ଏଣିକି ୧୬ କୋଚ୍ ବିଶିଷ୍ଟ ହେବ ଓଡିଶାର MEMU ଟ୍ରେନ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଏଣିକି ଓଡ଼ିଶାରେ ଚାଲୁଥିବା ମେମୁ ଟ୍ରେନଗୁଡିକ ୧୬ କୋଚ୍ ବିଶିଷ୍ଟ ହେବ । ପ୍ରଚଳିତ ଇଲେକ୍ଟ୍ରି ଇଞ୍ଜିନ ବଦଳରେ କିଛି ମାସ ପୂର୍ବରୁ ଆରମ୍ଭ ହୋଇଥିବା ମେମୁ ରେଳ ସେବାକୁ ଆଉ ପାଦେ ଆଗେଇ ନେବାକୁ ଯାଇ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି ।

ପ୍ରଥମ ପର୍ଯ୍ୟାୟରେ ଫେବୃୟାରୀ୧୧ ତାରିଖରୁ ପୁରୀ-ଅନୁଗୁଳ ପାସେଞ୍ଜର ଟ୍ରେନରେ ୧୨ ଟି କୋଚ ପରିବର୍ତ୍ତେ ୧୬ଟି କୋଚ୍ ସଂଯୋଗ ହେବ । ୬୮୪୨୨/୬୮୪୨୧ ନଂ ଏହି ମେମୁ ଟ୍ରେନ ପୂର୍ବ ସମୟ ଅନୁସାରେ ପୁରୀରୁ ଆସନ୍ତା ୧୧ ତାରିଖରେ ଛାଡିବାକୁ ଥିବା ବେଳେ ତହା ପରଦିନ ଅନୁଗୁଳରୁ ଛାଡିବ । ଏହା ଦ୍ବାରା ରାଜ୍ୟର ସର୍ବପ୍ରଥମ ଲମ୍ବା ମେମୁ ଟ୍ରେନ ଭାବରେ ଚଳାଚଳ ଆରମ୍ଭ କରିବ । ପରବର୍ତ୍ତୀ ସମୟରେ ଆସନ୍ତା ୧୨ ତାରିଖରୁ ପୂର୍ବରୁ ଚାଲି ଆସୁଥିବା ୫୮୪୨୫/୫୮୪୨୬ ନଂ ଟ୍ରେନ ପରିବର୍ତ୍ତେ ୬୮୪୨୫/୬୮୪୨୬ ନାମରେ ନୂଆ ମେମୁ ଟ୍ରେନ କେନ୍ଦୁଝର -ଭୁବନେଶ୍ୱର ମଧ୍ୟରେ ଚଳାଚଳ ଆରମ୍ଭ କରିବ ।

ସୂଚନାଯୋଗ୍ୟ ପୂର୍ବରୁ ଚାଲୁଥିବା ଇଲେକ୍ଟ୍ରି ଇଞ୍ଜିନ ତୁଳନାରେ ଉଭୟ ମୁଣ୍ଡରେ  ଇଞ୍ଜିନ ଥିବା ଏହି ହାଇସ୍ପିଡ ମେମୁ ଟ୍ରେନ ଘଣ୍ଟାପ୍ରତି ୨୦କିମି ଅଧିକ ଅତିକ୍ରମ କରିବ । ଏହା ପୂର୍ବପେକ୍ଷା ଯାତ୍ରୀମାନଙ୍କ କମ୍ ସମୟ ମଧ୍ୟରେ ଅଧିକ ଦୁରତା ଅତିକ୍ରମ କରିପାରିବ ବୋଲି ପୂର୍ବତଟ ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ଚାଲିବାକୁ ଥିବା ୪ଟି ମେମୁ ଟ୍ରେନର କୋଚ୍ ସଂଖ୍ୟା ଵୃଦ୍ଧି କରାଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts