ଗୁଜୁରାଟ ବିଧାନସଭା ନିର୍ବାଚନ; ଇସୁଦାନ ଗାଧ୍ବୀଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆମ ଆଦମୀ ପାର୍ଟି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଜି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ଇସୁଦାନ ଗାଧ୍ବୀଙ୍କୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନାମିତ କରିଛି। ଇସୁଦାନ ଜଣେ ପୂର୍ବତନ ସାମ୍ବାଦିକ ଏବଂ ତାଙ୍କର ବହୁତ ପ୍ରଶଂସକ ମଧ୍ୟ ଅଛନ୍ତି।

ତେବେ ଦଳ ପକ୍ଷରୁ ଏକ ସର୍ଭେ କରାଯାଇ ଇସୁଦାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଘୋଷଣା କରାଯାଇଛି। ଏନେଇ ଦଳ ପକ୍ଷରୁ ସାଧାରଣ ଲୋକଙ୍କ ମତ ଲୋଡାଯାଇଥିଲା ଓ ଗୁଜୁରାଟର ସାଧାରଣ ଜନତାହିଁ ଇସୁଦାନଙ୍କୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଚୟନ କରିଥିବା ଦଳ ପକ୍ଷରୁ ଘୋଷଣା କରାଯାଇଛି।

ସେପଟେ ଭାରତର ନିର୍ବାଚନ ଆୟୋଗ (ECI) ଗୁରୁବାର ଗୁଜୁରାଟ ନିର୍ବାଚନର ତାରିଖ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ନିର୍ବାଚନ ତାରିଖ ଘୋଷଣା ପରେ ଆମ୍ ଆଦମୀ ପାର୍ଟି ନିଜର ଅଭିଯାନକୁ ଜୋରଦାର କରିଛି। ଦଳ ଶନିବାର ଠାରୁ ରୋଡ ଶୋ ଚଳାଇବା ଆରମ୍ଭ କରିବ ଯେଉଁଥିରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସହ ଯୋଗଦେବେ। ଦଳୀୟ ସୂତ୍ର ଅନୁଯାୟୀ, ଆପ୍ ପ୍ରତିଦିନ ଦୁଇରୁ ତିନୋଟି ରୋଡ୍ ଶୋ କରିବ।

ତେବେ ଜୁନ ମାସରୁ ଦଳ ଗୁଜୁରାଟ ନିର୍ବାଚନକୁ ଫୋକସ ରେ ରଖିଛି। ସେବେଠାରୁ କେଜ୍ରିୱାଲ ବାରମ୍ବାର ଗୁଜୁରାଟ ଗସ୍ତ କରିବା ସହ ରାଜ୍ୟବାସୀଙ୍କୁ ଅନେକ ପ୍ରତିଶ୍ରୁତି ମଧ୍ୟ ଘୋଷଣା କରିଛନ୍ତି ଏହାସହିତ ଡୋର ଟୁ ଡୋର ଅଭିଯାନ ଚଳାଇ ଦଳ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଛି। ଆଲୋଚନା ଏବଂ ପ୍ରଚାର ପ୍ରସଙ୍ଗରେ ଦଳ ବିଜେପି ଏବଂ କଂଗ୍ରେସକୁ କଡ଼ା ପ୍ରତିଯୋଗିତା ଦେଉଛି। ଗୁଜୁରାଟରେ ମୋଟ ୧୮୨ଟି ବିଧାନସଭା ଆସନ ଅଛି ଏବଂ ସରକାର ଗଠନ ପାଇଁ ଏଠାରେ ୯୨ଟି ସିଟ୍ ଆବଶ୍ୟକ।

ସୂଚନା ଅନୁସାରେ, ଗୁଜୁରାଟରେ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୧ରେ ମତଦାନ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୫ରେ ଅନୁଷ୍ଠିତ ହେବ। ସେହିପରି ହିମାଚଳ ବିଧାନସଭା ସହିତ ଡିସେମ୍ବର ୮ରେ ଭୋଟ ଗଣତି ଅନୁଷ୍ଠିତ ହେବ।

Related Posts