ବାହାମାସ, ସାରୁଅ କେଳେଙ୍କାରୀ ପ୍ରସଙ୍ଗ ଉଠାଇ ବୈଜୟନ୍ତଙ୍କୁ ସବୁଠୁ ବଡ଼ ଜମି ମାଫିଆ କହିଲା ବିଜେଡି

ଭୁବନେଶ୍ୱର,୨୬/୫(ସତ୍ୟପାଠ ବ୍ୟୁରୋ): ଓଡ଼ିଶାକୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଆସୁଥିବା ବିଜେପିର କେନ୍ଦ୍ରୀୟ ନେତାମାନେ ଅପରାଧୀମାନଙ୍କ ସମ୍ପର୍କରେ ବଡ଼ ବଡ଼ ଭାଷଣ ଦେଉଛନ୍ତି । ସରକାରକୁ ଆସିଲେ ଏହି ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହୁଛନ୍ତି । ମାତ୍ର ଏଠି ଅପରାଧୀ ଓ ଠକଙ୍କୁ ବିଜେପି ଫୁଲମାଳ ଦେଇ ସ୍ୱାଗତ କରିଛି ଓ ଟିକେଟ ଦେଇଛି । ବିଜେପିର କେନ୍ଦ୍ରୀୟ ନେତାମାନେ ଏଭଳି ଅପରାଧୀ ଓ ଠକଙ୍କ ସଂକ୍ରାନ୍ତରେ ଅଜ୍ଞ ରହିବା ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି ।

ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିରେ ଥିବା ଗୁଣ୍ଡା, ଜମି ଦଖଲକାରୀ, ଠକ ଓ କଳାଧନ କାରବାର କରୁଥିବା ନେତାଙ୍କ କାର୍ଯ୍ୟକଳାପ ପୁଣି ସାମନାକୁ ଆଣିଛନ୍ତି । ଗତକାଲି ପୁଲିଂ କର୍ମଚାରୀଙ୍କୁ ମାଡ଼ ଦେବା ଏବଂ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ଗିରଫ ହୋଇଥିବା ବିଜେପିର ବିଧାୟକ ପ୍ରାର୍ଥୀ ବାହୁବଳୀ ପ୍ରଶାନ୍ତ ଜଗଦ୍ଦେବ, ତାଙ୍କୁ ଏହି କାର୍ଯ୍ୟରେ ବଳ ଦେଇଥିବା ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନାଁ ନେଇଛନ୍ତି ସସ୍ମିତ୍ ।

ସେ କହିଛନ୍ତି, ନିର୍ବାଚନ ଋତୁରେ ଅନେକ କେନ୍ଦ୍ରୀୟ ନେତା ପର୍ଯ୍ୟଟକ ଭାବେ ଓଡ଼ିଶା ଆସୁଛନ୍ତି । ଓଡ଼ିଶା ବିଜେପି ନେତାମାନେ ସେମାନଙ୍କୁ ଦେଇଥିବା ଲେଖାକୁ ଶୁଆ ଭଳି ଦୋହରାଉଛନ୍ତି । ଓଡ଼ିଶା ବିଜେପି ଏବଂ ଅପରାଧୀଙ୍କୁ ସ୍ୱାଗତ କରି ଟିକେଟ ଦେବାର ନୀତି ବିଷୟରେ ସେମାନେ ବୋଧହୁଏ ଅଜ୍ଞ । ଏହି କେନ୍ଦ୍ରୀୟ ନେତାମାନେ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହୁଛନ୍ତି । କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଭୋଟ ମାଗିବାକୁ ଆସିଥିବା ଦୁଇ କେନ୍ଦ୍ରୀୟ ନେତା ଜମି ଜବରଦଖଲକାରୀଙ୍କ କଥା ଉଠାଇଛନ୍ତି । ଯାହା ଅତ୍ୟନ୍ତ ହାସ୍ୟାସ୍ପଦ ।

ବିଜେଡି ମୁଖପାତ୍ର କହିଛନ୍ତି ଯେ ଆଜି ଜମି ଦଖଲକାରୀଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ବୈଜୟନ୍ତ ପଣ୍ଡା । ସେ ଓଡ଼ିଶାର ସବୁଠାରୁ ବଡ ଜମି ମାଫିଆ । ତାଙ୍କ କମ୍ପାନୀ ଅନୁସୂଚିତ ଜାତିର ଲୋକଙ୍କଠାରୁ ବେଆଇନ ଭାବେ ଜମି ଜବରଦଖଲ କରିଛି । ଏଥିପାଇଁ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରହିଛି । ସେହିଭଳି ତାଙ୍କ ମାଲିକାନାରେ ଥିବା ଟିଭି ଚାନେଲ ସରକାରୀ ଜମିକୁ ଜବରଦଖଲ କରିଛି । ଶ୍ରୀ ପଣ୍ଡାଙ୍କୁ ଦଳରୁ ହଟାଇ ଦେଇଥିଲା ବିଜେଡି । କିନ୍ତୁ ବିଜେପି ଏହି ଜମି ଜବରଦଖଲକାରୀଙ୍କୁ ଟିକେଟ୍ ଦେଇଛି ।

