ଭୁବନେଶ୍ୱର,୨୭/୮(ସତ୍ୟପାଠ ବ୍ୟୁରୋ): ଆଗାମୀ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ଆଉ ୨୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏହାକୁ ମିଶାଇ ଦଳ ବିଧାନସଭା ନିର୍ବାଚନର ୯୦ଟି ଆସନ ମଧ୍ୟରୁ ୪୫ଟି ସ୍ଥାନରେ ପ୍ରାର୍ଥୀ ଦେଇଛି। ଗତକାଲି ବିଜେପି ୧୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା।
ଆଜି ଜାରି ହୋଇଥିବା ପ୍ରାର୍ଥୀ ତାଲିକାରେ ଜମ୍ମୁ-କଶ୍ମୀରର ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ସିଂହ ରାଣାଙ୍କ ନାଁ ରହିଛି। ସେ ଏଥର ନଗ୍ରୋଟାରୁ ପ୍ରାର୍ଥୀ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସମ୍ପର୍କୀୟ ଭାଇ ହେଉଛନ୍ତି ଦେବେନ୍ଦ୍ର। ସେହିପରି ଦଳର ଅନ୍ୟତମ ବରିଷ୍ଠ ନେତା ସତୀଶ ଶର୍ମା ବିଲ୍ଲାୱର ଆସନରୁ ନିର୍ବାଚନ ଲଢ଼ିବେ। ୨୦୧୪ର ବିଲ୍ଲାୱରରୁ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ ବିଜୟୀ ହୋଇଥିଲେ। ହେଲେ ଏଥର ସତୀଶ ଶର୍ମା ଏଠାରୁ ପ୍ରାର୍ଥୀ ହୋଇଛନ୍ତି।
ଅନ୍ୟପକ୍ଷରେ ବିଜେପି ପ୍ରଥମ ପର୍ଯ୍ୟାୟ ପାଇଁ ଘୋଷଣା କରିଥିବା ୧୬ ଜଣଙ୍କ ମଧ୍ୟରୁ ଆଜି ଜଣଙ୍କ ନାଁ ବଦଳାଇଛି। ଶ୍ରୀ ମାତା ବୈଷ୍ଣୋ ଦେବୀ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କୁ ଦଳ ପରିବର୍ତ୍ତନ କରିଛି। ଏଠାରେ ପୂର୍ବରୁ ରୋହିତ ଦୁବେଙ୍କୁ ଦଳ ପ୍ରାର୍ଥୀ କରିଥିଲା। ହେଲେ ଏବେ ବଲଦେବ ରାଜ ଶାର୍ମ ଏଠାରୁ ଲଢ଼ିବେ। ବାକି କିଛି ଆସନରେ ପ୍ରାର୍ଥୀଙ୍କ ନାଁକୁ ନେଇ ବିଦ୍ରୋହ ଦେଖା ଯାଇଥିଲେ ହେଁ ବିଜେପି କୌଣସି ପରିବର୍ତ୍ତନ କରିନାହିଁ।