(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ବିଜେଡି ଟାର୍ଗେଟ୍ରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ‘ଯେଉଁ ପୁରୁଷ ରୋଷେଇ ଜାଣିନାହାନ୍ତି ତାଙ୍କୁ ବାହା ହୁଅନି’ ମନ୍ତବ୍ୟ ହାସ୍ୟାସ୍ପଦ । ଏଭଳି ମନ୍ତବ୍ୟ ଦେବା ପୂର୍ବରୁ ଅଧିକ ରିସର୍ଚ୍ଚ ଦରକାର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି । ଏଭଳି ମେସେଜ ଲୋକ ପାଖକୁ ଗଲେ ଭଲ ନୁହେଁ । ତେଣୁ ଏହାକୁ ପ୍ରତ୍ୟାହାର କରିବା ଆବଶ୍ୟକ । ମହିଳା ହିଂସା ରୋକିବାକୁ ସରକାର ପଦକ୍ଷେପ ନେଉଥିବା ବେଳେ କମିସନରେଟ ପୋଲିସର ଏଭଳି ନିଷ୍ପତି ସାମଞ୍ଜସ୍ୟ ସୃଷ୍ଟି କରିବ ବୋଲି ରୋକ ଠୋକ ଲେଲିନ ଶୁଣାଇବା ପରେ ଜଳି ଯାଇଛି ସିପିଙ୍କ ତରକାରୀ ।
ଯିଏ ରୋଷେଇ ଜାଣିନି ତାକୁ ବାହା ହୁଅନି… ରୋଷେଇ ଆସୁନଥିବା, ରୋଷେଇ ଜାଣିନଥିବା କଥା କହୁଥିବା ପୁଅଙ୍କୁ ବାହା ନହେବାକୁ ଝିଅମାନଙ୍କୁ ସିଧାସିଧା ମନା କରିଥିଲେ ସିପି । ବିଦେଶୀ ଢାଞ୍ଚାର ଉଦାହରଣ ଦେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଥିଲେ କି ଯଦି ବିଦେଶରେ ଜଣେ ସ୍ୱାବଲମ୍ବୀ ମହିଳା ଚାକିରି କରି ପରିବାର ପୋଷୁଛି ଆଉ ଠିକ ସେତିକି ବେଳେ ଘରେ ଥିବା ତାଙ୍କ ସ୍ୱାମୀ ରୋଷେଇ କରି ପରିବାରକୁ ଖାଇବାକୁ ଦେଇ ପାରୁଛି । ତାହାଲେ ଆମ ସମାଜରେ କଣ ପାଇଁ ଗ୍ରହଣୀୟ ନୁହେଁ ।
ପୁରୁଷଙ୍କ ପ୍ରକୃତି କଣ ସବୁବେଳେ ଖାଇବାର ଖୁଣ ବାହାର କରିବା । ଲୁଣ ହେଲାନି, ଭାତ ପେଜୁଆ ହେଲା, ରୁଟି ପୋଡି ଯାଇଛି ଏମିତି ଅନେକ କିଛି କଥା କହି ସ୍ତ୍ରୀର ଖୁଣ ବାହାର କରନ୍ତି । ନିଜ ହାତରେ ତ ଖଡା ସିଝିବନି ତେବେ କଣ ପାଇଁ ଆମେ ମହିଳାଙ୍କୁ ଦୋଷ ଦେବା । ପୁରୁଷମାନେ ରାନ୍ଧି ଜାଣନ୍ତୁ ତାହାଲେ ଯାଇ କଷ୍ଟ କଣ ଜାଣିବେ । ତେଣୁ ଯେଉଁ ପୁଅ ରାନ୍ଧି ଶିଖିନି କହୁଛି ତାକୁ ଝିଅମାନେ ସିଧା ବାହା ହେବାକୁ ମନା କରନ୍ତୁ ବୋଲି ସୁଧାଂଶୁ ଷଡ଼ଙ୍ଗୀ ଗତକାଲି କହିଥିଲେ ।