ବଢିଲା ବିଜେପି – ଆପ୍ ଅକ୍ସିଜେନ୍ ପଲଟିକ୍ସ ବିଫଳତା ଲୁଚାଇବା ପାଇଁ କେନ୍ଦ୍ର ମିଛ କହୁଛି: କେଜେରିୱାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜାତୀୟ ରାଜଧାନୀ ଦିଲ୍ଲୀରେ ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠାକୁ ନେଇ କେନ୍ଦ୍ରର ବିଜେପି ଓ ଦିଲ୍ଲୀର ଆପ୍ ସରକାରଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଦିଲ୍ଲୀରେ ପିଏମ୍ କେୟାରସ୍ ଫଣ୍ଡ୍ ସହାୟତାରେ ଆଠଟି ପ୍ରେସର ସୁଇଙ୍ଗ୍ ଆଡଜର୍ପସନ୍ (PSA) ଅମ୍ଳଜାନ ଉତ୍ପାଦନ କାରଖାନା ସ୍ଥାପନ ନେଇ କେନ୍ଦ୍ରର ଦାବିକୁ କେଜରିୱାଲ ସରକାର “ମିଥ୍ୟା” ବୋଲି କହିଛନ୍ତି। ସେ କହିଛନ୍ତି ,” ଆଜି ପର୍ଯ୍ୟନ୍ତ କେବଳ ଗୋଟିଏ କାରଖାନା କାର୍ଯ୍ୟକ୍ଷମ ହୋଇଛି । ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯେତେବେଳେ ଦିଲ୍ଲୀ ପାଇଁ କେନ୍ଦ୍ରର ଆବଣ୍ଟିତ ଅମ୍ଳଜାନ କୋଟା ପୂରଣ କରିବା ପାଇଁ ଦିଲ୍ଲୀ ସରକାର କେନ୍ଦ୍ର ସହ ଘନିଷ୍ଠ ସହଯୋଗୀ ଭାବରେ କାର୍ଯ୍ୟ କରୁଛନ୍ତି, PSA ଅମ୍ଳଜାନ କାରଖାନା ପ୍ରତିଷ୍ଠା କରିବା ପରିବର୍ତ୍ତେ କେନ୍ଦ୍ର ସରକାର ନିଜର ବିଫଳତାକୁ ଲୁଚାଇବା ପାଇଁ ମିଥ୍ୟା ବିବୃତ୍ତି ଦେଉଛନ୍ତି। ” ଦିଲ୍ଲୀ ସରକାର କହିଛନ୍ତି ଯେ ,” କେନ୍ଦ୍ର ସରକାର ସମଗ୍ର ଭାରତରେ 162 PSA ପ୍ଲାଣ୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏଥିପାଇଁ ଅକ୍ଟୋବର 2020 ରେ ଟେଣ୍ଡର ଜାରି କରିଥିଲେ । ପିଏମ କେୟାର ଫଣ୍ଡ୍ ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଏହି କାରଖାନା ସ୍ଥାପନ କରାଯାଉଥିଲା କିନ୍ତୁ ରାଜ୍ୟ ସରକାରଙ୍କୁ ଗୋଟିଏ ଟଙ୍କା ମଧ୍ୟ ଦିଆଯାଇନଥିଲା। ଏହି ପ୍ଲାଣ୍ଟଗୁଡିକ ଡିସେମ୍ବର 2020 ସୁଦ୍ଧା ସ୍ଥାପିତ ହୋଇ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବାର ଥିଲା। କେନ୍ଦ୍ର ସରକାର 140 ଟି ପ୍ରତିଷ୍ଠା ପାଇଁ ଜଣେ ଭେଣ୍ଡରଙ୍କୁ ଦାୟିତ୍ବ ଦେଇଥିଲେ , ଯିଏକି ପଳାୟନ କରିଥିଲା। ଫଳସ୍ୱରୂପ, ସମଗ୍ର ଭାରତରେ ଏହି 162 ଟି ପ୍ଲାଣ୍ଟ ମଧ୍ୟରୁ 10 ଟି ବି ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ।” କେଜ୍ରିୱାଲ ସରକାର ଦିଲ୍ଲୀ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଦିଲ୍ଲୀରେ ଥିବା ଆଠଟି ପ୍ଲାଣ୍ଟ ମଧ୍ୟରୁ ସାତୋଟି ଦିଲ୍ଲୀ ସରକାରୀ ଡାକ୍ତରଖାନାରେ ଏବଂ ଗୋଟିଏ ସଫଦରଜଙ୍ଗର କେନ୍ଦ୍ର ସରକାରୀ ଡାକ୍ତରଖାନା – ପ୍ରତିଷ୍ଠା କରାଯିବ। “କେନ୍ଦ୍ର ସରକାରଙ୍କ ସହ ଏକାଧିକ ବାର ଆଲୋଚନା ପରେ ମାର୍ଚ୍ଚ 2021 ରେ ପାଞ୍ଚଟି ଡାକ୍ତରଖାନା ପାଇଁ ପ୍ଲାଣ୍ଟ ବିତରଣ କରାଯାଇଥିଲା। ସାଧାରଣତଃ ଏହି ପ୍ଲାଣ୍ଟଗୁଡିକ ସ୍ଥାପନ ପାଇଁ ତିନିରୁ ଚାରି ଦିନ ଲାଗିଥାଏ। କିନ୍ତୁ ଟେଣ୍ଡର ନେଇଥିବା ଭେଣ୍ଡର ପଳାୟନ କରିବାରୁ ଆଜି ପର୍ଯ୍ୟନ୍ତ ପାଞ୍ଚଟି ପ୍ଲାଣ୍ଟ ମଧ୍ୟରୁ କେବଳ ଗୋଟିଏ କାର୍ଯ୍ୟକ୍ଷମ ହୋଇପାରିଛି ।” ସେ କହିଛନ୍ତି, “ଆମେ ଜାଣି ଆଶ୍ଚର୍ଯ୍ୟ ହୋଇଗଲୁ ଯେ କେନ୍ଦ୍ର ସରକାର ବର୍ତ୍ତମାନ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ବିଳମ୍ବ ହେବାର କାରଣ ଦିଲ୍ଲୀ ସରକାରଙ୍କ ଠାରୁ ସାଇଟ ସାର୍ଟିଫିକେଟ୍ ଉପଲବ୍ଧ ନହେବାର ବାହାନା କରୁଛନ୍ତି। ଏହା କେବେହେଲେ ଦିଲ୍ଲୀ ସରକାରଙ୍କ ନଜରକୁ ଆସିନାହିଁ ଏବଂ ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ।” କେଜ୍ରିୱାଲ ସରକାର ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ରର ନିଜସ୍ୱ ସଫଦରଜଙ୍ଗ ଡାକ୍ତରଖାନାରେ PSA କାରଖାନା କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଏହା ଦର୍ଶାଉଛି ଯେ କେନ୍ଦ୍ର ନିଜ ମିଛ ଜାଲରେ ଧରାପଡିଛି। କରୋନା ମହାମାରୀ ମଧ୍ୟରେ ଦିଲ୍ଲୀର ଡାକ୍ତରୀ ଅମ୍ଳଜାନ କ୍ଷମତା ବୃଦ୍ଧି କରିବା ପାଇଁ PM CARES ପାଣ୍ଠି ସହାୟତାରେ ଜାତୀୟ ରାଜଧାନୀରେ ଆଠଟି PSA ଅମ୍ଳଜାନ ଉତ୍ପାଦନ କାରଖାନା ସ୍ଥାପନ କରାଯାଉଛି ବୋଲି ସରକାରୀ ସୂତ୍ର ANI କୁ କହିଛି। ଏହି ପ୍ଲାଣ୍ଟ ଗୁଡିକ ମେଡିକାଲ୍ ଅମ୍ଳଜାନର କ୍ଷମତାକୁ 14.4 ମେଟ୍ରିକ୍ ଟନ୍ ବୃଦ୍ଧି କରିବ। ଦିଲ୍ଲୀରେ ସ୍ଥାପନ ହେବାକୁ ଥିବା ଆଠଟି PSA ପ୍ଲାଣ୍ଟ ମଧ୍ୟରୁ ଗୋଟିଏ ମାର୍ଚ୍ଚ 17 ରେ କୌଶିକ୍ ଏନକ୍ଲେଭ ବୁରାରୀ ହସ୍ପିଟାଲରେ ସ୍ଥାପିତ ହୋଇସାରିଛି । ଦୀନ୍ ଦୟାଲ ଉପାଧ୍ୟାୟ ହସ୍ପିଟାଲ୍, ଲୋକ ନାୟକ ହସ୍ପିଟାଲ୍, ବାବା ସାହେବ ଆମ୍ବେଦକର ହସ୍ପିଟାଲ୍, ରୋହିଣୀ ଏବଂ ଦୀପା ଚାନ୍ଦ ବାନ୍ଧୁ ହସ୍ପିଟାଲ୍, ଅଶୋକ ବିହାରରେ ଚାରୋଟି ପ୍ଲାଣ୍ଟ ଏପ୍ରିଲ୍ 30 ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି।

Related Posts