
ଭୁବନେଶ୍ୱର,୩୧/୩ (ସତ୍ୟପାଠ ବ୍ୟୁରୋ): ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଜେଡି-ବିଜେପି ମଧ୍ୟରେ ଆରମ୍ଭ ହୋଇଯାଇଛି ଟ୍ୱିଟ୍ ୱାର। ଟ୍ୱିଟରରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳର ନେତା। ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ନେଇ ଟ୍ୱିଟ୍ କରିଥିଲେ। ଏହାର ଜବାବ୍ ରେ ବିଜେଡ଼ି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଟ୍ୱିଟ୍ କରି କହିଲେ ଧର୍ମେନ୍ଦ୍ର ଓଡ଼ିଶାର ଶାନ୍ତିପ୍ରିୟ ଲୋକଙ୍କୁ ଅପମାନିତ କରୁଛନ୍ତି। ଏହାସହିତ ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା ବିଯାର୍ଯ୍ୟସ୍ତ କହି ସସ୍ମିତ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ । ଏବେ ସସ୍ମିତଙ୍କ ଟାର୍ଗେଟ ର ଜୋରଦାର ଜବାବ୍ ରଖିଛନ୍ତି ଧାମନଗରର ଯୁବ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍। ସୁରଜ୍ ସିରିଜ୍ ଟ୍ୱିଟ୍ କରି ତଥ୍ୟ ସହିତ ରାଜ୍ୟର ବିଭିନ୍ନ ଅପରାଧର ଉଦାହରଣ ଦେଇ ସସ୍ମିତଙ୍କୁ ଏକ ପ୍ରକାର ଧୋଇ ଦେଇଛନ୍ତି। ନିଜ ଟ୍ୱିଟ୍ ରେ ସସ୍ମିତଙ୍କୁ ବାରମ୍ବାର ଭାଇ, ଭାଇ ବୋଲି ସମ୍ବିଧିତ କରି ତଥ୍ୟ ସହ ଟାର୍ଗେଟ କରିଛନ୍ତି ସୁରଜ୍।
ଘଟଣାକ୍ରମ କିଛି ଏଭଳି ଥିଲା, ଝାରସୁଗୁଡ଼ାର ୧୫ ବର୍ଷୀୟ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ କରି ହତ୍ୟା କରାଯିବା ପରେ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ମାମଲାରେ ଟ୍ୱିଟ କରି ପ୍ରଥମେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଥିଲେ, ଦୀର୍ଘ ସମୟ ଧରି କ୍ଷମତାରେ ରହିବା ସତ୍ତ୍ୱେ ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା କରିବାରେ ରାଜ୍ୟ ସରକାର ଫେଲ୍ ମାରିଛନ୍ତି । ନବ ଦାସ ହତ୍ୟାକୁ ୨ ମାସ ନ ହେଉଣୁ ନାବାଳକ ସମର୍ଥଙ୍କ ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରସ୍ଥିତି ଅତି ଶୋଚନୀୟ ହୋଇପଡିଛି। ରାଜ୍ୟରେ ସାଧାରଣ ନାଗରିକ ଆଦୌ ସୁରକ୍ଷିତ ନୁହନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ କହିଛନ୍ତି, ସାଧାରଣ ନାଗରିକ କିମ୍ବା ଜନପ୍ରତିନିଧି ଓଡ଼ିଶାରେ ସୁରକ୍ଷିତ ନୁହନ୍ତି। ଝାରସୁଗୁଡ଼ା ଘଟଣା ରାଜ୍ୟବାସୀଙ୍କ ବିଶ୍ୱାସକୁ ଦୁର୍ବଳ କରି ଦେଇଛି। ସମର୍ଥଙ୍କ ପରିବାରକୁ ଯେତେ ସହାନୁଭୂତି ଜଣାଇଲେ ବି କମ୍ ପଡ଼ିବ। ନାଗରିକଙ୍କ ସୁରକ୍ଷାକୁ ସରକାର ସୁନିଶ୍ଚିତ କରନ୍ତୁ ବୋଲି ଧର୍ମେନ୍ଦ୍ର ଟ୍ୱିଟରେ କହିଥିଲେ।
