ବୀରଭୂମ ହତ୍ୟାକାଣ୍ଡ; ପଶ୍ଚିମବଙ୍ଗର ବିଜେପି ସାଂସଦଙ୍କୁ ଭେଟି ଆଲୋଚନା କରିବେ ମୋଦି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗର ବୀରଭୂମରେ ଘଟିଥିବା ହିଂସାକାଣ୍ଡକୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ସ୍ଥିତି ସମ୍ପର୍କରେ ବିଜେପି ସାଂସଦଙ୍କ ସହ ଆଲୋଚନା କରିବେ। ସୂଚନା ମୁତାବକ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ସାଂସଦଙ୍କୁ ଆଲୋଚନା କରିବାକୁ ସକାଳ ଜଳଖିଆ ପାଇଁ ଡାକିଛନ୍ତି। ସେପଟେ ପଶ୍ଚିମବଙ୍ଗର ବୀରଭୂମରେ ହିଂସା ପରେ ଟିଏମସି ଏବଂ ବିଜେପି ମଧ୍ୟରେ ଏବେ ଲଢେଇ ଆରମ୍ଭ ହୋଇଥିବାବେଳେ ଗତକାଲି ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ଓ ଟିଏମସି ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗର ବିଜେପି ସାଂସଦମାନଙ୍କ ସହ ମୋଦୀ ସ୍ୱତନ୍ତ୍ର ରଣନୀତି ବାବଦରେ ଆଲୋଚନା କରିପାରନ୍ତି । ତେବେ ଗତକାଲି ପଶ୍ଚିମବଙ୍ଗ ବିଧାନସଭାରେ ଟିଏମସି ଓ ବିଜେପି ବିଧାୟକଙ୍କ ମଧ୍ୟରେ ହୋଇଥିବା ତୁମୁଳ କାଣ୍ଡକୁ ବିଜେପି ସାଂସଦମାନେ ସଂସଦରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେଇ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଦାବି କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts