![](https://www.satyapatha.com/wp-content/uploads/2020/01/ar.jpg)
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବୃଦ୍ଧି କରିବାକୁ ଯାଇ ବିଗତ କିଛି ଦିନ ମଧ୍ୟରେ ରାଜ୍ୟ ସରକାର ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛନ୍ତି । ଏହା ସହ ଏବେ ଯୋଡି ହୋଇଯାଇଛି ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ଦକ୍ଷତା ବିକାଶର ପ୍ରସଙ୍ଗ । ଦକ୍ଷତା ବିକାଶ କରିବାକୁ ଯାଇ କିଛି ଦିନ ପୂର୍ବରୁ ବିଭାଗ ପକ୍ଷରୁ ବାୟୋମ୍ୟାଟ୍ରିକ ଉପସ୍ଥାନର ବ୍ୟବସ୍ଥା କରାଗଲା । ୭ ଘଣ୍ଟା ବାଧ୍ୟତାମୂଳକ ରହଣୀ, ପ୍ରୋକ୍ଟରିଆଲ କ୍ଲାସ, ଛାତ୍ରଛାତ୍ରୀଙ୍କ ୭୫ ପ୍ରତିଶତ ଉପସ୍ଥାନ ଭଳି ନିଷ୍ପତ୍ତି ନିଆଗଲା । ଅଧ୍ୟକ୍ଷ ଏବଂ ଅଧ୍ୟାପକମାନଙ୍କ ଛୁଟି ଉପରେ ବି କଟକଣା ଲଗାଇଛି ଉଚ୍ଚଶିକ୍ଷା ବିଭାଗ । ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏକଥା କହିଛନ୍ତି । ବିକାଶର ଗତିକୁ ଅଧିକ ତ୍ବରାନ୍ବିତ କରିବାକୁ ଯାଇ ‘ମୋ କଲେଜ’ ଅଭିଯାନ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀଙ୍କୁ କଲେଜ ସହ ଯୋଡିବା ଏବଂ ଏଣିକି ଅଧ୍ୟକ୍ଷ ପାଠପଢା ଏବଂ ଉପସ୍ଥାନ ଆଦିକୁ କଡାକଡି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଲେ ସରକାର ।
କୁହାଯାଉଛି ଯେ ଏ ସମସ୍ତ ପ୍ରାକ୍ ପ୍ରସ୍ତୁତି 5Tର ସାମ୍ଭାବ୍ୟ କାର୍ଯ୍ୟକାରୀତାର ପୂର୍ବ ସୂଚନା । ଭଲ କଥା, ଶିକ୍ଷାରେ ସଂସ୍କାର ଆସୁ ଶିକ୍ଷା ସମସ୍ତଙ୍କ ପାଖରେ ସହଜରେ ପହଞ୍ଚୁ ଏହା ସମସ୍ତେ ଚାହାନ୍ତି । ହେଲେ ଏହାର ବାସ୍ତବ ଦିଗ ପ୍ରତି ପାଠକେ ଅବଗତ ନହେଲେ ପ୍ରକୃତ ଘଟଣା ଉପରୁ ପରଦା ହଟିବ ନାହିଁ କି ସନ୍ଦେହ ଦୂର ହେବ ନାହିଁ। ପ୍ରକୃତ କଥା ହେଲା ଆମ ରାଜ୍ୟରେ ଯଦି ସର୍ବାଧିକ କେଉଁ ଗୋଟିଏ ବିଭାଗ ଅବହେଳିତ ଅବସ୍ଥାରେ ଥାଏ ତା’ ହେଲା ତା ହେଲା ଉଚ୍ଚଶିକ୍ଷା ବିଭାଗ । ରାଜ୍ୟରେ ୫୨ ଟି ସରକାରୀ ଓ ୨୪୧୭ (+୩ ଏବଂ+୨) ବେସରକାରୀ ମହାବିଦ୍ୟାଳୟ କାର୍ଯ୍ୟ କରୁଛି । ସମସ୍ତଙ୍କୁ ମାଗଣା ସରକାରୀ ଶିକ୍ଷା ଯୋଗାଇ ଦେବାର ଆଇନ ଥିଲେବି ଆମ ରାଜ୍ୟର ମାତ୍ର ୨୦ ପ୍ରତିଶତ ପିଲା ସରକାରୀ ମହାବିଦ୍ୟାଳୟରେ ପାଠ ପଢିବାର ସୁବିଧା ଅଛି । ବାଳିକା ଶିକ୍ଷା ପାଇଁ ଆମ ରାଜ୍ୟରେ ବ୍ୟବସ୍ଥା ଅତି ନଗନ୍ୟ । ଦିଲ୍ଲୀ ଭଳି ଛୋଟିଆ ରାଜ୍ୟରେ ଶିକ୍ଷା ପାଇଁ ହେଉଥିବା ବଜେଟର ଅଧାରୁ ବି କମ୍ ବ୍ୟୟ ଅଟକଳ ଓଡ଼ିଶା ସରକାରଙ୍କର । କୁହାଯାଉଛି ରାଜ୍ୟରେ କୁଆଡେ ଅର୍ଥ ଅଭାବ ରହିଛି । କିନ୍ତୁ ସେପଟେ ନବୀନ ବାବୁ ଯୋଜନା ପରେ ଯୋଜନା କରିଚାଲିଛନ୍ତି । ଚଳିତ ଶିକ୍ଷା ବର୍ଷଠାରୁ ଯେଉଁ ନିୟମ ସବୁ କାର୍ଯ୍ୟକାରୀ କରିଛନ୍ତି ତାହାର ସୁଫଳ କ’ଣ ପାଇଛନ୍ତି ସରକାର ଜାଣିଥିବେ ହେଲେ ଗୋଟିଏ କଥା କୁହାଯାଇପାରେ ଏକ ପ୍ରତିଶୋଧମୂଳକ ମାନସିକତାରେ ବଶବର୍ତ୍ତୀ ହୋଇ ସରକାର ଯାହା କରିଛନ୍ତି ତାହା କେବଳ ଗୋଦରା କୋଡେ ଯେତେ ମାଡେ ସେତେ ନ୍ୟାୟରେ ଚାଲିଛି ।
କଲେଜରେ ୭ ଘଣ୍ଟାର ରହଣୀ ହେଉ ବା ହାତ ଟିପ ଦେଇ ଉପସ୍ଥାନ ହେଉ ଏହା ଉଚ୍ଚଶିକ୍ଷା ଭଳି ବ୍ୟବସ୍ଥାରେ ଗ୍ରହଣୀୟ ନୁହେଁ । ଗବେଷଣା ଓ ନୂଆ ଉଦଭାବନାରେ ବ୍ୟସ୍ତ ମଣିଷମାନଙ୍କୁ ଘରୋଇ କାରଖାନାର ଶ୍ରମିକଙ୍କ ପରି ବ୍ୟବହାର ସତରେ ବଡ ଉଦ୍ଭଟ୍ଟ ଲାଗୁଥିଲେବି ପ୍ରତିବାଦ କରିବାକୁ କାହାର ସାହସ ନାହିଁ । ବଂର ସାଧାରଣରେ ଗୋଟିଏ ଧାରଣା ସୃଷ୍ଟି କରିଦିଆ ଯାଇଛି କି ଏ ଅଧ୍ୟାପକମାନେ କଲେଜ ଆସନ୍ତି ନାହିଁ କି ପାଠ ପଢାନ୍ତି ନାହିଁ । ତେଣୁ ଯାହା ହୋଇଛି ଭଲ ହୋଇଛି । ପାନେ ପାଇଛନ୍ତି ଏମାନେ, ଅବଶ୍ୟ ଏ ଆକଳନ ପୁରା ଅମୂଳକ ନୁହେଁ, ହେଲେ ଏକଥା ମନେ ରଖିବା ଦରକାର ଉଚ୍ଚଶିକ୍ଷିତ ମଣିଷମାନଙ୍କଠାରୁ ଏପରି ତାଗିଦ୍ ଆଉ କଟକଣାରେ କାର୍ଯ୍ୟ ଆଦାୟ କରାଯାଏନା । ଏକଥା ସତ୍ୟ ଏବଂ ସ୍ବିକାର୍ଯ୍ୟ ଯେ କିଛି ସୁବିଧାବାଦୀ ଅଧ୍ୟାପକ-କର୍ମଚାରୀ ତ୍ରୁଟି କରୁଥିଲେ । ହେଲେ ସେମାନଙ୍କ ସଂଖ୍ୟା କେତେ ? ସମଗ୍ର ରାଜ୍ୟରେ କାର୍ଯ୍ୟ କରୁଥିବା ସମୁଦାୟ ୨୦ ହଜାର ପାଖାପାଖି ଅଧ୍ୟାପକ କର୍ମଚାରୀଙ୍କ ମଧ୍ୟରୁ ଏବେବି ମାତ୍ର ୫ ହଜାର କର୍ମଚାରୀ ସମସ୍ତ ସରକାରୀ ସୁବିଧା ପାଆନ୍ତି । ବାକି ୧୫ ହଜାର ଅଧ୍ୟାପକ କର୍ମଚାରୀ ଘୋର ଦୁର୍ଦ୍ଦିନରେ ଦିନ କାଟନ୍ତି । ଦୀର୍ଘ ବର୍ଷର ଆନ୍ଦୋଳନ ବିକ୍ଷୋଭ ପରେ ଗତ ୨୦୧୮ ଠାରୁ ସାମାନ୍ୟ କିଛି ବେତନ ପାଉଛନ୍ତି ଯାହା ତାଙ୍କ ପ୍ରାପ୍ୟର ଅଧା । ସେଥିରେ ନାଁ ଅଛି ଚାକିରୀ ସର୍ତ୍ତାବଳୀ ନା ପେନସନର ସୁବିଧା । ୭୦ ଭାଗ କର୍ମଚାରୀ ଅବସରକୁ ଅପେକ୍ଷା କରିଥିବା ବେଳେ ସରକାର ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରି ଚାଲିଛନ୍ତି । ହେଲେ ସେମାନଙ୍କୁ ଯେଉଁ ସୁବିଧା ମିଳିବା କଥା ତାହା ନଦେଇ ଏଭଳି ନିୟମ ପ୍ରଣୟନ ବେଆଇନ ଆଉ ମାନବାଧିକାର ଉଲଂଘନ କରୁଥିବା ପ୍ରମାଣିତ କରୁଛି । ଅଧ୍ୟାପକଙ୍କ ଅଭିଯୋଗ ଶୁଣିବାକୁ ସରକାରଙ୍କ ପାଖରେ ସମୟ ନାହିଁ ।
ରାଜ୍ୟର ସରକାରୀ ମେହେନ୍ତର ଝାଡୁଦାରଙ୍କ କ୍ଷେତ୍ରରେ ୭ମ ବେତନ କମିଶନ ଲାଗୁ ହୋଇସାରିଲାଣି, ସରକାରୀ ଅଧ୍ୟାପକ କର୍ମଚାରୀଙ୍କ କ୍ଷେତ୍ରରେ ଲାଗିଲାଣି ହେଲେ ଏ ପର୍ଯ୍ୟନ୍ତ ୧୫ ହଜାର ବ୍ଲକଗ୍ରାଣ୍ଟରୁ (ସରକାରୀ ଭାଷାରେ) ଗ୍ରାଣ୍ଟ-ଇନ-ଏଡ୍ ପାଉଥିବା ଅଧ୍ୟାପକ-କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହୋଇପାରିଲା ନାହିଁ । ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଧିରେ ଧିରେ ମଳିନ ପଡି ଗଲାଣି । ଟ୍ରାନସଫର, ପ୍ରମୋସନ, ଚାକିରୀ ସର୍ତ୍ତାବଳୀ କି ପେନସନ କିଛି ନଦେଇ ଗୋଟିଏ ପରେ ଗୋଟିଏ ନିୟମ ଲଦି ଦେଇ ସରକାର କିଭଳି ନ୍ୟାୟ ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କିଛି ବରିଷ୍ଠ ଅଧ୍ୟାପକ ।