ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଥିବ ବେଳେ ଏହାକୁ ନେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୁରା ଘଟଣାର ସେ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି । ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହିତ, ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର ବୋଲି ସ୍ମୃତି କହିଛନ୍ତି । ବିଜେଡିର କେଉଁ କେଉଁ ପ୍ରଭାବଶାଳୀ ନେତା ଏଥିରେ ସମ୍ପୃକ୍ତ ଅଛନ୍ତି ସାମ୍ନାକୁ ଆସିବା ଦରକାର । ରାକେଟ ପଛରେ ସରକାରୀ ଦଳର ସମ୍ପୃକ୍ତି ରହିଛି ।ଆମର ସତସାହସ ଅଛି ଆମେ ସିବିଆଇ ତଦନ୍ତ ଦାବି କରୁଛୁ । ଯଦି ବିଜେଡିର ସେହି ସତ ସାହସ ଅଛି ସେମାନେ ମଧ୍ୟ ସିବିଆଇ ତଦନ୍ତ ଦାବି କରନ୍ତୁ ବୋଲି ସେ କହିଛନ୍ତି। ଅର୍ଚ୍ଚନା ସହିତ କେଉଁ ନେତା ମନ୍ତ୍ରୀ ଓ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ରହିଛି ତାହା ସାମ୍ନାକୁ ଆସିବା ଦରକାର ବୋଲି ସେ କହିଛନ୍ତି। ତେବେ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କ ନାଁ ଗୁଡିକୁ ନେଇ ପୋଲିସ କାହିଁକି ମୁହଁ ଖୋଲୁନାହିଁ ବୋଲି ପ୍ରଶ୍ନ କରିବା ସହିତ କେଉଁ ପ୍ରଭାବଶାଳୀ ନେତାମାନେ ଏହି ଘଟଣାରେ ଅଛନ୍ତି ତାହା ସ୍ପଷ୍ଟ ହେବା ଦରକାର ବୋଲି ସ୍ମୃତି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମା’ କୁ ସମ୍ମାନ ଦେବା କଥା କହୁଥିବା ୨୨ ବର୍ଷର ସରକାର ସାମ୍ନାକୁ ଆସିବା ଦରକାର । ଅନେକ ଲୋକଙ୍କ ଅନ୍ତରଙ୍ଗ ଫୋଟୋ ଭିଡ଼ିଓ ରଖି ବ୍ଲାକମେଲ କରାଯାଉଛି । କାହାର ଛତ୍ରଛାୟା ତଳେ ଅର୍ଚ୍ଚନା ନାଗ ଏତେ ବଡ଼ କେଳେଙ୍କାରୀ କରୁଥିଲେ ? ପୋଲିସ ଓ ରାଜ୍ୟ ସରକାର ଫେଲ ମାରିଛି । ସବୁ ବଡ଼ ବଡ଼ ନେତା ମନ୍ତ୍ରୀ ଓ ବ୍ୟକ୍ତିତ୍ୱ ସାମ୍ନାକୁ ଆସିବା ଦରକାର ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି ।

Related Posts