MPଙ୍କ ମାରଣା ଭିଡିଓ ଭାଇରାଲ

ସର୍ବସାଧାରଣରେ ଜଣେ ସମର୍ଥକଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ । ଚନ୍ଦ୍ରଶେଖରଙ୍କ ଚାପୁଡ଼ା ମରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ବିଜେଡି ନେତାଙ୍କୁ ବହୁ ବ୍ୟକ୍ତି ନିନ୍ଦା କରିଥିବା ବେଳେ କିଛି ବ୍ୟକ୍ତି ବିଜେପିକୁ ମଧ୍ୟ ସମାଲୋଚନା କରିଛନ୍ତି । ନବୀନ ବାବୁ ଓ ବିଜେଡି ପ୍ରତି ଆକୃଷ୍ଟ ହୋଇ ଶଙ୍ଖ ଧରିବାକୁ ଆସିଥିବା ଯୁବକଙ୍କୁ ମିଳିଛି ଚାପୁଡ଼ା ଉପହାର ।

ସୂଚନା ଅନୁଯାୟୀ ଗତକାଲି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ବିଜେଡିର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଚାଲିଥିଲା । ଯେଉଁଠି ଅନ୍ୟ ଦଳର ନେତା ଓ କର୍ମୀମାନଙ୍କୁ ବିଜେଡିରେ ମିଶ୍ରଣ କରାଯାଉଥିଲା । ବୈଠକରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଓ ସୋରଡ଼ା ବିଧାୟକ ପୂର୍ଣ୍ଣ ସାହୁ ମଧ୍ୟ ଉପସ୍ଥିତ ଥିଲେ । ତେବେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବାକୁ ଯାଇଥିବା ସଂଗ୍ରାମ ସାହୁଙ୍କୁ ସେଠାରେ ମିଥିଲା ଚାପୁଡ଼ା ମାଡ଼ । ପୂର୍ଣ୍ଣ ସାହୁଙ୍କଠାରୁ ଉତ୍ତରୀୟ ଗ୍ରହଣ କରିବାକୁ ମନା କରିବାରୁ ସଂଗ୍ରାମଙ୍କୁ ସମସ୍ତଙ୍କ ସାମ୍ନାରେ ଶକ୍ତ ଚାପୁଡ଼ା ମାରିଥିଲେ ଚନ୍ଦ୍ରଶେଖର ।  ଏହାପରେ ଏହି ଘଟଣାକୁ ଗଣମାଧ୍ୟମ ନଜରରୁ ବଞ୍ଚାଇବା ପାଇଁ ଆରମ୍ଭ ହୋଇଗଲା ପ୍ରସ୍ତୁତି । ଏପରିକି ସାଂସଦ ନିଜେ ମଞ୍ଚ ଉପରୁ ସାମ୍ବାଦିକଙ୍କୁ ଫଟୋ ଉଠାଇବାକୁ ମନା କରିଥିଲେ  । ଆଉ ମାଡ଼ ଖାଇଥିବା ସଂଗ୍ରାମଙ୍କୁ ଗତକାଲିଠାରୁ ଲୁଚାଇ ରଖିାଯାଇଥିଲା । ତାଙ୍କର ସନ୍ଧାନ ପାଇନଥିଲେ କୌଣସି ସାମ୍ବାଦିକ  । କିନ୍ତୁ ଆଜି ସକାଳୁ ହଠାତ ସଂଗ୍ରାମଙ୍କର ଦର୍ଶନ ମିଳୁଛି ଏବଂ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଚନ୍ଦ୍ର ଭାଇନା ମୋତେ ମାରିନଥିଲେ କେବଳ ମୋତେ ତାଗିଦ କରି ମୋ ଗାଲକୁ ଛୁଇଁଦେଇଥିଲେ ।

ତେବେ ମାଡ଼ ଖାଇବା ପରେ ବି ସଂଗ୍ରାମଙ୍କର ଏଭଳି ପ୍ରତିକ୍ରିୟା କାହିଁକି ?

ସାଂସଦଙ୍କ ଚାପରେ ସଂଗ୍ରାମ ଏଭଳି ବୟାନ ଦେଉ ନାହାନ୍ତି ତ ?

ସର୍ବସାଧାରଣରେ ନିଜ ସମର୍ଥକଙ୍କୁ ଏଭଳି ହାତ ଉଠେଇବା ଚନ୍ଦ୍ରଶେଖରଙ୍କ ମାରଣା ପ୍ରବୃତ୍ତିକୁ ଦର୍ଶାଉଛି ।

Related Posts