ଦିଦିଙ୍କୁ ବିଜେଡିର ସମର୍ଥନ: ଲୋକସଭାରେ ସିବିଆଇକୁ ଟାର୍ଗେଟ୍‌ କଲେ ଭର୍ତ୍ତୃହରି

ସିବିଆଇ ବିରୋଧରେ ସୋମବାରଠାରୁ କୋଲକାତାରେ ଧାରଣାରେ ବସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ ଦେଇଛି ବିଜୁ ଜନତା ଦଳ । ବିଜେଡି ପକ୍ଷରୁ କୁହାଯାଇଛି, ‘ସର୍ବୋଚ୍ଚ ସଂସ୍ଥାଗୁଡ଼ିକର ଅଖଣ୍ଡତା ବଜାୟ ରହୁ । ସବୁ ସ୍ଥାନରେ ବୃତ୍ତିଗତ ସ୍ୱାଧୀନତା ରହିବା ଦରକାର । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆଉ ଏବେ ସାଧାରଣ ନିର୍ବାଚନ ପୂର୍ବରୁ ସିବିଆଇର ହଠାତ୍‌ କାର୍ଯ୍ୟାନୁଷ୍ଠାନ ଅଣପେସାଦାର ମନୋଭାବକୁ ଦର୍ଶାଉଛି ।’

ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ସିବିଆଇ ଉପରେ ବର୍ଷିଛନ୍ତି । କହିଛନ୍ତି, ସୋମବାର ସିବିଆଇ ଯେଉଁଭଳି ଭାବେ କୋଲକାତା ପୁଲିସ କମିସନରଙ୍କ ଘରକୁ ପଶିବାକୁ ଉଦ୍ୟମ କଲା, ତାହା ଠିକ୍‌ ନୁହେଁ । ସିବିଆଇ ଏକ ରାଜନୈତିକ ଅସ୍ତ୍ର ପାଲଟି ଯାଇଛି । ରାଜନୈତିକ ପ୍ରତିଶୋଧ ଲାଗି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରାଯାଉଛି ।

ଯେଉଁ ଲୋକମାନେ ଦୁର୍ନୀତିରେ ଅଛନ୍ତି ସେମାନଙ୍କୁ ସିବିଆଇ ଧରୁ, କିନ୍ତୁ ନିର୍ଦ୍ଦୋଷଙ୍କୁ ନୁହେଁ । କିଛି ମାସ ପୂର୍ବରୁ ସିବିଆଇ ଜଣେ ହାଇକୋର୍ଟ ବିଚାରପତିଙ୍କ ଘରେ ପଶି ଯାଇଥିଲା । ଓଡ଼ିଶାରେ ସିବିଆଇ ରାଜନୈତିକ ଅସ୍ତ୍ର ପାଲଟି ବିଜୁ ଜନତା ଦଳର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ସାଂସଦ ଭର୍ତ୍ତୃହରି ମହତାବ ଅଭିଯୋଗ କରିଛନ୍ତି ।

ରୋଜଭ୍ୟାଲି ଓ ସାରଦା ଚିଟଫଣ୍ଡ ମାମଲାରେ ଗତକାଲି କୋଲକାତା ପୋଲିସ କମିସନରଙ୍କୁ ପଚରାଉଚରା ଲାଗି ତାଙ୍କ ଘରେ ସିବିଆଇ ପଶିବାକୁ ନେଇ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଛି ଅପ୍ରୀତିକର ପରିସ୍ଥିତି । କୋଲକାତା ପୋଲିସ ସିବିଆଇ ଅଧିକାରୀଙ୍କୁ ଅଟକାଇବା ସହ ଥାନାକୁ ଧରି ନେଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚିବା ସହ ସୋମବାର ସଂଧ୍ୟାରୁ ଧାରଣାରେ ବି ବସିଛନ୍ତି ।

ସେପଟେ ସଂସଦରେ ପଶ୍ଚିମବଙ୍ଗ ପ୍ରସଙ୍ଗରେ ହଙ୍ଗାମା ହୋଇଛି । ସିବିଆଇ ବନାମ ମମତା ବାନାର୍ଜୀ ମାମଲାରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଲୋକସଭାରେ ପ୍ରଶ୍ନକାଳ ସମୟରେ ସିବିଆଇ ବିରୋଧରେ ବିରୋଧୀ ନାରା ଦେଇଛନ୍ତି । ସେପଟେ ରାଜ୍ୟସଭାରେ ଏହି ପ୍ରସଙ୍ଗରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ସିବିଆଇର କାର୍ଯ୍ୟକୁ ବିରୋଧ କରି ମମତାଙ୍କ ଧାରଣାକୁ ପ୍ରାୟ ସବୁ ବିରୋଧୀ ଦଳ ସମର୍ଥନ କରିଛନ୍ତି ।

Related Posts