ରାଜ୍ୟ ନିର୍ବାଚନ ଅଧିକାରୀ ବିଜୁ ଜନତା ଦଳର ସାଧାରଣ ସଂପାଦକ : ଧର୍ମେନ୍ଦ୍ର

ସତ୍ୟପାଠ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ଦୁଇ ପ୍ରମୁଖ ରାଜନୈତିକ ଦଳର ଦୁଇ ଦୁଇଟି ସାମ୍ବାଦିକ ସମ୍ମିଳନୀ । ପ୍ରଥମେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରେସମିଟ୍ କରି ନବୀନଙ୍କୁ ସମାଲୋଚନା କରିବା ସହ ରାଜ୍ୟ ନିର୍ବାଚନ ଅଧିକାରୀ ବିଜେଡିର ସାଧାରଣ ସଂପାଦକ ଭଳି କାର୍ଯ୍ୟ କରୁଥିବା କହିଲେ । ଏହାର ପ୍ରତି ଜବାବ ଦେବାକୁ ଯାଇ ବିଜୁ ଜନତା ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ ଡକାଗଲା । ମୁଖପାତ୍ର ଡ. ସସ୍ମୀତ ପାତ୍ର ଏହାର ଜବାବ ଦେବା ବଦଳରେ ପୁଣି ପ୍ରଶ୍ନ ପଚାରିଲେ । ଆଟାକ୍ ଓ କାଉଣ୍ଟରର ଆଟାକ୍ ର ଏ ନାଟକ ଭିତରେ କିନ୍ତୁ କେହି କାହା ଠାରୁ କୌଣସି ପ୍ରସଙ୍ଗର ଉତ୍ତର ପାଇଲେନି, କେବଳ ପ୍ରଶ୍ନ ଶୁଣି ପ୍ରଶ୍ନ ପଚାରିଲେ ।

ରାଜ୍ୟ ନିର୍ବାଚନ ଅଧିକାରୀ ବିଜୁ ଜନତା ଦଳର ସାଧାରଣ ସଂପାଦକ ଭଳି କାର୍ଯ୍ୟ କରୁଛନ୍ତି । ଅବାଧ ଓ ସ୍ୱଚ୍ଛ ନିର୍ବାଚନ ଉପରେ ପ୍ରଶ୍ନ ଉଠାଇ ଏମିତି ଅଭିଯୋଗ ଆଣିଛନ୍ତି ଧର୍ମେନ୍ଦ୍ର । ସାମ୍ବାଦିକ ସମ୍ମିଳନୀ କରି ନବୀନଙ୍କ ଉପରେ ମନଇଛା ବର୍ଷିଛନ୍ତି । ଗଲା ୧୯ ବର୍ଷରେ ନବୀନ ସରକାର ଓଡିଶା ପାଇଁ କଣ କରିଛି ତାହାର ହିସାବ ମାଗିଛନ୍ତି । ଆଗାମୀ ୫ବର୍ଷ ପାଇଁ ନବୀନ ବାବୁ କଣ ଯୋଜନା କରିଛନ୍ତି ତାହା ବି ଜାଣିବାକୁ ଚାହିଁଛନ୍ତିି । ଧର୍ମେନ୍ଦ୍ର କହିଛନ୍ତି ମୋଦି ଓ ପରିବର୍ତ୍ତନ ଶବ୍ଦ ଶୁଣିଲେ ନବୀନ ବାବୁ ହିଂସ୍ର ହୋଇ ଉଠୁଛନ୍ତି । ଏହାଛଡା କେନ୍ଦ୍ରାପଡାରେ ଡେରା ପକେଇ ରହିଲେ ବି ଭାରତୀୟ ଜନତା ପାର୍ଟି ସେଠାରେ ବିଜୟୀ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ତେବେ ବିଜେପି ପ୍ରେସମିଟର କିଛି ସମୟ ପରେ ତୁରନ୍ତ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ବ୍ୟବସ୍ଥା ହୋଇଥିଲା । ମୁଖପାତ୍ର ସସ୍ମୀତ ପାତ୍ର ଏହାର ଜବାବ ଦେବାକୁ ବସିଥିଲେ । ଧର୍ମେନ୍ଦ୍ରଙ୍କ ଅଭିଯୋଗର ଉତ୍ତର ଦେବାକୁ ଯାଇ ସସ୍ମୀତ ଡବଲ ଇଂଜିନ ପ୍ରସଙ୍ଗକୁ ପଳାଇଲେ । ଗୁଜୁରାଟ, ଛତିଶଗଡର ଉଦାହରଣ ଦେଇ ସେଠାରେ ଡବଲ ଇଂଜିନ ସରକାର ଫେଲ ମାରିଥିବା ସେ କହିଥିଲେ । କିନ୍ତୁ ଓଡିଶାରେ ସିଙ୍ଗିଲ ଇଂଜିନ ସରକାର ପାଇଁ ରାଜ୍ୟ ପଛୁଆ ବର୍ଗରୁ ଆସି ବିକାଶଶୀଳରେ ପହଂଚିଲାଣି ବୋଲି ସେ କହିବା ସହ ବିଜେପି କଣ କରିଛି ବୋଲି ପ୍ରଶ୍ନ କରିଛନ୍ତି । ଡବଲ ଇଂଜିନ ସରକାର ଗୁଜୁରାଟ ଓ ଛତିଶଗଡରେ କାହିଁକି ଲାଇନଚ୍ୟୁତ ହେଲା ବୋଲି ପ୍ରଶ୍ନ ପଚାରିଛନ୍ତି ।

ଏଥିରୁ କେବଳ ପ୍ରଶ୍ନ ଛଡା ଉତ୍ତର କାହାକୁ ବି ମିଳିନି । ଉତ୍ତର ଦେବା ଲୋକ ଯଦି ଅନ୍ୟକୁ ପ୍ରଶ୍ନ କରେ ତେବେ ଉତ୍ତର ବଦଳରେ କେବଳ ପ୍ରଶ୍ନ ହିଁ ମିଳିବା ଥୟ ।

Related Posts