ପୁଣି ଅଶାନ୍ତ JNU !

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ପୁଣି ଅଶାନ୍ତ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର କ୍ୟାମ୍ପସ। ଫି ବୃଦ୍ଧି ବିରୋଧରେ ଚାଲିଥିବା ଶାନ୍ତିପୂର୍ଣ୍ଣ ପ୍ରତିବଡ଼କୁ ଭଣ୍ଡୁର କରିବାକୁ ରବିବାର ରାତିରେ କେତେ ଜଣ ମୁଖଧାରୀ ହଠାତ କ୍ୟାମ୍ପସ ଭିତରେ ପସି ରଡ ଏବଂ ବାଡିରେ ଛାତ୍ରୀଛାତ୍ର ଏବଂ ପ୍ରଫେସରମାନଙ୍କୁ ଅତର୍କିତ ଆକ୍ରମଣ କରିଛନ୍ତି। ଏହା ସହ ହଷ୍ଟେଲର କାଚ ଏବଂ ଚେୟାର ଟେବୁଲ ଭାଙ୍ଗିଦେଇଛନ୍ତି । ଏଥିରେ ଜେଏନୟୁ ଛାତ୍ର ସଂସଦ ସଭାପତି ଆଇଶୀ ଘୋଷ ଆହତ ହୋଇଛନ୍ତି । ଜେଏନୟୁ ଛାତ୍ର ସଂସଦ ସଭାପତି ଆଇଶୀ ଘୋଷଙ୍କ କହିବା କଥା ଯେ ‘‘ ମୋତେ କେତେ ଜଣ ମୁହଁ ଢାଙ୍କିଥିବା ଗୁଣ୍ଡା ଆକ୍ରମଣ କରି ପିଟିଥିଲେ । ମୋ ମୁଣ୍ଡରୁ ରକ୍ତଶ୍ରାବ ହେଉଛି ଏବଂ ଭୀଷଣ କଷ୍ଟ ହେଉଛି’’ ।


ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରମୋଦ କୁମାର ଘଟଣାକୁ ଦୃଢ ନିନ୍ଦା କରିବା ସହ ଦିଲ୍ଲୀ ପୋଲିସ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।


ସେପଟେ ବାମପନ୍ଥୀ ବିଚାରଧାରାର ଛାତ୍ରମାହତ୍ରୀମାନେ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ରୀଛାତ୍ରଙ୍କ ଉପରେ ଏହି ହିଂସାକାଣ୍ଡ ଭିଆଇଥିବା ନେଇ ଅଭିଯୋଗ କରିଛନ୍ତି । ତେବେ ଆକ୍ରମଣକାରୀମାନଙ୍କର ସମ୍ପର୍କରେ କିଛି ଜଣାପଡ଼ି ନଥିବାବେଳେ ସମ୍ପୂର୍ଣ୍ଣ ଘଟଣାକ୍ରମ ଉପରେ ଦିଲ୍ଲୀ ପୋଲିସ କହିଛି ‘‘ ହଷ୍ଟେଲର କେତେକ ଛାତ୍ରଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ପରେ ଏହା ଭୟଙ୍କର ରୂପ ଧାରଣ କରିଥିଲା । ଯଦି ଏ ନେଇ ଅଭିଯୋଗ ହୁଏ ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ’’ ।
ଲେଫ୍ଟ ଛାତ୍ରସଂଘ ପକ୍ଷରୁ ଆରୋପ ଲଗାଯାଇଛି ଯେ, ‘‘ ଏବିଭିପି ସେହି ଛାତ୍ରମାନଙ୍କ ଉପରେ ଆକ୍ରମଣ କରୁଛି ଯେଉଁମାନେ ଜେଏନୟୁରେ ଫିସ ବୃଦ୍ଧି ବିରୋଧରେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରୁଥିଲେ‘‘ ।

ଜେଏନ୍‌ୟୁର ଏକ ହଷ୍ଟେଲ୍‌ରେ ମୁଖଧାରୀଙ୍କ ଆକ୍ରମଣ
ଘଟଣା ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ‘‘ ଜେଏନୟୁରେ ହୋଇଥିବା ହିଂସାକୁ ନେଇ ଦୁଃଖିତ ଅଛି । ଛାତ୍ରମାନଙ୍କ ଉପରେ ଅମାନବିକ ଭାବେ ଆକ୍ରମଣ କରାଯାଇଛି । ପୋଲିସ ତୁରନ୍ତ ହିଂସାକୁ ରୋକିବା ସହ ସେଠାରେ ଶାନ୍ତି ଫେରାଇ ଆଣୁ । ଯଦି ଛାତ୍ରମାନେ ବିଶ୍ବବିଦ୍ୟାଳୟ ଭିତରେ ସୁରକ୍ଷିତ ନରହିବେ ତାହାଲେ ଦେଶ କିପରି ଆଗକୁ ବଢ଼ିବ’’ ।

ସେହିଭଳି ଦିଲ୍ଲୀ ଉପରାଜ୍ୟପାଳ ଘଟଣାକୁ କଡ଼ା ନିନ୍ଦା କରିବା ସହ ଅପରାଧୀ ଯିଏବି ହେଉନା କାହିଁକି ତା ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ ଦିଲ୍ଲୀ ପୋଲିସକୁ  ନିର୍ଦେଶ ଦେଇଛନ୍ତି।

ବାମ ସଂଗଠନ ଉପରେ ଆରୋପ ଲଗାଇଲା ଏବିଭିପି
ସେହିପରି ଏବିଭିପି ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି କି ‘‘ବାମ ସଂଗଠନ ଏସଏଫଆଇ, ଆଇସା, ଡିଏସଏଫ ସହିତ ଜଡ଼ିତ ଥିବା ଛାତ୍ରମାନେ ଏହି ହିଂସାକାଣ୍ଡ ଘଟାଇଛନ୍ତି । ଏହି ଆକ୍ରମଣ ଫଛରେ ୧୫ଜଣ ଛାତ୍ରଙ୍କୁ ଗଭୀର ଆଘାତ ଲାଗିଛି । ଅଲଗା ଅଲଗା ଛାତ୍ରାବାସରେ ଏବିଭିପି ସହ ଜଡ଼ିତ ଛାତ୍ରମାନଙ୍କ ଉପରେ ଆକ୍ରମଣ କରାଯାଇଛି । ଏହା ସହ ହଷ୍ଟେଲର ଝରକା ଏବଂ କବାଟକୁ ବାମ ସଂଗଠନର ଛାତ୍ରମାନେ ଭାଙ୍ଗି ଦେଇଛନ୍ତି’’ ।

ଘଟଣାକୁ ରାହୁଲ ଗାନ୍ଧି, CPIM ନେତା ସୀତାରମ ୟେଚୁରୀଙ୍କ ସମେତ ବହୁ ରାଜନେତା କଡ଼ା ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Related Posts