ମହିଳାଙ୍କ ଆବେଗକୁ ସମ୍ମାନ ଦିଅନ୍ତୁ ମୁଖ୍ୟମନ୍ତ୍ରୀ : ସୌମ୍ୟ

ସତ୍ୟପାଠ ବ୍ୟୁରୋ : ରାଜ୍ୟରେ ମଦ ବିକ୍ରି ବନ୍ଦ କରିବା ପାଇଁ ପ୍ରଥମ ଥର ପାଇଁ ଶାସକ ଦଳର ସଦସ୍ୟ ମୁହଁ ଖୋଲିଛନ୍ତି । ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ଆଜ ପ୍ରଶ୍ନକାଳରେ ଭାଗ ନେଇ ସରକାର ମଦ ବିକ୍ରି ବନ୍ଦ କରିପାରିବେ କି ବୋଲି ପଚାରିଛନ୍ତି । ମହିଳାଙ୍କ ଆବେଗକୁ ଦୃଷ୍ଟିରେ ରଖି ସରକାର ନିଷ୍ପତି ନିଅନ୍ତୁ ବୋଲି କହିଛନ୍ତି ସୌମ୍ୟ । ତେବେ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ଶାସକ ଦଳର ସଦସ୍ୟ ସାବଧାନ କରାଇବା ବୋଧହୁଏ ଓଡିଶା ରାଜନୀତିରେ ବିରଳ ଘଟଣା ।

ସୌମ୍ୟ କହିଛନ୍ତି, ଏହା ଏକ ସ୍ପର୍ଷକାତର ପ୍ରଶ୍ନ । ମଦ ବିକିଲେ ଆମର ଲାଭ କେତେ ହେଉଛି ଓ କ୍ଷତି କେତେ ହେଉଛି, ଏଥି ପାଇଁ ଏକ ଅନାସକ୍ତ ସମୀକ୍ଷା ହେବା ଦରକାର । ହୁଏତ ମଦ ବିକ୍ରି ବନ୍ଦ ହେଲେ ରାଜସ୍ୱ ମିଳିବନି କିନ୍ତୁ ଚୋରା ମଦ କାରବାର ବଢ଼ିଯାଇପାରେ । ଯଦି ଚୋରାମଦ କାରବାରକୁ ରୋକା ଯାଇ ନପାରିଲା ତେବେ ପରିସ୍ଥିତି ଆହୁରି ସଂଗୀନ ହୋଇଯିବ । ସରକାର ରାଜସ୍ୱ ବି ହରାଇବେ, ଲୋକେ ଅଧିକ କ୍ଷତିରେ ପଡିବେ । ତେଣୁ ମଦକୁ ଯଦି ସଂପୂର୍ଣ୍ଣ ବନ୍ଦ କରାଯାଇ ପାରିବନି ତେବେ ତାହାର ନିୟନ୍ତ୍ରଣ ରହିବା ବି ଏକ ବିକଳ୍ପ ହୋଇପାରେ ।

ସୌମ୍ୟ ଆହୁରି ମଧ୍ୟ କହିଛନ୍ତି, ମଦକୁ ସଂପୂର୍ଣ୍ଣ ବନ୍ଦ କରାଯାଇପାରିବ । ଅନେକ ରାଜ୍ୟ ପୂର୍ବରୁ ଏହା କରିକି ଦେଖାଇଛନ୍ତି । କଷ୍ଟ ଅଫ୍ ବେନିଫିଟ୍ ଦୃଷ୍ଟିରୁ ଆନାଲିସିସ୍ କରାଗଲେ ଲାଭ କ୍ଷତି ଜଣାପଡିବ । ମଦ ବିକ୍ରି ବନ୍ଦ କରିବାରେ ସଫଳ ହୋଇଥିବା ରାଜ୍ୟମାନଙ୍କ ସହ ଆଲୋଚନା କଲେ ସୁଫଳ ମିଳିପାରେ ବୋଲି କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ । କଥା ଛଳରେ ସେ କହିଛନ୍ତି, ୮୦ ଭାଗ ମହିଳା ମଦ ବିକ୍ରିର ବିପକ୍ଷରେ । ଯେତେବେଳେ ଆମେ ନିଜକୁ ଜନହିତକାରୀ ସରକାର ବୋଲି କହୁଛୁ, ସେତେବେଳେ ଉଭୟ ରାଜ୍ୟର ସ୍ୱାର୍ଥ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ଦେଖିବା ଆମର ଦାୟିତ୍ୱ । ତେଣୁ ମୋ ଦଳର ନେତାଙ୍କୁ ଆହ୍ୱାନ କରୁଛି, ଆମେ ମହିଳାଙ୍କ ସମ୍ମାନ ଓ ଆବେଗ ପ୍ରତି ଯତ୍ନବାନ ହୋଇ ନିଷ୍ପତି ନେବା ।

କହିବା ବାହୁଲ୍ୟ, ଖଣ୍ଡପଡା ମହିଳା ଜାଗରଣ ଯାତ୍ରା ନଭେମ୍ବର ୨୦୧୮ରେ ଯୋଗଦେଇ ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ ସୌମ୍ୟ । ନିଜ ବ୍ଲକ ଖଣ୍ଡପଡାକୁ ନିଶାମୁକ୍ତ ବ୍ଲକ ଭାବେ ଗଢ଼ି ତୋଳିବାକୁ ବି ସେ ପ୍ରୟାସ ଆରମ୍ଭ କରିଛନ୍ତି । ତେଣୁ ସେ ଦୃଷ୍ଟିରୁ ମଦ ବିକ୍ରିକୁ ବିରୋଧ କରିଛନ୍ତି ସେ । ବଡକଥା ହେଉଛି, ଗୋଟିଏ ପଟେ ଜଣେ ବିଜେଡି ବିଧାୟକଙ୍କ ନେତୃତ୍ୱରେ ଅବକାରୀ ଷ୍ଟାଂଡି କମିଟି ଟାର୍ଗେଟରୁ ଅଧିକ ମଦ ବିକିଲେ ଦୋକାନୀକୁ ପୁରସ୍କୃତ କରିବାକୁ ପ୍ରସ୍ତାବ ଦେଉଛନ୍ତି ଆଉ ଅନ୍ୟପଟେ ସେହି ଶାସକ ବିଜେଡିର ଜଣେ ବିଧାୟକ ମଦ ବିକ୍ରି ବନ୍ଦ କରିବାକୁ ପରାମର୍ଶ ଦେଉଛନ୍ତି । ତେବେ ସରକାର ରାଜସ୍ୱ ଚାହୁଁଛନ୍ତି ନା ରାଜ୍ୟବାସୀଙ୍କୁ ଚାହୁଁଛନ୍ତି ତାହା ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ହିଁ କହିପାରେ…

Related Posts