
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟର ବହୁ ଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମକାରୀଙ୍କୁ ଜେଲ ପଠାଯାଉ। ଗୁରୁମିତ ରାମ ରହିମଙ୍କୁ ମଧ୍ୟ ପୁଣି ଜେଲ ପଠାଯାଉ। ଏହାସହିତ ଦେଶରେ ଥିବା ଦୋଷୀଙ୍କ କ୍ଷମାନୀତି ଓ ପାରୋଲ ଆଇନକୁ ଅଧିକ କଠୋର କରାଯାଉ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ଚିଠି ଲେଖିଛନ୍ତି। ଏନେଇ ସେ ଏକ ଭିଡିଓ ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।
ଏଥିରେ ସେ କହିଛନ୍ତି ଯେ, ବିଲକିସ୍ ବାନୋଙ୍କ ମାମଲାରେ ଦୋଷୀମାନଙ୍କୁ ଗୁଜରାଟ ସରକାର କିପରି ମୁକ୍ତ କରିଦେଲେ ଆମେ ଦେଖିଛୁ। ସେମାନେ ଭୋଗୁଥିବା ଦଣ୍ଡ ପୂରଣ ହୋଇ ନାହିଁ। ତଥାପି ସେମାନଙ୍କୁ ଜେଲରୁ ବାହାର କରି ଦିଆଗଲା। ବିଲକିସ୍ ବାନୋ ୨୧ ବର୍ଷରେ ଥିଲା ବେଳେ ତାଙ୍କ ସହ ଗଣ ଦୁଷ୍କର୍ମ କରାଗଲା। ସେ ୫ ମାସର ଗର୍ଭବତୀ ଥିଲେ। ତଥାପି ତାଙ୍କ ସହ ପାଶବିକ ଅତ୍ୟାଚାର କରାଗଲା। ଆଉ ତାଙ୍କ ଆଖି ଆଗରେ ତାଙ୍କ ପରିବାରର ୭ ଜଣଙ୍କୁ ମାରି ଦିଆଗଲା। ଏମିତି ଜଘନ୍ୟ ଅପରାଧୀଙ୍କୁ ଗୁଜରାଟ ସରକାର ଖଲାସ କରିଦେଇଛିନ୍ତି। ସେମାନଙ୍କ ଆଜୀବନ କାରାଦଣ୍ଡ ପୂରଣ ହୋଇ ନଥିବାବେଳେ ଗୁଜରାଟ ସରକାରଙ୍କ ଦୋଷୀଙ୍କ ପ୍ରତି କୋହଳମନୋଭାବ ଅତ୍ୟନ୍ତ ନିନ୍ଦନୀୟ। ନିକଟରେ ହରିୟାଣା ସରକାର ମଧ୍ୟ ଗୁରମିତ ରାମ ରହିମଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିଛନ୍ତି ।
ରାମ ରହିମ ହେଉଛନ୍ତି ଜଣେ ଦୁଷ୍କର୍ମ ଦୋଷୀ। ତାଙ୍କ ନାମରେ ଏକାଧିକ ସଙ୍ଗୀନ ଅଭିଯୋଗ ରହିଛି। ଏହା ସତ୍ତ୍ୱେ ହରିୟାଣା ସରକାର ତାଙ୍କର ବାରମ୍ବାର ପାରୋଲ ମଞ୍ଜୁର କରୁଛନ୍ତି। ଏବେ ସେ ଜେଲରୁ ପାରୋଲରେ ଆସି ପ୍ରବଚନ ଦେଉଛନ୍ତି। ହରିୟାଣା ମନ୍ତ୍ରୀ, ହିମାଚଳପ୍ରଦେଶ ମନ୍ତ୍ରୀ, ହରିୟାଣାର ମେୟର ତାଙ୍କ ପାଖରେ ନତମସ୍ତକ ହେଉଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ମୁଁ ଚାହୁଁଛି ଦେଶରେ ଏମିତି ଶକ୍ତ ଆଇନ ତିଆରି ହେଉ। ଯଦି କେହି ଦୁଷ୍କର୍ମ କରେ, ଯଦି କେହି ଅତି ନିର୍ମମ କାରନାମା କରେ , ପୁଣି ତାଙ୍କୁ ଯଦି ଆଜୀବନ କାରାଦଣ୍ଡ ମିଳେ ଏହା ପରେ ସେ ଯେମତି ଜେଲରୁ ନବାହାରନ୍ତି।
ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ବୋଲି ସ୍ୱାତୀ ମାଲିୱାଲ କହିଛନ୍ତି। ଆମ ଦେଶରେ ଯେଉଁ କ୍ଷମା ନୀତି ରହିଛି କିମ୍ବା ପାରୋଲ ନିୟମ ରହିଛି ସେଥିରେ କୋହଳ ବ୍ୟବସ୍ଥାକୁ ହଟାଇ ଦିଆଯାଉ । ଏହାକୁ ଆହୁରି ସଶକ୍ତ କରାଯାଉ । ଏଥି ପାଇଁ ସଂସଦରେ ସଂଶୋଧିତ ଆଇନ ଆସୁ। ଯେତେ ଦିନ ପର୍ଯ୍ୟନ୍ତ ଗୁରୁମିତ ରାମ ରହିମ ଓ ବିଲକିସ ବାନୋ ଦୋଷୀ ଜେଲରେ ନରହି ବାହାରେ ବୁଲିବେ, ଦେଶରେ ଯେତେ ନିର୍ଭୟା ଅଛନ୍ତି ସେମାନଙ୍କ ମନୋବଳ କମ ହେବ। ଆଉ ଯେତେ ଦୁଷ୍କର୍ମକାରି ଅଛନ୍ତି ସେମାନଙ୍କ ମନୋବଳ ବଢିବ। ପ୍ରଧାନମନ୍ତ୍ରୀ ତୁରନ୍ତ ଏହି ମାମାଲାରେ ହସ୍ତକ୍ଷେପ କରନ୍ତୁ। ବିଲକିସ ବାନୋଙ୍କ ଦୋଷୀଙ୍କୁ ଜେଲ ପଠାଯାଉ। ଗୁରୁମିତ ରାମ ରହିମିଙ୍କୁ ମଧ୍ୟ ପୁଣି ଜେଲ ପଠାଯାଉ ବୋଲି ସେ ଦାବି କରିଛନ୍ତି।