍ବାଚନ । 30ରେ ସରିବ ନାମାଙ୍କନ ଦାଖଲ । ଅକ୍ଟୋବର 1ରେ ପ୍ରାର୍ଥିପତ୍ର ଯାଞ୍ଚ । ଏନେଇ 23ରେ ପ୍ରକାଶ ପାଇବ ବିଜ୍ଞପ୍ତି । 285ଟି ବୁଥ୍‌ରେ ମତଦାନ କରିବେ 2 ଲକ୍ଷ 32 ହଜାର 5 ଜଣ ଭୋଟର । ସେମାନଙ୍କ ମଧ୍ୟରେ 1 ଲକ୍ଷ 19 ହଜାର 916 ପୁରୁଷ, 1 ଲକ୍ଷ 12 ହଜାର 74 ମହିଳା ଓ 15 ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ଏଥର ବିଜେପୁରରେ ପ୍ରଥମ ଥର 579ଟି M3 EVM ବ୍ୟବହାର କରାଯିବ । ଏଥିପାଇଁ 1400 ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।  ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ପଶ୍ଚିମ ଓଡ଼ିଶା ରାଜନୀତି ସରଗରମ ହୋଇଛି ।  ତେବେ ଏଯାଏ କୌଣସି ପ୍ରମୁ୍ଖ ଦଳ ତାଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି । ଖୁବଶୀଘ୍ର ବିଜେଡି ତାର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ନେଇ ଚର୍ଚ୍ଚା ହେଉଛି । ଗତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ ବିଜେପୁର ଆସନରେ ବିଜୟୀ ହୋଇଥିଲେ । ପରେ ବିଜେପୁର ଆସନରୁ ନବୀନ ଇସ୍ତଫା ଦେବାରୁ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । ଉପନିର୍ବାଚନରେ ବିଜେପୁରରୁ ବିଜେଡି ଟିକେଟ୍‌ ହାତେଇବାକୁ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିବା ସୁବାସ ଚୌହାନ ଆଗ୍ରହୀ ଥିଲେ । କିନ୍ତୁ କିଛି ଦିନ ତଳେ ତାଙ୍କୁ ପଞ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କରି ରୀତାଙ୍କ ପାଇଁ ବାଟ ସଫା କରିଛି ବିଜେଡି । ପୂର୍ବତନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ଓ ପୁଅ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିଲେ । ଏହା ପରେ ହୋଇଥିବା ଉପନିର୍ବାଚନରେ ବିଜେଡି ଟିକେଟରୁ ଛିଡ଼ା ହୋଇ ରୀତା ସାହୁ 43 ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ତେଣୁ ରୀତାଙ୍କୁ ପୁଣି ଥରେ ଟିକେଟ୍‌ ଦେବାକୁ ବିଜେଡି ଯୋଜନା କରିଥିବା ସୂଚନା ମିଳିଛି । ଅନ୍ୟପଟେ ବିଜେପୁର ପାଇଁ ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତ ଙ୍କ ନାଁ ଚର୍ଚ୍ଚାରେ ଥିବାବେଳେ କଂଗ୍ରେସ ପୁରୁଣା ମୁହଁ ବଦଳାଇ ନୂଆ ମୁହଁକୁ ବିଜେପୁର ମଇଦାନରେ ଓହ୍ଲାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି ।

Related Posts