ସମର୍ଥ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି-କଂଗ୍ରେସ, ପାଲଟା ଜବାବ୍ ରଖିଲା ବିଜେଡ଼ି

ଭୁବନେଶ୍ୱର,୩୦/୩ (ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ାର ୧୫ ବର୍ଷୀୟ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ କରି ହତ୍ୟା କରାଯିବା ପରେ ଏହି ଘଟଣାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି। ଏନେଇ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ବିଜେପି ଓ କଂଗ୍ରେସ ଟାର୍ଗେଟ କରିଥିବା ବେଳେ ଏହାର ପାଲଟା ଜବାବ୍ ରଖିଛି ବିଜେଡି।

ଏହି ମାମଲାରେ ଟ୍ୱିଟ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଦୀର୍ଘ ସମୟ ଧରି କ୍ଷମତାରେ ରହିବା ସତ୍ତ୍ୱେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ରାଜ୍ୟ ସରକାର ଫେଲ୍‌ ମାରିଛନ୍ତି । ନବ ଦାସ ହତ୍ୟାକୁ ୨ ମାସ ନ ହେଉଣୁ ନାବାଳକ ସମର୍ଥଙ୍କ ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରସ୍ଥିତି ଅତି ଶୋଚନୀୟ ହୋଇପଡିଛି।

ରାଜ୍ୟରେ ସାଧାରଣ ନାଗରିକ ଆଦୌ ସୁରକ୍ଷିତ ନୁହନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ କହିଛନ୍ତି, ସାଧାରଣ ନାଗରିକ କିମ୍ବା ଜନପ୍ରତିନିଧି ଓଡ଼ିଶାରେ ସୁରକ୍ଷିତ ନୁହନ୍ତି। ଝାରସୁଗୁଡ଼ା ଘଟଣା ରାଜ୍ୟବାସୀଙ୍କ ବିଶ୍ୱାସକୁ ଦୁର୍ବଳ କରି ଦେଇଛି। ସମର୍ଥଙ୍କ ପରିବାରକୁ ଯେତେ ସହାନୁଭୂତି ଜଣାଇଲେ ବି କମ୍‌ ପଡ଼ିବ। ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରନ୍ତୁ ସରକାର।

ଅନ୍ୟପଟେ ୨୯ ତାରିଖଟି ଝାରସୁଗୁଡ଼ା ପାଇଁ କଳା ଦିବସ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। କାରଣ ଜାନୁଆରୀ ୨୯ରେ ନବ ଦାସଙ୍କୁ ହତ୍ୟା କରାଯାଇଥିବା ବେଳେ ଏହାର ୨ ମାସ ପରେ ଅର୍ଥାତ ମାର୍ଚ୍ଚ ୨୯ରେ ସମର୍ଥଙ୍କୁ ହତ୍ୟା କରାଯାଇଛି। ବିଜେଡି ଶାସନରେ ହତ୍ୟା, ଅପହରଣ ଓ ନାରୀ ନିର୍ଯାତନା ଭଳି ଘଟଣା ବଢ଼ି ଚାଲିଛି। ଉତ୍ତର ପ୍ରଦେଶ ଠାରୁ ଓଡ଼ିଶାର ସ୍ଥିତି ଅଧିକ ଖରାପ ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ସାଲୁଜା। ସେ ଆହୁରି କହିଛନ୍ତି, ଆଗକୁ ଝାରସୁଗୁଡ଼ା ଉପ-ନିର୍ବାଚନ ଥିବା ବେଳେ ଲୋକେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଡରିବେ। ରାଜ୍ୟ ସରକାର ତୁରନ୍ତ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସମର୍ଥ ଅଗ୍ରୱାଲଙ୍କ ହତ୍ୟାକାରୀଙ୍କୁ ସାମ୍ନାକୁ ଆଣନ୍ତୁ ବୋଲି ସେ ଦାବି କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍‌ର ଜବାବ ରଖିଛି ବିଜେଡି। ଦଳର ଉପ ସଭାପତି ଦେବୀ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା ନେଇ ପୂର୍ବରୁ କହି ସାରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ନିଜ କଥାକୁ ନିଜେ ଦର୍ପଣରେ ଦେଖିବାର ଆବଶ୍ୟକତା ରହିଛି। ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ହାତରସ ହେଉ କି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ କୃଷକଙ୍କୁ ଗଣହତ୍ୟା କରିବା ହେଉ ସେଗୁଡ଼ିକ କେଉଁ ଶୃଙ୍ଖଳା? କେଉଁ ଆଇନରେ ଲେଖା ହୋଇଛି? ତେଣୁ ରାଜନୈତିକ ଉଦ୍ଦେଶ୍ୟରେ ଏପରି ଟିପ୍ପଣୀ ନ ଦେଇ କିଛି ଗଠନମୂଳକ ପରାମର୍ଶ ଦେଲେ ଭଲ ହେବ ବୋଲି ସେ କହିଛନ୍ତି।

Related Posts