ଖାଲି ସେତିକି ନୁହେଁ, ବୈଜୟନ୍ତ ପଣ୍ଡାଙ୍କ ବାହାମାସ କଳାଧନ କାରବାର କାହାରିକୁ ଅଛପା ନାହିଁ । ବାହାମାସରେ ପଞ୍ଜିକୃତ ହୋଇଥିବା ତିନୋଟି ସେଲ୍ କମ୍ପାନୀ ଫିନଲେ, ମେସିନା ଓ ପିକିକା ଶ୍ରୀ ପଣ୍ଡାଙ୍କ ମାଲିକାନାରେ ଥିବା ଟିଭି କମ୍ପାନୀରେ ଟଙ୍କା କାରବାର କରିଥିଲେ ଏବଂ ଏହି ପାଣ୍ଠିର ତଦନ୍ତ ଏକ ମଲ୍ଟି ଏଜେନ୍ସୀ ଗ୍ରୁପ୍ ଜରିଆରେ କରାଯାଇଥିଲା ବୋଲି ଡକ୍ଟର ପାତ୍ର ମନେ ପକାଇ ଦେଇଛନ୍ତି ।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଦ୍ୟପ ଅବସ୍ଥାରେ ବାଲୁଗାଁ ଟାଉନ୍ ବିଜେପି ସଭାପତିଙ୍କୁ ମାଡ଼ ମାରିଥିଲେ । ବିଜେଡି ତାଙ୍କୁ ଦଳରୁ ବହିଷ୍କୃତ କରିଥିଲେ ମଧ୍ୟ ବିଜେପି ତାଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଥିଲା । ତାଙ୍କୁ ନିଜର ପୋଷ୍ଟରବୟ କରିଥିଲା । ଏବେ ତାଙ୍କୁ ଟିକେଟ୍ ଦେଇଛି ।
ସେହିଭଳି ଚାକିରି ଦେବାର ପ୍ରତିଶ୍ରୁତି ଦେଇ ନିଜ ନିର୍ବାଚନମଣ୍ଡଳୀରେ ଗରିବ ଲୋକଙ୍କୁ ଠକିଥିଲେ ପ୍ରଦୀପ ପାଣିଗ୍ରାହୀ । ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡି ତାଙ୍କୁ ବହିଷ୍କାର କରିଥିଲା । ଯେଉଁ ବ୍ୟକ୍ତିଙ୍କ ବିରୋଧରେ ବିଜେପି ଆନ୍ଦୋଳନ କରୁଥିଲା, ତାକୁ ସେମାନେ ଫୁଲମାଳ ପକାଇ ଆଗଧାଡ଼ିର ନେତା କରିଥିଲେ । ତାଙ୍କୁ ଟିକେଟ୍ ଦେଇଥିଲେ ।
ଏହା ହେଉଛି ବିଜେପିର ଅସଲ ଚେହେରା । ଏହା ଏମିତି ଏକ ଦଳ ଯିଏ ଗୁଣ୍ଡା, ଜମି ଦଖଲକାରୀ, ଠକ ଏବଂ କଳାଧନ କାରବାରୀଙ୍କୁ ଖୋଲା ହୃଦୟରେ କୋଳେଇ ନେବା ସହିତ ଦଳୀୟ ଟିକେଟ ଦେଇଥାଏ ବୋଲି ବିଜେଡି ମୁଖପାତ୍ର ଡ. ପାତ୍ର କହିଛନ୍ତି ।

ସେହିଭଳି ଅନ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ବିଜେପିକୁ ଶାଣିତ ଆକ୍ରମଣ କରିଛନ୍ତି ।

ବିଜେପିର କଟାକ୍ଷ: ବିଜେପି ପକ୍ଷରୁ ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଏହି ପ୍ରସଙ୍ଗକୁ ନେଇ ବିଜେଡିକୁ ଆକ୍ରମଣ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ସାଧୁ ସନ୍ଥଙ୍କ ଦଳ କହି କଟାକ୍ଷ କରିଛନ୍ତି । ଖଣ୍ଡପଡ଼ାରେ ଦଳ ଯାହାଙ୍କୁ ପ୍ରାର୍ଥୀ କରିଛି ତାଙ୍କ ସ୍ୱାମୀ ବେଣୁଧର ପ୍ରଧାନ ଜଣେ ଗଞ୍ଜେଇ ମାଫିଆ । ତାଙ୍କ ନାଁରେ ୱରେଣ୍ଟ ଅଛି ଏବଂ ହାଇକୋର୍ଟଙ୍କ ରହିତାଦେଶ କାରଣରୁ ଗିରଫ କରାଯାଇପାରୁନାହିଁ ବୋଲି ବିଧାନସଭାର ଏକ ପ୍ରଶ୍ନରେ ଖୋଦ୍ ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଥିଲେ ବୋଲି ସେ ମନେ ପକାଇ ଦେଇଛନ୍ତି ।

Related Posts