ଧର୍ମେନ୍ଦ୍ରଙ୍କ ଠୁ ଚିଠିର ଉତ୍ତର ପାଇଲେ କି ନାହିଁ ବିଜୟ

ସତ୍ୟପାଠ ବ୍ୟୁରୋ : ବ୍ୟକ୍ତିଗତ ସ୍ୱାର୍ଥ ଓ ସୁବିଧାର କଳାକୁ ଅନେକ କୁହନ୍ତି ରାଜନୀତି । ଆଉ ଏକଥାକୁ ଯେଉଁମାନେ କହିଛନ୍ତି ସେମାନେ ସମ୍ପୂର୍ଣ୍ଣ ଭୁଲ ବା ଅବାସ୍ତବ ନୁହଁନ୍ତି । ଓଡିଶା ରାଜନୀତିରେ ଏହାର ଉଦାହରଣର ଅଭାବ ନାହିଁ । ନିଜର ରାଜନୈତିକ ପତିଆରା ଓ ପ୍ରଭାବହାନୀ ଘଟିଲେ, ତାକୁ ରାଜ୍ୟ ସ୍ୱାର୍ଥ ସହ ଯୋଡି ବିରାଟ ମୁଦ୍ଦା ବା ପ୍ରସଙ୍ଗ କରାଯାଏ । ପରବର୍ତ୍ତୀ ସମୟରେ ହିସାବ ଛିଡିଗଲେ, ଅତୀତର ରାଜ୍ୟପାଇଁ ସେହି ହୃଦୟଫଟା ଚିକ୍ରାର ଆଉ ପ୍ରସଙ୍ଗକୁ କିଛି ନଜାଣିଲା ଭଳି ଚାପି ଦିଆଯାଏ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି, ପାଟକୁରା ନିର୍ବାଚନରେ ବିଜୟ-ଧର୍ମେନ୍ଦ୍ରଙ୍କ ଅକସ୍ମାତ ବନ୍ଧୁତା ।

୩ ଜୁନ ୨୦୧୭ । ପାରାଦୀପ ରିଫାଇନାରୀ ଓ ଆଇଓସିଏଲରେ କେତେ ଓଡିଆ ଯୁବକଙ୍କୁ ନିଯୁକ୍ତି ମିଳିଛି ପ୍ରଶ୍ନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଭାରତୀୟ ଜନତା ପାର୍ଟିରେ ବିଜୟଙ୍କୁ କୋଣଠେସା କରାଯିବା ପଛରେ ଯେ, ଧର୍ମେନ୍ଦ୍ରଙ୍କ ଶକ୍ତି କାମ କରୁଥିଲା ତାହା ଏହି ଚିଠି ଗୁମର ଖୋଲି ଦେଇଥିଲା । ଓଡିଶା ଓ ଓଡିଆ ଯୁବକଙ୍କ ପାଇଁ ବିଜୟ ବାବୁଙ୍କ ସେହି ଦୁଇ ପୃଷ୍ଠାର ଚିଠି ଦେଖି ସେତେବେଳେ ଅନେକ ଚର୍ଚ୍ଚା ଓ ଆଲୋଚନା ହୋଇଥିଲା । ସ୍ୱାଭିମାନର ପାହାଡ ଉପରେ ବିଜୟଙ୍କୁ ବସାଇ ଦେଇଥିଲେ ସମର୍ଥକ ।

କିନ୍ତୁ ଏହାପରେ ଏହାର ନା ତ ଧର୍ମେନ୍ଦ୍ର ବାବୁ ଉତ୍ତର ଦେଇଥିଲେ ନା ପୁନଃ ଜବାବ ମାଗିଥିଲେ ବିଜୟ । ନୂଆ ପ୍ରସଙ୍ଗ ଭିତରେ ପୁଣି ହଜି ଯାଇଥିଲା ଏହି ପୁରୁଣା କଥା । ଏବେ କଥା ଉଠୁଛି ଯେ, ଧର୍ମେନ୍ଦ୍ରଙ୍କୁ ତ ଅତି ପାଖରେ ପାଇଥିଲେ ବିଜୟ । ତେବେ ନିର୍ବାଚନୀ ପ୍ରଚାର ପରେ ପଚାରିଥିଲେ କି ଆଇଓସିଏଲ, ପାରାଦୀପ ରିଫାଇନାରୀରେ ଓଡିଆ ଯୁବକଙ୍କ ନିଯୁକ୍ତି ସମ୍ବଳିତ ପୁରୁଣା ପ୍ରଶ୍ନ ?

