ଭାଜପା ନୀତିଶଙ୍କ ପିଠିରେ ଛୁରାଘାତ କରିଛି : ଜେଡିୟୁ ଜାତୀୟ ସଭାପତି ଲଲନ ସିଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ନୂଆ ସରକାରର ଶପଥ ଗ୍ରହଣ ଶେଷ ହୋଇଛି। ଏହା ପରେ ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ଭାଜପାକୁ କଡା ଭାଷାରେ ଟାର୍ଗେଟ୍‌ କରିଛନ୍ତି। ଭାଜପା ନୀତିଶ କୁମାରଙ୍କ ପ୍ରତି ବିଶ୍ୱାସଘାତକତା କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ନୀତିଶ କୁମାର ପୂର୍ବରୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନଥିଲେ ମାତ୍ର ତାଙ୍କୁ ଜବରଦସ୍ତ ମୁଖ୍ୟମନ୍ତ୍ରୀ କରାଗଲା। ନୀତିଶ କୁମାର ଅନ୍ଧ ଭାବେ ଭାଜପା ଉପରେ ବିଶ୍ୱାସ କରୁଥିଲେ କିନ୍ତୁ ଭାଜପା ତାଙ୍କ ପିଠିରେ ଛୁରାଘାତ କରିଛି। ୨୦୨୦ ନିର୍ବାଚନରେ ଆମ ଦଳର କାର୍ଯ୍ୟକର୍ତ୍ତାମାନେ ଭାଜପାକୁ ବିଜୟ ଦେଇଥିଲେ । କିନ୍ତୁ ସେମାନଙ୍କ କାର୍ଯ୍ୟକର୍ତ୍ତା ଆମକୁ ପରାସ୍ତ କରିବାକୁ କାର୍ଯ୍ୟ କରିଥିଲେ। ଏହି କାରଣରୁ ଆମେ ଏନଡିଏରେ ରହିବୁ ନାହିଁ ବୋଲି ନିଷ୍ପତ୍ତି ନେଇଥିଲୁ ବୋଲି ସେ କହିଛନ୍ତି।

ଲଲନ ସିଂ ଆହୁରି ମଧ୍ୟ କହିଛନ୍ତି, ବହୁ ଭାଜପା ନେତା ଜନମତ ସହ ଖେଳାଯାଇଛି ବୋଲି ମନ୍ତବ୍ୟ ଦେଉଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ବିଶ୍ୱାସଘାତକ ନୁହେଁ। ଜେଡିୟୁ ଅରୁଣାଚଳ ପ୍ରଦେଶରେ ୭ଟି ଆସନ ଜିତିଥିଲା। ଆମର ୬ ଜଣ ବିଧାୟକଙ୍କୁ ଭାଜପା ନିଜ ଦଳରେ ସାମିଲ କରିନେଇଥିଲା। ୨୦୧୯ରେ ସେଠାରେ ଭାଜପା ଆବଶ୍ୟକ ସଂଖ୍ୟାଗରିଷ୍ଠତା କରୁଥିଲା ତେଣୁ କୌଣସି ବିଶୃଙ୍ଖଳା ହେଲା ନାହିଁ। ୨୦୨୦ ଭାଜପା ଜେଡିୟୁର ଏକମାତ୍ର ବିଧାୟକଙ୍କୁ ମଧ୍ୟ ନିଜ ଦଳରେ ସାମିଲ କରି ଷଡଯନ୍ତ୍ର ରଚିଲା। ଏହା କଣ ବିଶ୍ୱାସଘାତ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଭାଜପା କୁ ଆମେ ବିଶ୍ୱାସ କରୁଥିଲୁ, ମେଣ୍ଟ କରି ସରକାର ରେ ସାମିଲ ଥିଲୁ ହେଲେ ସେମାନେ ଆମ ଦଳ ଭାଙ୍ଗିବାକୁ ଷଡଯନ୍ତ୍ର କରୁଥିଲେ। ନୀତିଶ କୁମାର ଭାଜପା ସହ ନୁହେଁ ବରଂ ଭାଜପା ଆମ ସହ ବିଶ୍ୱାସଘାତ କରିଛି ବୋଲି ଲଲନ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ବିହାରରେ ୨୦୧୭ରେ ଭାଜପା ସମର୍ଥନରେ ଜେଡିୟୁ ସରକାର ଗଢ଼ିବା ପରଠାରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଭାଜପା ନେତା କ୍ରମାଗତ ଭାବେ ପରସ୍ପରକୁ କଟାକ୍ଷ କରିଆସୁଥିଲେ। କିନ୍ତୁ ଗତ କିଛିଦିନ ହେଲା ତାହା ଚରମ ସ୍ଥିତିରେ ପହଞ୍ଚି ଥିବାବେଳେ ରାଜ୍ୟରେ ଏନ୍‌ଡିଏ ମେଣ୍ଟ ଭାଙ୍ଗି ଯାଇଥିଲା। ଜେଡିୟୁର ଅଭିଯୋଗ ଥିଲା ଦଳ ଭିତରେ ନୀତିଶଙ୍କ ପତିଆରା କ୍ଷୁଣ୍ଣ କରିବାକୁ ଭାଜପା ଉଦ୍ୟମ ଚଳାଇଥିଲା। ଶେଷରେ ଭାଜପାଠାରୁ ଦୂରେଇ ନୀତିଶ କୁମାର ଆରଜେଡି ସହ ମିଶି ରାଜ୍ୟରେ ନୂଆ ସରକାର ଗଢିଛନ୍ତି।

Related Posts