ସ୍ତ୍ରୀ ର ଗଳା କାଟି ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନବରଙ୍ଗପୁର ଜିଲ୍ଲାର କୋଡିଙ୍ଗା ପୋଲିସ ଅନ୍ତର୍ଗତ ଭନ୍ଦିମାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରଥମେ ନିଜ ପତ୍ନୀର ଗଳାକାଟି ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଛି। ତେବେ ଏହିଭଳି ଚରମ ପଦକ୍ଷେପ ଗ୍ରହଣ କରିବା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଦମ୍ପତି ନୀଳଧର ଜାନି ଏବଂ ପାର୍ବତୀ ଡାବୁଗାଁ ପୋଲିସ ଷ୍ଟେସନ ଅନ୍ତର୍ଗତ ଦୁମାରଦ ଗାଁର ବାସିନ୍ଦା ବୋଲି ଜଣାପଡିଛି । ଖବର ଅନୁଯାୟୀ, ସେମାନେ ଭନ୍ଦିମାଲରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇ ଗତ ଦୁଇ ଦିନ ହେବ ସେଠାରେ ଥିଲେ । ତେବେ ଆଜି ସକାଳେ ଗଳା କଟିଥିବା ଅବସ୍ଥାରେ ପାର୍ବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏବଂ ତାଙ୍କ ସ୍ୱାମୀଙ୍କର ମୃତଦେହ ସମ୍ପର୍କୀୟଙ୍କ ଘରଠାରୁ 100 ମିଟର ଦୂରରେ ଥିବା ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁଯାୟୀ କୌଣସି ପ୍ରସଙ୍ଗରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହେବାରୁ ନୀଳଧର ତାଙ୍କ ପତ୍ନୀଙ୍କ ଗଳାକାଟି ହତ୍ୟା କରିଥିଲେ ଏବଂ ପରେ ନିଜେ ଆତ୍ମହତ୍ୟା କରିଥିଲେ। ସୂଚନା ପାଇବା ପରେ କୋଡିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Related Posts