ପକ୍କା ଘର ରାଜନୀତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ବିଜୁ ଜୟନ୍ତୀରେ ୨୦ ଲକ୍ଷ ପକ୍କାଘର ବଣ୍ଟିବେ ଓଡ଼ିଶା ସରକାର । ଜିଲ୍ଲାକୁ ଜିଲ୍ଲା ବୁଲି ଘର ପାଇଁ ୱାର୍କ ଅର୍ଡର ବାଣ୍ଟିବେ ମନ୍ତ୍ରୀ । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଯାଜନୀତି । ବିଜେଡି ପୁଣି ବିଜୁଙ୍କ ନାଁରେ ରାଜନୀତି କରିବାକୁ ଚେଷ୍ଟା କରୁଥିବା କହି ଶାଣିତ ଢଙ୍ଗରେ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ଯଦି ସତ୍‌ସାହସ ଅଛି ତେବେ ଘର ବାଣ୍ଟିବା ଆଗରୁ ହିତାଧୀକାରୀଙ୍କ ତାଲିକାକୁ ସାର୍ବଜନୀନ କରିବାକୁ କହିଛି ବିଜେପି ।

ବିଜୁ ଜୟନ୍ତୀରେ ୨୦ ଲକ୍ଷ ପକ୍କାଘର ବାଣ୍ଟିବେ ନବୀନ

ବିଜୁ ଜୟନ୍ତୀକୁ ଜୋରଦାର ଢଙ୍ଗରେ ପାଳନ କରାଯିବ । ୨୦୨୨ ସୁଦ୍ଧା ସମସ୍ତଙ୍କ ମୁଣ୍ଡରେ ଛାତଘରର ସ୍ୱପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ୨୦ ଲଖ ଘର ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀକୁ ସପ୍ତାହବ୍ୟାପୀ ପାଳନ କରିବାକୁ ନିଷ୍ପତ୍ତି ନେଇଛି ବିଜେଡି । ଏହାକୁ ସରକାରୀସ୍ତରରେ ମଧ୍ୟ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲାକୁ ଯାଇ ଏହି ଘରଗୁଡ଼ିକର କାର୍ଯ୍ୟାଦେଶ ବାଣ୍ଟିବେ। ତେବେ କେଉଁ ଜିଲ୍ଲାରେ କେତେ ଘର ବଣ୍ଟାଯିବ ତାହା ସ୍ଥିର ହୋଇନି । ଆସନ୍ତା ୧୫ ତାରିଖ ସୁଦ୍ଧା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜିଲ୍ଲାୱାରି ଘର ତାଲିକା ଜାରି ହେବ । ଏଥିପାଇଁ ବଜେଟରେ ମଧ୍ୟ ଅର୍ଥ ବ୍ୟୟବରାଦ କରାଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ।

ହିତାଧୀକାରୀଙ୍କ ତାଲିକା ସାର୍ବଜନୀନ କର: ବିଜେପି

ପକ୍କାଘର ବଣ୍ଟନ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ପ୍ରଧାନମନ୍ତ୍ରୀ ଆବାସକୁ ନେଇ ମିଛ କହୁଛନ୍ତି ରାଜ୍ୟ ସରକାର, ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଏଭଳି ଚଞ୍ଚକତାକୁ ବନ୍ଦ କରନ୍ତୁ ବୋଲି ଦାବି କରିଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ । ବିଜୁ ବାବୁଙ୍କ ନାଁକୁ ନେଇ ୩୬୫ ଦିନ ଉତ୍ସବ ପାଳନ କରନ୍ତୁ ଆପତି ନାହିଁ, କିନ୍ତୁ ଗରିବଙ୍କ ଦାବିକୁ ଅବହେଳା ବରଦାସ୍ତ କରାଯିବନି ବୋଲି ପୃଥ୍ୱୀରାଜ ସିଧା ସିଧା ଶୁଣାଇଛନ୍ତି ।

୨୦୧୬ରେ ୧୦ ଲକ୍ଷ ବିଜୁ ପକ୍କା ଘର କରିଥିବା ବୋଲି କହିଥିଲେ ନବୀନ । କିନ୍ତୁ ବିଧାନସଭାରେ ୫୭ ହଜାର ୫୩୮ ବିଜୁ ପକ୍କା ଘର ହୋଇଥିବା ଦର୍ଶାଇଥିଲେ । ପକ୍କା ଘର ରାଜ୍ୟରେ ୨୭ ଲକ୍ଷ ହିତାଧିକାରୀଙ୍କୁ ବାଛିଥିଲେ । କିନ୍ତୁ ସେଥିରୁ ୧୩ ଲକ୍ଷ ଅଯୋଗ୍ୟ ବାହାରିଲେ । ତେଣୁ ପ୍ରଥମେ ସରକାର ହିତାଧିକାରୀଙ୍କ ତାଲିକା ସାର୍ବଜନୀନ କରନ୍ତୁ ।
ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାମ ପରିବର୍ତ୍ତନ ନେଇ ଜୋର ଧରିଛି ରାଜନୀତି । କୌଣସି ମତେ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଚେତାବନୀ ଦେଇଛି ବିଜେପି । ବର୍ତମାନ ସୁଦ୍ଧା ରାଜ୍ୟରେ ଚୂଡାନ୍ତ ହିତାଧିକାରୀ ତାଲିକାଟିଏ ସରକାର ପ୍ରସ୍ତୁତ କରି ପାରି ନାହାନ୍ତି ବୋଲି ଦଳ ଅଭିଯୋଗ କରିଛି ।

ପକ୍କା ଘର ବଣ୍ଟନରେ ଦଳୀୟ ରାଜନୀତି କରୁଛି ବିଜେଡି: କଂଗ୍ରେସ

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି: ‘‘ଏସ୍‌.ଇ.ସି.ସି. ତାଲିକାର ହିତାଧିକାରୀଙ୍କୁ ଘର ନ ଦେଇ ଅନ୍ୟାନ୍ୟ ତାଲିକାରେ ଥିବା ଲୋକଙ୍କୁ ଘର ଦିଆଯାଉଛି । ଲୋକଙ୍କୁ ଘର ବାଣ୍ଟିବାରେ ଦଳୀୟ ରାଜନୀତି କରୁଛି ବିଜେଡି’’
ବାତ୍ୟା ଫନି ପରେ ରାଜ୍ୟ ସରକାର ପ୍ରଥମେ ୨୭ ଲକ୍ଷ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଥିଲେ । ଏହି ତାଲିକାରେ ଚଞ୍ଚକତା ଥିବା ବିରୋଧୀ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁନର୍ବାର ସର୍ଭେ ହୋଇ ଏହା ୧୪ ଲକ୍ଷରେ ପହଞ୍ଚି ଥିଲା । ତେବେ ସବୁ ଠୁ ବଡ଼ କଥା ହେଉଛି ଯୋଗ୍ୟ ହିତାଧିକାରୀଙ୍କୁ ଚ଼ିହ୍ନଟ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଘର ଯୋଗେଇ ଦେବେ ତ ସରକାର?
Related Posts