ବଢ଼ୁଛି ବିଜେଡ଼ିର ଦାଗୀ ମନ୍ତ୍ରୀଙ୍କ ତାଲିକା, ପଞ୍ଚାୟତ ନିର୍ବାଚନରେ ପଡ଼ିପାରେ ପ୍ରଭାବ

ଭୁବନେଶ୍ୱର: ରାଜ୍ୟରେ ଶାସକ ଦଳର ମନ୍ତ୍ରୀଙ୍କ ମଧ୍ୟରୁ ଅଧିକାଂଶ ମନ୍ତ୍ରୀ ହେଉଛନ୍ତି ଦାଗୀ । ବିଭିନ୍ନ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଦୀର୍ଘଦିନର ଶାସନ ହୋଇଥିବାରୁ ଶାସକ ବିଜେଡିରେ ନେତାଙ୍କ ଗୁଣ୍ଡାଗିରି ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଏକଥା ଏବେ ସବୁଠି ଅଭିଯୋଗର ପରିସର ଭିତରକୁ ଆସିଛି । ସାଧାରଣ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସଜ ସଜ ଘଟିଥିବା ଘଟଣା ମଧ୍ୟରେ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଆଗରେ ଆସୁଛନ୍ତି । ଆଜି ଦିନ ତମାମ ମନ୍ତ୍ରୀଙ୍କୁ ନେଇ ବଡ଼ ବଡ଼ ଗଣମାଧ୍ୟମର ସେ ପାଲଟିଛନ୍ତି ହେଡଲାଇନ୍ । ମମିତା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୋଲଉଥିବା ଗୋବିନ୍ଦ ସାହୁ ସହ ମନ୍ତ୍ରୀଙ୍କ ସମ୍ପର୍କକୁ ନେଇ ସବୁଠି ଚର୍ଚ୍ଚା । ଏପରିକି ଲୋକେ ତାଙ୍କୁ ଦାଗୀର ଆଖ୍ୟା ମଧ୍ୟ ଦେବା ଆରମ୍ଭ କରିଦେଲେଣି ।

ଦ୍ୱିତୀୟରେ ଯଦି କହିବା, ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରହିବେ । କାହିଁକି ନାଁ ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ଉପରକୁ ମଧ୍ୟ ବିରୋଧୀମାନେ ଅଙ୍ଗୁଳି ଉଠାଇଥିଲେ । ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ମନ୍ତ୍ରୀ ସୁରକ୍ଷା ଦେଉଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହୋଇଥିଲା । କିନ୍ତୁ ଶେଷରେ ସେମିତି କିଛି ପ୍ରମାଣ ହୋଇନଥିଲା । କି ମନ୍ତ୍ରୀଙ୍କ ସମ୍ପୃକ୍ତି ବିଷୟରେ କୌଣସି ପ୍ରମାଣ ମିଳିନଥିଲା । ତଥାପି ଏତେବଡ଼ ସମ୍ବେଦିନଶୀଳ ଘଟଣାରେ ମନ୍ତ୍ରୀଙ୍କ ନାଁ ଚର୍ଚ୍ଚାର ପରିଧି ଭିତରକୁ ଆସିଥିଲା ।

ଏହାପରେ ଆମେ କହିବା ମାହାଙ୍ଗା ଡବଲ ମର୍ଡର ଘଟଣା କଥା । ପଞ୍ଚାୟତିରାଜ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ଏହି ମର୍ଡର ହୋଇଥିବା ନେଇ ବିରୋଧୀମାନେ ତାଙ୍କୁ ଘେରିଥିଲେ । ଏପରିକି ଅନେକ ତଥ୍ୟ ପ୍ରମାଣ ଦେବା ସହ ବାରମ୍ବାର ତାଙ୍କୁ ଟାର୍ଗେଟ କରି ଆକ୍ଷେପ କରିଥିଲେ ବିରୋଧୀ । କିନ୍ତୁ କ୍ଷମତା ଆଗରେ ସବୁକିଛି ଲୁଚି ଗଲା ବୋଲି ଆଜି ବି ଲୋକେ ଟୁପୁରୁ ଟାପୁରୁ ହେଉଛନ୍ତି ।

ତେବେ ଏମିତି ଯଦି ଉଦାହରଣ ଦେବା ତାହେଲେ ମନ୍ତ୍ରୀଙ୍କ ଏକ ଲମ୍ବା ଚିଠା ବାହାରିବ । ଶେଷରେ ଆଉ ଜଣେ ମନ୍ତ୍ରୀଙ୍କ କଥା କହିବା । ସେ ହେଉଛନ୍ତି ପାୱାରଫୁଲ ମନ୍ତ୍ରୀ ଅରୁଣ ସାହୁ । ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ବିଭିନ୍ନ ମହଲରେ କଥା ଉଠିଥିଲା । ବାବୁଲି ନାୟକ ମନ୍ତ୍ରୀଙ୍କ ଅତି ଘନିଷ୍ଠ ବୋଲି କୁହାଯାଉଛି । ଏପରିକି ମନ୍ତ୍ରୀଙ୍କ ବିରୋଧରେ ପ୍ରତିବାଦ ଉଠାଇଥିବା ଲକ୍ଷ୍ମୀପୁର ସରପଞ୍ଚ ସୌମ୍ୟରଞ୍ଜନଙ୍କୁ ଶେଷରେ ଅନାସ୍ତା ପ୍ରସ୍ତାବରେ ବାହାର କରାଯାଇଛି । ତେବେ ଏହି ଘଟଣାରେ ମନ୍ତ୍ରୀଙ୍କ କେତେ ସମ୍ପୃକ୍ତି ରହିଥିଲା ତାହା ଜନସାଧାରଣ ବେଶ ଭଲ ଭାବରେ ଜାଣିଛନ୍ତି । ତଥାପି ଏହି ଘଟଣା କିଛିଦିନର ଚର୍ଚ୍ଚା ପରେ ପୁଣିଥରେ ବନ୍ଦ ହୋଇଯାଇଥିଲା । ଆଉ ବିଚରା ଅଭିଯୁକ୍ତ କୁହାଯାଉଥିବା ସରେଜ ସେଠୀକୁ ମିଛରେ ଜେଲ ପଠାଯାଇଥିବା ଆଜି ମଧ୍ୟ ପରୀର ବାପା ମା ଅଭିଯୋଗ କରିଆସୁଛନ୍ତିା ।

ସୋସିଆଲ ମିଡିଆ ଏବଂ ଖଟିରେ ଏବେ ବି ଅନେକ ମନ୍ତ୍ରୀଙ୍କ କଥାକୁ ନେଇ ଚର୍ଚ୍ଚା ହେଉଛି । ବିଭିନ୍ନ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିଲେ ସୁଦ୍ଧା ନିସ୍କର୍ଷରେ କିଛିନାହିଁ । ତେବେ ଦିନକୁ ଦିନ ଅରାଜକ ବଢ଼ୁଥିବାରୁ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ବୋଲି ବିରୋଧୀମାନେ ଅଭିଯୋଗ କରୁଛନ୍ତି ।

Related Posts