ଭୁବନେଶ୍ୱର୧୭/୧୨(ସତ୍ୟପାଠ ବ୍ୟୁରୋ): ପଦ୍ମପୁର ଉପନିର୍ବାଚନରେ ବଡ ବ୍ୟବଧାନରେ ବିଜେଡିର ବିଜୟ ପରେ ଆଜି ନିଜ ପରାଜୟର ସମୀକ୍ଷା କରୁଛି ଭାରତୀୟ ଜନତା ପାର୍ଟି। ଏଥିପାଇଁ ଆଜି ଓଡିଶା ଗସ୍ତରେ ଆସିଛନ୍ତି ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ତେବେ ଆଜିର ସମୀକ୍ଷା ବୈଠକରେ ମଧ୍ୟ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ‘ଧାମନଗର ଓ ପଦ୍ମପୁର ଉପନିର୍ବାଚନ ଭାରତୀୟ ଜନତା ପାର୍ଟିକୁ ଅନେକ ଶିକ୍ଷା ଦେଇଛି। ଓଡିଶା ସରକାରଙ୍କ ଅପାରଗତା, ସ୍ଥାଣୁତା ଓ ଭ୍ରଷ୍ଟାଚାରକୁ ପ୍ରମୁଖ ପ୍ରସଙ୍ଗ କରିବ ଦଳ। ଏହା ମଧ୍ୟ ଓଡିଶାବାସୀ ଆମଠାରୁ ଆଶା କରିଛନ୍ତି। ଆଜିର ବୈଠକରେ ରାଜନୈତିକ ପ୍ରସଙ୍ଗ ସହ ସଂଗଠନାତ୍ମକ ଦୃଢିକରଣ ସମ୍ପର୍କରେ ଆଲୋଚନା ହେବ। ଏହି ବୈଠକ ଆଗାମୀ ଦିନରେ ସହାୟକ ହେବ।’
ସେ ଆହୁରି ବି କହିଛନ୍ତି, ‘ବିଜେଡି ପାଖରେ ପଦ୍ମପୁର ମଡେଲ୍ ଥିଲେ ଆମ ପାଖରେ ଧାମନଗର ମଡେଲ ଅଛି। ଆଜିର ବୈଠକରେ ରାଜନୈତିକ ପ୍ରସଙ୍ଗ ସହ ସଂଗଠନକୁ କିପରି ସୁଦୃଢ କରାଯିବ ସେନେଇ ଆଲୋଚନା ହେବ, ଯାହାକୁ ୨୦୨୪ରେ ଲାଗୁ କରାଯିବ।’
ଏହା ମଧ୍ୟରେ ବିଜପେିର ଗୁରୁତ୍ବପୂର୍ଣ୍ଣ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଯାଇଛି। ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇ ଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ରାଜ୍ୟ ପଦାଧିକାରୀଙ୍କ ସହ ହେବ ବୈଠକ। କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡ଼ି. ପୁରନ୍ଦେଶ୍ୱରୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଏଠାରେ ଉପସ୍ଥିତ ଅଛନ୍ତି।
