ଲକ୍ଷ୍ୟ ଠାରୁ ଢ଼େର ପଛରେ ଆଳୁ ମିଶନ

ସତ୍ୟପାଠ ବ୍ୟୁରୋ : ପଛରେ ପଡିଛି ଆଳୁ ମିଶନ । ଯେଉଁ ଆଳୁ ମିଶନକୁ ନେଇ ବର୍ତ୍ତମାନର ମନ୍ତ୍ରୀ ନିରଂଜନ ପୂଜାରୀ ଓ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ କଥା କଟାକଟି ହୋଇଥିଲେ ସେହି ମିଶନ ତାର ଲକ୍ଷ୍ୟ ଠାରୁ ଢ଼େର ପଛରେ । ସରକାରୀ ତଥ୍ୟ ଏହାର ଖୁଲାସା କରି ଦେଇଛି ।

ରାଜ୍ୟ ସରକାର ଆଳୁ ମିଶନ ଆରମ୍ଭ କରିବାପରେ ୨୦୧୭-୧୮ ବର୍ଷ ସୁଦ୍ଧା ଓଡିଶାକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବି କରିବେ ବୋଲି ଲକ୍ଷ୍ୟ ରଖିଥିଲେ ।

ରାଜ୍ୟ ପାଇଁ ବାର୍ଷିକ ୧୨ଲକ୍ଷ ଟନ୍‍ରୁ ଅଧିକ ଆଳୁ ଆବଶ୍ୟକ ପଡୁଥିବାବେଳେ ମିଶନ ମାଧ୍ୟମରେ ବ୍ୟାପକ ଅର୍ଥ ଖର୍ଚ୍ଚକରି ଓଡିଶାକୁ ଏ କ୍ଷେତ୍ରରେ ବଳକା ରାଜ୍ୟରେ ପରିଣତ କରିବାପାଇଁ ପରିକଳ୍ପନା ଥିଲା । ଆଳୁ ମିଶନର ସରକାରୀ ଲକ୍ଷ୍ୟ ଅନୁଯାୟୀ ୨୦୧୪-୧୫ ବର୍ଷରେ ୧୬ହଜାର ହେକ୍ଟର ଜମିରେ ୨,୭୪,୫୦୦ ମେଟ୍ରିକ ଟନ୍‍ ଆଳୁ ଫଳାଇବାର ଲକ୍ଷ୍ୟ ଥିଲା ।

୨୦୧୫-୧୬ ବର୍ଷରେ ୩୦ହଜାର ହେକ୍ଟର ଜମିରେ ଆଳୁଚାଷ କରି ୫ଲକ୍ଷ ୨୮ହଜାର ମେଟ୍ରିକ ଟନ୍‍ ଓ ୨୦୧୬-୧୭ ରେ ୪୫ହଜାର ହେକ୍ଟର ଜମିରେ ଆଳୁଚାଷ କରି ୮,୦୯,୭୫୦ ମେଟ୍ରିକ ଟନ୍‍ ଆଳୁ ଫଳାଇବାର ଲକ୍ଷ୍ୟଥିଲା । ୨୦୧୭-୧୮ ବର୍ଷରେ ଆଳୁ ମିଶନ ମାଧ୍ୟମରେ ରେକର୍ଡ ପରିମାଣର ୬୦ହଜାର ହେକ୍ଟର ଜମିରେ ଆଳୁଚାଷ କରାଇ ଓଡିଶାରେ ଆଳୁ ଉତ୍ପାଦନ ପରିମାଣ ୧୧ଲକ୍ଷ ୧୨ହଜାର ମେଟ୍ରିକ ଟନ୍‍କୁ ଟପାଇବାପାଇଁ ସରକାର ଯୋଜନା ରଖିଥିଲେ ।

ତେବେ ସରକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ତଥ୍ୟ ଆଧାରରେ ରାଜ୍ୟ ସରକାର ତାଙ୍କ ଆର୍ଥିକ ସର୍ଭେ ରିପୋର୍ଟରେ ଆଳୁ ଉତ୍ପାଦନର ଯେଉଁ ତଥ୍ୟ ରଖିଛନ୍ତି ତାହା ଧାର୍ଯ୍ୟଲକ୍ଷ୍ୟ ଠାରୁ ଢେର କମ୍‍ । ମିଶନ ଆରମ୍ଭ ପୂର୍ବରୁ ୨୦୧୨-୧୩ ବର୍ଷରେ ଓଡିଶାରେ ପ୍ରାୟ ୧୪ହଜାର ହେକ୍ଟର ଜମିରେ ୨ଲକ୍ଷ ମେଟ୍ରିକ ଟନ୍‍ ଓ ୨୦୧୩-୧୪ବର୍ଷରେ ଅଢେଇ ଲକ୍ଷ ମେଟ୍ରିକ ଟନ୍‍ ଆଳୁ ଫଳିଥିବାବେଳେ ୨୦୧୪-୧୫ରେ ୧୪ହଜାର ହେକ୍ଟର ଜମିରେ ୨ଲକ୍ଷ ଟନ୍‍ ଆଳୁ ଉତ୍ପାଦିତ ହୋଇଥିଲା ।

ଏହି ସରକାରୀ ତଥ୍ୟ ମୁତାବକ ୨୦୧୫-୧୬ ବର୍ଷରେ ୩୦ହଜାର ହେକ୍ଟର ପରିବର୍ତ୍ତେ ୧୬ହଜାର ହେକ୍ଟର ଜମିରେ ଆଳୁଚାଷ କରାଯାଇ ଧାର୍ଯ୍ୟଲକ୍ଷ୍ୟ ୫ଲକ୍ଷ ୨୮ହଜାର ମେଟ୍ରିକ ଟନ୍‍ ସ୍ଥଳେ ମାତ୍ର ୨ଲକ୍ଷ ୭୪ହଜାର ଟନ୍‍ ଫଳାଯାଇଥିଲା ।୨୦୧୬-୧୭ ବର୍ଷରେ ୩ଲକ୍ଷ ୨ହଜାର ଟନ୍‍ ଆଳୁ ଫଳିଥିବାବେଳେ ୨୦୧୭-୧୮ ବର୍ଷରେ ଏହି ପରିମାଣ ୨ଲକ୍ଷ୯୮ହଜାର ଟନ୍‍ରେ ରହିଛି ।

ଏଠାରେ ଉଲ୍ଲେଖନୀୟ ଯେ ଆଳୁ ମିଶନ ମାଧ୍ୟମରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଆଳୁ ଚାଷୀଙ୍କୁ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ଥିଲା । ଏହି ଅନୁଯାୟୀ ୨୦୧୫-୧୬ ବର୍ଷରେ ହେକ୍ଟର ପିଛା ଚାଷୀଙ୍କୁ ୩୦ହଜାର ଟଙ୍କାର ପ୍ରୋତ୍ସାହନରାଶି ସରକାର ଯୋଗାଇ ଦେଇଛନ୍ତି ବୋଲି କହୁଥିବାବେଳେ ୨୦୧୬-୧୭ରେ ହେକ୍ଟର ପିଛି ୨୦ହଜାର ଟଙ୍କା ଓ ୨୦୧୭-୧୮ରେ ହେକ୍ଟର ପିଛା ୧୫ହଜାର ଟଙ୍କାର ସହାୟତା ଯୋଗାଇବାକୁ ବ୍ୟବସ୍ଥା ଥିଲା । ଏହି ସରକାରୀ ତଥ୍ୟରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଆଳୁ ମିଶନର ଶେଷ ବର୍ଷରେ ଯେତେ ଆଳୁ ଫଳାଇବାର ଲକ୍ଷ୍ୟ ଥିଲା ତାହାର ଏକ ଚତୁର୍ଥାଂଶ ବି ଫଳିପାରିଲା ନାହିଁ ।

Related Posts