
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର କଳା କାରନାମାର ରହସ୍ୟ ଖୋଲିବା ପରେ ଏବେ ସେ ଜେଲର ଚାରି କାନ୍ଥ ଭିତରେ ବନ୍ଦୀ। ଅର୍ଚ୍ଚନାର ବହୁ ବଡ ବଡ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସମ୍ପର୍କ ଥିବା ଜଣା ପଡିଛି ଓ ପ୍ରତିଦିନ ଏନେଇ ବିଭିନ୍ନ ଫୋଟୋ ଭାଇରାଲ ହେଉଛି। ତେବେ ଅର୍ଚ୍ଚନା ଗିରଫ ହେବା ପରେ ଏବେ ଏକ ବଡ ଘଟଣା ସାମ୍ନାକୁ ଆସିଛି । ଅର୍ଚ୍ଚନାର ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ଫଟୋ ସବୁ ଡିଲିଟ୍ କରାଯାଇଛି । ଅର୍ଚ୍ଚନା ଜେଲରେ ଥିବାବେଳେ ତାଙ୍କ ଆକାଉଣ୍ଟରୁ ଫଟୋ ସବୁ କିଏ ଡିଲିଟ୍ କରୁଛି ତାକୁ ନେଇ ପ୍ରଶ୍ନ ଉଠିଛି । ଅର୍ଚ୍ଚନାଙ୍କୁ ଗତ ୫ ତାରିଖରୁ ପୋଲିସ ଗିରଫ କରିଥିବାବେଳେ ସେବେଠାରୁ ସେ ଝାରପଡା ଜେଲରେ ଅଛନ୍ତି । ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ କୌଣସି ପତ୍ତା ମିଳୁନାହିଁ ।ପୋଲିସ ଅର୍ଚ୍ଚନାଙ୍କ ଘରୁ ଫୋନ୍, ଲାପଟପ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।
ହେଲେ ତାଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଫଟୋ ଡିଲିଟ୍ କରୁଛି କିଏ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅର୍ଚ୍ଚନାଙ୍କ ଏହି ଆକାଉଣ୍ଟରେ ଶହ ଶହ ଫଟୋ ରହିଥିଲା । ନେତା, ମନ୍ତ୍ରୀଙ୍କ ସହ ଅନେକ ଫଟୋ ଓ ଭିଡିଓ ମଧ୍ୟ ଅପଲୋଡ୍ ହୋଇଥିଲା । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ହଠାତ୍ ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ଫଟୋ ସବୁ ଡିଲିଟ୍ ହୋଇଯାଇଛି । ପୋଲିସ ହେପାଜତରେ ତାଙ୍କ ଫୋନ୍ ଥିବା ବେଳେ ଫୋଟୋ ସବୁ କିପରି ଡିଲିଟ୍ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଅର୍ଚ୍ଚନା ଙ୍କ ବହୁ ବଡବଡିଆ ଲିଙ୍କ୍ ଏହି ଫୋଟୋ ଦ୍ଵାରା ସାମ୍ନାକୁ ଆସି ପାରିଥାନ୍ତା। ତେବେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଘଣ୍ଟ ଘୋଡାଇବାକୁ ପାଇଁ ଏଭଳି ଫୋଟୋକୁ ଡିଲିଟ୍ କରି ପ୍ରମାଣ ନଷ୍ଟ କରାଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ତେବେ ପୋଲିସ ପାଖରେ ଅର୍ଚ୍ଚନାଙ୍କ ମୋବାଇଲ ରହିଥିବା ବେଳେ ତାଙ୍କ ଆକାଉଣ୍ଟରୁ ଫଟୋ ସବୁ ଡିଲିଟ୍ ହେବା ପୋଲିସର ଭୂମିକା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।