ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗରର ଉପନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ହୋଇଯାଇଛି । ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିନଥିବାବେଳେ ବିଜେପି ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ସେ ମଧ୍ୟ ଗତକାଲି ନିଜର ନାମାଙ୍କନ ଦାଖଲ କରିଛନ୍ତି।
ତେବେ ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜେଡି ପକ୍ଷରୁ ବିଭିନ୍ନ ନେତାଙ୍କୁ ଦାୟିତ୍ବ ବଣ୍ଟା ଯାଇଛି। ତିହିଡ଼ି ଓ ଧାମନଗର ବ୍ଲକ ପାଇଁ ନେତାମାନଙ୍କୁ ଦାୟିତ୍ବ ଦେଇଛି ବିଜେଡ଼ି । ତିହିଡ଼ି ବ୍ଲକ ପାଇଁ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜ୍ୟୋତି ପାଣିଗ୍ରାହୀ ଓ ପର୍ଶୁରାମ ଧଡ଼ାଙ୍କୁ ବିଜେଡି ଦାୟିତ୍ୱ ଦେଇଛି । ସେହିପରି ଧାମନଗର ବ୍ଲକ ପାଇଁ ମନ୍ତ୍ରୀ ପ୍ରୀତି ରଞ୍ଜନ ଘେଡ଼େଇ, ସାଂସଦ ମଞ୍ଜୁଲତା ମଣ୍ଡଳ, ଅଶୋକ ବଳ, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ସୁନନ୍ଦା ଦାସଙ୍କୁ ଦାୟିତ୍ୱ ଦିଆଯାଇଛି ।
ସେପଟେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବାପା ବିଷ୍ଣୁ ସେଠୀଙ୍କ ଫଟୋ ରଖି ଅନୁକମ୍ପା ଭୋଟ ହାତେଇବାକୁ ଉଦ୍ୟମ କରୁଛନ୍ତି । ଆସନ୍ତା ୧୪ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ହେଲେ ଏବେ ବି ପ୍ରାର୍ଥୀ ଘୋଷଣା କରିନି ବିଜେଡି । ଆଶାୟୀ ଅନେକ ଥିବାରୁ ଦଳୀୟ ସ୍ତରରେ ଅଙ୍କକଷା ଚାଲିଛି । ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସକୁ ଦଳ ମୈଦାନକୁ ଓହ୍ଲାଇବ ନା ସରପ୍ରାଇଜ କାର୍ଡ ଖେଳିବେ ନବୀନ ସେ ଉପରେ ନଜର ରହିଛି । ସେପଟେ କଂଗ୍ରେସର ପ୍ରାର୍ଥୀ ଚୂଡାନ୍ତ ସରିଛି । ଖୁବଶୀଘ୍ର ଦଳ ନାଁ ଘୋଷଣା କରିବ ଓ ସ୍ଥାନୀୟ ନେତାଙ୍କୁ ଦଳ ସୁଯୋଗ ଦେବ ବୋଲି କହିସାରିଛି ।