ଏହାର ଜବାବ୍ ଦେବାକୁ ଯାଇ ବିଜେଡି ତରଫରୁ ସାମ୍ନାକୁ ଆସିଥିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ସସ୍ମିତ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ନିଜ ଟ୍ୱିଟରେ କହିଥିଲେ ଯେ, ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଏଠାରେ କାଁଭାଁ ଅପରାଧ ହୁଏ ସତ, ମାତ୍ର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ନାହିଁ।ଦେଶର ଅନେକ ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ଯଥେଷ୍ଟ ଭଲ ଅଛି। ତେଣୁ ହୀନ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଏଭଳି ଅପପ୍ରଚାର ଜରିଆରେ ଶାନ୍ତିପ୍ରିୟ ଓଡ଼ିଶାବାସୀ ଓ ଓଡ଼ିଶାକୁ ନିନ୍ଦିତ କରନ୍ତୁ ନାହିଁ।
କେନ୍ଦ୍ର ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ପାତ୍ର ଆହୁରି କହିଥିଲେ ଯେ, ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଗୋଷ୍ଠୀ ଏକ ଅପରାଧ ଘଟାଇଲେ, ପୁଲିସ ଏହାର ତଦନ୍ତ କରି ଅପରାଧୀକୁ କାଠଗଡ଼ା ନେଇଥାଏ। ତେଣୁ ଦୟାକରି ଆପଣ ଅପରାଧ ଭଳି ସ୍ପର୍ଶକାତର ମାମଲାରେ ହୀନ ରାଜନୀତି କରିବା ପାଇଁ ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ। ୨୦୨୧ ମସିହା ଏନ୍ସିଆର୍ବି ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆସାମ ଓ ହରିଆନା ଭଳି ବିଜେପି ଶାସିତ ରାଜ୍ୟରେ ମହିଳାଙ୍କୁ ବଳାତ୍କାର ମାମଲା, ଓଡ଼ିଶା ତୁଳନାରେ କେତେ ଅଧିକ ଅଛି ତାହା ଆପଣ ଜାଣନ୍ତି ତ? ସେହିପରି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ହତ୍ୟା ମାମଲା ମଧ୍ୟ ଓଡ଼ିଶା ତୁଳନାରେ ଯଥେଷ୍ଟ ଅଧିକ ରହିଛି।
ସସ୍ମିତ ପାତ୍ରଙ୍କ ଟ୍ୱିଟ ପରେ ଏହାର ଜୋରଦାର ଜବାବ୍ ରଖିଛନ୍ତି ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍। ତଥ୍ୟ ଓ ଉଦାହରଣ ସହିତ ସେ ସସ୍ମିତଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଓଡ଼ିଶାର ଶାସକ ଦଳର ନେତାମାନେ ଓଡ଼ିଶାର ବିପର୍ଯ୍ୟସ୍ତ ଆଇଶୃଙ୍ଖଳାକୁ ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ଅପରାଧିକ ତଥ୍ୟକୁ ବଦଳାଇପାରିବେ ନାହିଁ। ସସ୍ମିତ ପାତ୍ରଙ୍କ ଭଳି ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ଏନସିଆରବି ଭଳି ରିପୋର୍ଟକୁ ଅଣଦେଖା କରିବା ଶୋଭା ଦେଉନାହିଁ ।