ବିଧାନସଭାରେ ପର୍ଣ୍ଣ ଭିଡ଼ିଓ ଦେଖୁଥିବା ବେଳେ ଧାରା ପଡିଗଲେ ବିଜେପି ବିଧାୟକ

ଭୁବନେଶ୍ୱର,୩୦/୩ (ସତ୍ୟପାଠ ବ୍ୟୁରୋ): ବିଧାନସଭା ଭିତରେ ପର୍ଣ୍ଣ ଭିଡ଼ିଓ ଦେଖୁଥିବା ବେଳେ ଧାରା ପଡିଗଲେ ବିଜେପି ବିଧାୟକ। ଗୋଟିଏ ପଟେ ଗୃହରେ ବଜେଟ୍ ଉପରେ ଚାଲିଥିଲା ଗୁରୁତ୍ବପୂର୍ଣ୍ଣ ଆଲୋଚନା। ଅନ୍ୟପଟେ ପବିତ୍ର ଗୃହ ଭିତରେ ପର୍ଣ୍ଣ ଭିଡ଼ିଓ ଦେଖୁଥିଲେ ବିଜେପି ବିଧାୟକ। ଏହି ଘଟଣା ହେଉଛି ତ୍ରିପୁରାର ଆଉ ବିଧାୟକ ଜଣକ ହେଉଛନ୍ତି ବଗବସା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଯାଦବ ଲାଲ ନାଥ।

ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ହେଉଛି ୨୭ ମାର୍ଚ୍ଚ ଅର୍ଥାତ୍ ସୋମବାରର। ସୋମବାର ତ୍ରିପୁରା ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଚାଲୁଥିବା ବେଳେ ବିଜେପି ବିଧାୟକ ଜଣକ ଅଶ୍ଲୀଳ ଭିଡିଓ ଦେଖୁଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବିଧାନସଭାରେ ରାଜ୍ୟ ବଜେଟ୍ ସହ ଜଡିତ ଆଲୋଚନା ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପ‌ରେ ବିଜେପି, ବିଧାୟକଙ୍କଠାରୁ ଏହି ଘଟଣାକୁ ନେଇ କାରଣ ଦର୍ଶାଅ ନୋଟିସ୍ ପଠାଇଛି। ତେବେ ବିଧାୟକ ଶ୍ରୀ ଯାଦବ ଲାଲ ନାଥ ପୂର୍ବରୁ ସିପିଆଇଏମ ର କାର୍ଯ୍ୟକର୍ତ୍ତା ଥିଲେ ମାତ୍ର ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ । ତେବେ ଏପର୍ଯ୍ୟନ୍ତ ଏହି ଅଭିଯୋଗ କିମ୍ବା ଭିଡିଓ ଉପରେ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଅଧିବେଶନ ଶେଷ ହେବା ପରେ ସେ ବିଧାନସଭା ପରିସର ଛାଡିଥିବା ଜଣାପଡ଼ିଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ ଜଣେ ବିଜେପି ବିଧାୟକ ବିଧାନସଭାରେ ପର୍ଣ୍ଣ ଭିଡ଼ିଓ ଦେଖି ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବରୁ ୨୦୧୨ରେ କର୍ଣ୍ଣାଟକର ତତ୍କାଳୀନ ବିଜେପି ସରକାରଙ୍କ ଦୁଇଜଣ ମନ୍ତ୍ରୀ ବିଧାନସଭା ଭିତରେ ନିଜ ଫୋନରେ ପର୍ଣ୍ଣ ଭିଡିଓ ଦେଖୁଥିବାର ଭିଡିଓ ଭାଇରାଲ ହୋଇଥିଲା।

Related Posts