ଗୃହରେ ଉଠିଲା ନାବାଳିକା ନିର୍ଯ୍ୟାତନା ପ୍ରସଙ୍ଗ

ସତ୍ୟପାଠ ବ୍ୟୁରୋ : ରାଜ୍ୟରେ ନାବାଳିକା ଦୁଷ୍କର୍ମ ଓ ତାଙ୍କ ଉପରେ ବଢ଼ୁଥିବା ନିର୍ଯ୍ୟାତନା ନେଇ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଘେରିଛନ୍ତି ସରକାରଙ୍କୁ । ଦୁଇ ଦଳର ସଦସ୍ୟ ଗୃହରେ ହଙ୍ଗାମା କରିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

ଶୂନ୍ୟକାଳରେ ନାବାଳିକା ଅପହରଣ, ଦୁଷ୍କର୍ମ ଓ ସେମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ପ୍ରସଙ୍ଗରେ ବର୍ଷିଛନ୍ତି ବିରୋଧୀ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ଚଳିତବର୍ଷ ଆରମ୍ଭରୁ ରାଜ୍ୟରେ ୫୦୨ ନାବାଳିକା ନିଖୋଜ ହେଲେଣି । ଏହାପଛରେ ଏକ ବଡ ରାକେଟ କାମ କରୁଛି । ଏହାକୁ ରୋକିବାରେ ସରକାର କି ପଦକ୍ଷେପ ନେଇଛନ୍ତି ? ଶିଶୁମାନଙ୍କୁ କିଏ ଚୋରୀ କରୁଛି ? କୁଆଡେ ଓ କାହିଁକି ନେଉଛି ? ସେମାନଙ୍କୁ ନେଇ ଦେହ ବ୍ୟବସାୟରେ ଲଗାଯାଉଛି ନା ସେମାନଙ୍କ ଅଙ୍ଗ କାରବାର ହେଉଛି ବୋଲି ପଚାରି ସରକାରଙ୍କୁ ପ୍ରଶ୍ନବାଣ କରିଥିଲେ ବିରୋଧୀ ଦଳ ନେତା ।

ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକ ସନ୍ତୋଷ ସିଂ ସାଲୁଜା ବି ସମାନ ପ୍ରସଙ୍ଗ ଉଠାଇଥିଲେ । ନରସିଂହ କହିଥିଲେ, ୨୦୧୯ର ପ୍ରଥମ ୬ ମାସରେ ୧୫ଶହ ନାବାଳିକା ଦୁଷ୍କର୍ମର ଶୀକାର ହୋଇଥିବା ମାମଲା ରୁଜୁ ହୋଇଛି । ସେମାନଙ୍କ ଭିତରୁ ୧୦୦୫ ଜଣଙ୍କୁ ବଳାକ୍ରାର କରାଯାଇଛି । ତାହାହେଲେ ଆଇନଶୃଙ୍ଖଳା କେଉଁ ଆଡକୁ ଯାଉଛି ।

ଗୃହର ମଧ୍ୟ ଭାଗକୁ ଆସି ହୋ-ହାଲ୍ଲା ଓ ହଙ୍ଗାମା କରୁଥିବା ବେଳେ ବାଚସ୍ପତି ଗୃହକୁ ମୂଲତବୀ ରଖିଥିଲେ ।

Related Posts