ପାଟକୁରାରେ ବାଜିଲା ଶଙ୍ଖ, ବିଜୟ ପରାଜିତ

ସତ୍ୟପାଠ ବ୍ୟୁରୋ : ଶେଷରେ ସେଇଆ ହିଁ ହେଲା । ପାଟକୁରାରେ ଫୁଟିଲାନି ପଦ୍ମ । ନବୀନ ବାବୁଙ୍କ ଶଙ୍ଖ ଚିହ୍ନକୁ ସମର୍ଥନ କରିଛନ୍ତି ପାଟକୁରାବାସୀ । ଯେଉଁ ପାଟକୁରା ନିର୍ବାଚନ ଉପରେ ଜଣେ ବ୍ୟକ୍ତିର ରାଜନୈତିକ କ୍ୟାରିୟର ଓ ଆଉ ଗୋଟିଏ ଦଳର ଜିଦ୍ ଝୁଲିକି ରହିଥିଲା ତାହାର ଫଳାଫଳ ଏତେ ରୋମାଂଚିତ ନହେଲେ ବି ଶାସକ ବିଜୁ ଜନତା ଦଳକୁ ସାମାନ୍ୟ ଖୁସି ଦେଇଛି ।

ଡଜନ ଡଜନ ବିଧାୟକ । ଗଣ୍ଡା ଗଣ୍ଡା ମନ୍ତ୍ରୀ । 40 ଜଣିଆ ଷ୍ଟାର ପ୍ରଚାରକ । ତଥାପି ବିଜୟର ବ୍ୟବଧାନ ମାତ୍ର 17 ହଜାର 655 । ଶାସକ ଦଳ ପାଇଁ ଏହା ଯେତିକି ସନ୍ତୁଷ୍ଟି ନୁହେଁ ସାମ୍ନାରେ ଥିବା ପ୍ରତିଦ୍ୱନ୍ଦୀ ବିଜୟ ମହାପାତ୍ରଙ୍କୁ ହରାଇବା ଦଳ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ ଥିଲା । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀନି ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ପାଟକୁରାରେ ଭୋଟ ମାଗିଥିଲେ । ପାଟକୁରାର ଭଲମନ୍ଦ ନିଜେ ବୁଝିବେ ବୋଲି ଭରସା ଦେଇଥିଲେ । ବୋଧହୁଏ ଏହାକୁ ଭରସା କରିଛନ୍ତି ପାଟକୁରାର ଭୋଟର । ଆଉ ବହୁମତ ଅଜାଡି ଦେଇଛନ୍ତି ବିଜେଡି ପ୍ରାର୍ଥୀନିଙ୍କ ଉପରେ ।

ଯଦି ବିଜୟ ମହାପାତ୍ରଙ୍କ କଥା ଦେଖାଯାଏ, ଲଗାତର ୨୦ବର୍ଷ ଧରି ବିଧାନସଭାକୁ ପ୍ରବେଶ କରି ପାରି ନଥିବା ବିଜୟ ବାବୁ ଆଉ ପାଂଚବର୍ଷ ପାଇଁ ବି ଚୁପ ରହିବାକୁ ବାଧ୍ୟ ହୋଇଛନ୍ତି । ଭୋଟରଙ୍କ ସମର୍ଥନ ପାଇଥିଲେ ବି ବହୁମତ ପାଇ ନାହାଁନ୍ତି । ଗଣତିର ପ୍ରଥମ ଟେବୁଲରୁ ହିଁ ପଛରେ ରହି ଯାଇଥିଲେ ବିଜୟ ବାବୁ । ହଜାର ହଜାର ଭୋଟର ବ୍ୟବଧାନ ଭିତରେ ଶେଷ ରାଉଣ୍ଡରେ ଖଣ୍ଡ ଭୋଟରେ ବିଜୟ ବାବୁଙ୍କୁ ପରାଜିତ ହେବାକୁ ପଡିଛି ।

ଏହାପରେ ଆରମ୍ଭ ହେବ ରାଜନୈତିକ ବୟାନବାଜି । କିଛି ଜଣ କହିବେ ଗଣତନ୍ତ୍ରର ବିଜୟ ହୋଇଛି ପୁଣି କିଛିଜଣ କହିବେ ଜନମତ ପରାଜିତ । କିନ୍ତୁ ଏହାରି ଭିତରେ ଏହା ସତ୍ୟ ଯେ, ବିଜୟ ବାବୁଙ୍କ ଉପରେ ଆସ୍ଥା ପ୍ରକଟ କରି ପାରି ନାହାଁନ୍ତି ପାଟକୁରାର ଭୋଟର । ଯେଉଁଥିପାଇଁ ଏହି ଆସନରୁ ଲଗାତର ସପ୍ତମ ଥର ପାଇଁ ଜିତିଛି ବିଜୁ ଜନତା ଦଳ ।

Related Posts