ବୀରଭୂମରେ ହିଂସା ଘଟଣା: ବିଜେପି ସାଂସଦଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ବୀରଭୂମରେ ହିଂସାକୁ ନେଇ ଜୋର୍ ଧରିଛି ରାଜନୀତି। ଟିଏମସି ଏବଂ ବିଜେପି ମଧ୍ୟରେ ଦୋଷ ଲଦାଲଦି ଚାଲିଥିବା ବେଳେ, ଗତକାଲି ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ଓ ଟିଏମସି ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା | ତେବେ ଏସବୁ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ସ୍ଥିତି ସମ୍ପର୍କରେ ବିଜେପି ସାଂସଦଙ୍କ ସହ ଆଲୋଚନା କରିବେ। ସୂଚନା ମୁତାବକ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ସାଂସଦଙ୍କୁ ଆଲୋଚନା କରିବାକୁ ସକାଳ ଜଳଖିଆ ପାଇଁ ଡାକିଛନ୍ତି।

ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗର ବିଜେପି ସାଂସଦମାନଙ୍କ ସହ ମୋଦୀ ସ୍ୱତନ୍ତ୍ର ରଣନୀତି ବାବଦରେ ଆଲୋଚନା କରିପାରନ୍ତି | ତେବେ ଗତକାଲି ପଶ୍ଚିମବଙ୍ଗ ବିଧାନସଭାରେ ଟିଏମସି ଓ ବିଜେପି ବିଧାୟକଙ୍କ ମଧ୍ୟରେ ହୋଇଥିବା ତୁମୁଳ କାଣ୍ଡକୁ ବିଜେପି ସାଂସଦମାନେ ସଂସଦରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେଇ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଦାବି କରିଛନ୍ତି।

ସାଂସଦମାନେ ଲୋକସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ଏହାପୂର୍ବରୁ ଗତକାଲି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ରାଜ୍ୟର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ।

ସେପଟେ କଂଗ୍ରେସ୍ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ।

Related Posts