ଅବଶ୍ୟ କୁହାଯାଇପାରେ ଯେତେବେଳେ ବିଜୟ ବାବୁଙ୍କର ଧର୍ମେନ୍ଦ୍ରଙ୍କ ସହ ପଡିଲାନି ସେତେବେଳେ ଜଗତସିଂହପୁର ଓ କେନ୍ଦ୍ରାପଡାର ଶିକ୍ଷିତ ବେକାର ଯୁବକଙ୍କ କଥା ବିଜୟ ବାବୁଙ୍କୁ ଦିଶିଲା । ତାଙ୍କୁ ମୋହରା କରି ଧର୍ମେନ୍ଦ୍ରଙ୍କୁ ଚିଠି ଲେଖି ରାଗ ଶୁଝାଇଲେ । କିନ୍ତୁ ଜାଣି ନଥିଲେ ଭବିଷ୍ୟତ ବଦଳିଯିବ ବୋଲି । ବିଜେପି ଛାଡିଥିବା ବିଜୟଙ୍କୁ ବୈଜୟନ୍ତ ପଣ୍ଡା ନିଜ ସୁବିଧା ପାଇଁ ଦଳକୁ ପୁଣି ନେଇ ଆସିଲେ ଆଉ ବିଜୟ ଏବେ ଧର୍ମେନ୍ଦ୍ରଙ୍କୁ ଧରି ପ୍ରଚାର କରୁଛନ୍ତି ।

  1. ତେବେ କଥା ହେଉଛି ୨୦୧୭ର ସେ ପ୍ରଶ୍ନ ବିଜୟ ବାବୁଙ୍କର ମନେ ଅଛି ତ ? ଯଦି ମନେ ଅଛି ତାହା ସେ ଧର୍ମେନ୍ଦ୍ର ବାବୁଙ୍କୁ ପାଖରେ ପାଇବା ପରେ ପଚାରିଲେ କି ନାହିଁ ? ଯଦି ପଚାରିଛନ୍ତି ଧର୍ମେନ୍ଦ୍ର ବାବୁ ଯେଉଁ ଉତ୍ତର ଦେଲେ ତାହାକୁ ମଧ୍ୟ ବିଜୟ ବାବୁ ସାର୍ବଜନୀନ କରିବା ଦରକାର ଅଛି । କାରଣ ସେତେବେଳେ ନିଜେ ଲେଖିଥିବା ଚିଠିକୁ ସାର୍ବଜନୀନ କରିଥିଲେ ବିଜୟ ବାବୁ । ପଚାରିଥିବା ପ୍ରଶ୍ନକୁ ବି ସାର୍ବଜନୀନ କଲେ ଆଉ ଆଜି ଯେତେବେଳେ ଏ ପ୍ରଶ୍ନର ଉତ୍ତର ପାଇବାର ସବୁଠୁ ସୁନ୍ଦର ସୁଯୋଗ ଆଉ ଅବସର ଥିଲା ବିଜୟ ବାବୁ ନୀରବ ରହିଲେ !

ହୁଏତ ଧର୍ମେନ୍ଦ୍ର ବାବୁ ୨୦୧୭ ରେ ବିଜୟ ବାବୁଙ୍କ ଫୋନ ଉଠାଇ ନଥିବେ । ତାଙ୍କ ସହ କଥା ହୋଇ ନଥିବେ । କିନ୍ତୁ ପାଟକୁରାରେ ବିଜୟଙ୍କ ସହ ମିଶି୧୮ଟି ସଭା ଓ ରୋଡ ସୋ କରିବା ପରେ ଧର୍ମେନ୍ଦ୍ରଙ୍କୁ ଏ ପୁରୁଣା ପ୍ରଶ୍ନ ପଚାରିବା କଣ ବିଜୟ ମହାପାତ୍ରଙ୍କୁ ଠିକ୍ ଲାଗିନଥିବ…

Related Posts