
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ନେତା ତେଜିନ୍ଦର ପାଲ ସିଂ ବଗା । ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନଙ୍କ ବିରୋଧରେ ନିଶାସକ୍ତ ଅବସ୍ଥାରେ ଗୁରୁଦ୍ୱାରାରେ ପ୍ରବେଶ କରିଥିବା ଘଟଣାରେ ପୋଲିସରେ ଅଭିଯୋଗ କରିଛି। ଅଭିଯୋଗ ଆଧାରରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ପଞ୍ଜାବ ଡିଜିପି ଏବଂ ରାଜ୍ୟର ପୋଲିସକୁ ଅନୁରୋଧ କରୁଛି ବୋଲି ବିଜେପି ନେତା କହିଛନ୍ତି । ସେପଟେ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଚଣ୍ଡିଗଡର ଶିଖ ଧର୍ମସ୍ଥଳୀ ପରିଚାଳନା କମିଟି ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧନ କମିଟି ଶୁକ୍ରବାର ଅଭିଯୋଗ ଆଣିଥିଲା ଯେ, ବୈଶାଖୀ ବର୍ଷ ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଭଗୱନ୍ତ ସିଂ ମାନ ନିଶାସକ୍ତ ଅବସ୍ଥାରେ ତଖତ ଦମଦମା ସାହିବରେ ପ୍ରବେଶ କରିଥିଲେ।
ଏଥିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି କମିଟି ଦାବି କରିଥିଲା। ଏସଜିପିସିର ବରିଷ୍ଠ ଉପାଧ୍ୟକ୍ଷ ରଘୁଜିତ ସିଂ ବିର୍କ କହିଥିଲେ, ମଦ ପିଇ ମୁଖ୍ୟମନ୍ତ୍ରୀ ଶିଖ ସମୁଦାୟର ଏକ ଆଧ୍ୟାତ୍ମିକ ସ୍ଥଳକୁ ଯାଇଥିଲେ । ଏବଂ ଶିଖ ରାହତ ମର୍ୟ୍ୟଦାର ଉଲ୍ଲଂଘନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମାନଙ୍କୁ ନିଜ ଭୁଲ ସ୍ୱୀକାର କରି ସମସ୍ତଙ୍କୁ କ୍ଷମା ମାଗିବାକୁ କହିଛି ଏସଜିପିସି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି ।