
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ପାଇଁ ଗତକାଲି ଶେଷ ହୋଇଛି ଭୋଟିଂ। ଇଭିଏମ୍ ରେ ସିଲ୍ ହୋଇଛି ପ୍ରାର୍ଥୀ ମାନଙ୍କ ଭାଗ୍ୟ। ତେବେ ଆସନ୍ତା ରବିବାର ଇଭିଏମ୍ ଖୋଲିବ ଓ ଭୋଟ ଗଣତି ହେବ। ହେଲେ ଏବେଠୁ ଜିତିବା ହାରିବା ନେଇ ନେଇ ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ବିତର୍କ । କିଏ ଧାମନଗର ବାଜି ଜିତିବ, ଆଉ କିଏ ହାରିବ ଏନେଇ ନିଜ ନିଜର ମନ୍ତବ୍ୟ ରଖିବାରେ ସମସ୍ତେ ବ୍ୟସ୍ତ । ସମସ୍ତେ ନିଜ ନିଜ ପ୍ରାର୍ଥୀ ଜିତିବା ନେଇ ଦମ୍ଭୋକ୍ତି ଦେଖାଉଛନ୍ତି।
ଏସବୁ ଭିତରେ ଧାମନଗର ଉପନିର୍ବାଚନର ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଜେଡି ଏହି ନିର୍ବାଚନ ଜିତିବା ନେଇ ସେ ଦମ୍ଭୋକ୍ତି ଦେଖାଇଛନ୍ତି। ସେ କହିଛନ୍ତି ଯେ, ଆମର ରେଜଲ୍ଟ ଭଲ ହେବ, ଆମ ପ୍ରାର୍ଥୀ ଅବନ୍ତୀ ଦାସ ବହୁ ଭୋଟରେ ଜିତିବେ। ମହିଳା , ଯୁବକ ଓ ଛାତ୍ରଙ୍କ ଭୋଟ ସବୁ ବିଜେଡି ଖାତାକୁ ଆସିଛି । ଆମେ ନିଶ୍ଚିତ ଭାବରେ ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବୁ ବୋଲି ପ୍ରମିଳା କହିଛନ୍ତି।
ଏହା ସହିତ ବିଜେଡିରେ ବିଦ୍ରୋହ ପରେ ସ୍ବାଧୀନ ପ୍ରାର୍ଥୀ ଦଳକୁ କ୍ଷତି ପହଞ୍ଚାଇବେ କି ? ପ୍ରଶ୍ନର ଉତ୍ତରରେ ପ୍ରମିଳା କହିଛନ୍ତି ଯେ, ସ୍ୱାଧୀନ ପ୍ରାର୍ଥୀଙ୍କୁ ଲୋକେ କାହିଁକି ଭୋଟ ଦେବେ ? ଲୋକେ ଶାସକ ଦଳକୁ ଭୋଟ ଦିଅନ୍ତି ନହେଲେ ବିରୋଧୀଙ୍କୁ ଭୋଟ ଦିଅନ୍ତି। ସରକାରୀ ଦଳକୁ ଭୋଟ୍ ଦେଲେ ସରକାରଙ୍କ ବିଭିନ୍ନ ଯୋଜନା ଲୋକମାନଙ୍କୁ ମିଳିପାରିବ। ଏକଥା ଲୋକ ଵୁଝିଛନ୍ତି। ପ୍ରଚାର ବେଳେ ଏକଥା ଆମେ ଲୋକଙ୍କ ପାଖରୁ ଜାଣିବାକୁ ପାଇଛୁ ବୋଲି ସେ କହିଛନ୍ତି।
ଅନ୍ୟପଟେ ଦଳ ଭଲ ମାର୍ଜିନରେ ବିଜୟ ଲାଭ କରିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଲୋକଙ୍କର ଯେଉଁଭଳି ସମର୍ଥନ ରହିଛି । ଏଥିରୁ ସ୍ପଷ୍ଟ ହୋଇଛି ଭାରତୀୟ ଜନତା ପାର୍ଟି ଏହି ନିର୍ବାଚନ ଶହେ ପ୍ରତିଶତ ଜିତିବାର ସମ୍ଭାବନା ରହିଛି । ଜିତିବା ପରେ ଲମ୍ବା ସମୟର କୁଶାସନ, ଭ୍ରଷ୍ଟାଚାରକୁ ଲୋକେ ସେହିଦିନ ପ୍ରତ୍ୟାଖାନ କରିବେ ।
ସେପଟେ ଦୁଇ ଦଳକୁ ବାଦ୍ ଦେଇ ଫଳାଫଳ ପୂର୍ବରୁ ହାର ମାନିଛି କଂଗ୍ରେସ । ବିଜେଡି ଓ ବିଜେପିର ଟଙ୍କା ବଣ୍ଟା ଯୋଗୁ କଂଗ୍ରେସ ରହିବ ତୃତୀୟ ସ୍ଥାନରେ ରହିବ ବୋଲି ଜଟଣୀ ବିଧାୟକ ସୁର ରାଉତରାୟ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ।