ଦଳରେ ସାମିଲ ନ ହେବାରୁ ସୌରଭ ଗାଙ୍ଗୁଲିଙ୍କ ଉପରେ ପ୍ରତିଶୋଧ ନେଉଛି ବିଜେପି : ଟିଏମସି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ କ୍ରିକେଟ କଣ୍ଟୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଖବର ଆସିବା ପରେ ଏବେ ଏନେଇ ରାଜନୀତି ଆରମ୍ଭ ହୋଇଛି। ଏନେଇ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ(ଟିଏମସି) ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛି। ଟିଏମସି କହିଛି ଯେ, ଗାଙ୍ଗୁଲିଙ୍କୁ ଦଳରେ ସାମିଲ କରିବାକୁ ବିଜେପି ଅନେକ ଥର ଚେଷ୍ଟା କରିଛି। ହେଲେ ଗାଙ୍ଗୁଲି ବିଜେପିରେ ସାମିଲ ନ ହେବାରୁ ଏବେ ଦଳ ତାଙ୍କ ଉପରେ ପ୍ରତିଶୋଧ ନେଉଛି।

ଟିଏମସି ନେତା ଡ. ଶାନ୍ତନୁ ସେନ କହିଛନ୍ତି ଯେ, ଅମିତ ଶାହା କିଛି ମାସ ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କ ବାସଭବନକୁ ଯାଇଥିଲେ। ଭାଜପାରେ ଯୋଗଦେବା ପାଇଁ ଗାଙ୍ଗୁଲିଙ୍କୁ ବାରମ୍ବାର ଯୋଗାଯୋଗ କରାଯାଉଥିଲା। ବୋଧହୁଏ ସେ ଭାଜପାରେ ଯୋଗଦେବାକୁ ରାଜି ହୋଇ ନ ଥିଲେ। ଏହା ସହିତ ସେ ପଶ୍ଚିମବଙ୍ଗର ହୋଇଥିବାରୁ ସେ ଏବେ ରାଜନୈତିକ ପ୍ରତିଶୋଧର ଶିକାର ହୋଇଛନ୍ତି।

ଏହାପୂର୍ବରୁ ମଧ୍ୟ ବିଜେପି ଗାଙ୍ଗୁଲିଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଟିଏମସି ଅଭିଯୋଗ କରିଛି। ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ, ଆମେ ଏହି ପ୍ରସଙ୍ଗରେ ସିଧାସଳଖ କିଛି କହୁ ନାହୁଁ। ବିଧାନସଭା ନିର୍ବାଚନ ପରେ ବିଜେପି ପକ୍ଷରୁ ଏଭଳି ପ୍ରଚାର କରାଯାଉଥିଲା ଯେ ଗାଙ୍ଗୁଲି ବିଜେପିରେ ମିଶିବେ। ତେଣୁ ଏଭଳି କଳ୍ପନା ଜଳ୍ପନାର ଉତ୍ତର ଦେବା ବିଜେପିର ଦାୟିତ୍ୱ। ଏଥିରୁ ଜଣାପଡୁଛି ଯେ ଭାଜପା ଗାଙ୍ଗୁଲିଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି।

ବିସିସିଆଇର ନିଷ୍ପତ୍ତି ସହ ରାଜନୀତିର କୌଣସି ସମ୍ପର୍କ ନାହିଁ ବୋଲି ବିଜେପି ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛି। ଭାଜପାର ବରିଷ୍ଠ ନେତା ରାହୁଲ ସିହ୍ନା କହିଛନ୍ତି ଯେ, ଏହା କ୍ରିକେଟ ଜଗତ ସହ ଜଡିତ ଏବଂ କେବଳ କ୍ରିକେଟ ସହ ଜଡିତ ଲୋକମାନେ ଏହା ଉପରେ ମନ୍ତବ୍ୟ ଦେଇ ପାରିବେ। ରାଜନୀତି ସହିତ ଏହାର କୌଣସି ସମ୍ପର୍କ ନାହିଁ। ଟିଏମସି ଭାଜପା ଉପରେ ଆକ୍ରମଣ କରିବାକୁ କୌଣସି ପ୍ରସଙ୍ଗ ଖୋଜି ପାଇଲା ନାହିଁ ତେଣୁ ଏହାର ରାଜନୀତିକରଣ କରୁଛି।

ଏନେଇ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ କହିଛନ୍ତି ଯେ, ବିଜେପି କେବେ ଗାଙ୍ଗୁଲିଙ୍କୁ ଦଳରେ ସାମିଲ କରିବାକୁ ଚେଷ୍ଟା କଲା ଆମେ ତାହା ଜାଣିନାହୁଁ। ବିସିସିଆଇର ପରିବର୍ତ୍ତନକୁ ନେଇ କିଛି ଲୋକ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ସୌରଭ ଗାଙ୍ଗୁଲିଙ୍କ ହାତରୁ ବିସିସିଆଇ ଅଧ୍ୟକ୍ଷ ପଦ ଯିବା ନେଇ ଚର୍ଚ୍ଚା ହେଉଛି। ପୂର୍ବତନ ଭାରତୀୟ କ୍ରିକେଟର ରୋଜର ବିନ୍ନି ଗାଙ୍ଗୁଲିଙ୍କ ସ୍ଥାନ ନେଇପାରନ୍ତି ବୋଲି ଖବର ଶୁଣାଯାଉଛି। ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିଲେ ବିନ୍ନି। ସେ ଏହି ପଦ ପାଇଁ ମଙ୍ଗଳବାର ନିଜେ ନାମାଙ୍କନ ଦାଖଲ କରିଛନ୍ତି। ଅକ୍ଟୋବର ୧୮ ରେ ଅନୁଷ୍ଠିତ ହେବାକୁ ଥିବା ବୋର୍ଡର ବାର୍ଷିକ ବୈଠକରେ ସେ ବିନା ନିର୍ବାଚନରେ ନିର୍ବାଚିତ ହେବାର ସମ୍ଭାବନା ରହିଛି।

Related Posts