ଠିକ୍ କୁ ଠିକ୍ କହିଲେ ସେ କଣ ଓଡ଼ିଆ ହେବ ନାହିଁ । ଏହା ତାଙ୍କ ଅହଙ୍କାର ଏବଂ ଓଡ଼ିଶା ବିରୋଧୀ ମାନସିକତାକୁ ଦର୍ଶାଉଛି। ଓଡିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା କାରଣରୁ ଆମର ଶାନ୍ତିପ୍ରିୟ ଲୋକମାନଙ୍କୁ ଏଥିପାଇଁ ବହୁତ କିଛି କ୍ଷତି ସହିବାକୁ ପଡୁଛି । ଲୋକମାନେ ସବୁ ଦେଖୁଛନ୍ତି ଏବଂ ସଠିକ୍ ସମୟରେ ଏହାର ଉଚିତ୍ ଜବାବ୍ ଦେବେ । ସସ୍ମିତ ପାତ୍ର ଆଇନଶୃଙ୍ଖଳା ଓ ଅପରାଧକୁ ବୁଝୁଛନ୍ତି କି ? ଜନସାଧାରଣଙ୍କ ସୁରକ୍ଷା ଏବଂ ନିରାପତ୍ତା ସରକାରର ପ୍ରମୁଖ ଦାୟିତ୍ୱ । ମାତ୍ର ଓଡ଼ିଶା ସରକାର ଜନସାଧାରଣଙ୍କ ଜୀବନ ଏବଂ ଅଧିକାରକୁ ସୁରକ୍ଷିତ ରଖିବାରେ ବିଫଳ ।
ସୁରଜ ଆହୁରି କହିଛନ୍ତି ଯେ, ମନ୍ତ୍ରୀ ନବଦାସଙ୍କ ହତ୍ୟାର ଦୁଇ ମାସ ପରେ ମଧ୍ୟ ହତ୍ୟାର କାରଣ ଜଣାପଡିଲା ନାହିଁ । ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବନ୍ଦ ସାହୁଙ୍କ ଜେଲରେ ସନ୍ଦେହଜନକ ମୃତ୍ୟୁ ହେଲା । ମହାଙ୍ଗା ଡବଲ ମର୍ଡର, ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ, ବରିରେ ଜେଇଙ୍କୁ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଓ ତାଙ୍କ ସମର୍ଥକଙ୍କ ଆକ୍ରମଣ ହୋଇଛି । ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଏକ ଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ଅଛି । ଓଡ଼ିଶାରେ ଅପରାଧିକ ହାର ୨୦୨୨ରେ ୧୪.୬୫ ପ୍ରତିଶତ ବଢିଛି । ଶିଶୁ ଓ ନାରୀ ନିର୍ଯ୍ୟାତନାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପ୍ରଥମରେ ରହିଛି । ଏହା ସସ୍ମିତ ଦାସଙ୍କ ପାଇଁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନୁହେଁ କି ? ଓଡ଼ିଶା ସରକାରଙ୍କ ଅଧୀନରେ ଥିବା କ୍ରାଇମବ୍ରାଞ୍ଚ ଗତ ୧୦ ବର୍ଷରେ ୨୨୫ ମାମଲାରୁ ମାତ୍ର ୧୦ଟି ମାମଲା ସମାଧାନ କରିଛି । ଆଇପିସି ଅଧୀନରେ ୬.୯୫ଲକ୍ଷ ମାମଲା ବିଚାରଧୀନ ଅଛି । ରାଜ୍ୟରେ ଡ୍ରଗ କେସ ଓ ସାଇବର କ୍ରାଇମ ବଢିବା ସଂଖ୍ୟା ବଢିବା କାରଣରୁ ଯୁବସାଥୀମାନେ ମାନସିକ ଚିନ୍ତାଗ୍ରସ୍ତ । ଏହା ଲ ଲେସନେସ ନୁହେଁ କି ? ସସ୍ମିତ ପାତ୍ର ଅସମ୍ବେଦନଶୀଳ ହୋଇ ଓଡ଼ିଶାବାସୀଙ୍କୁ ଅପମାନିତ କରୁଛନ୍ତି ବୋଲି ସୂର୍ଯ୍ୟବଂଶୀ ଟ୍ୱିଟ୍ କରି ଜୋରଦାର ଜବାବ୍ ରଖିଛନ୍ତି ।
ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ସୂର୍ଯ୍ୟବଂଶୀଙ୍କ ଏହି ଟ୍ୱିଟ୍ ପରେ ବିଜେଡି ଓ ସସ୍ମିତ ପାତ୍ରଙ୍କ ପକ୍ଷରୁ କ’ଣ ପ୍ରତିକ୍ରିୟା ରଖାଯାଉଛି।