ସମ୍ପତ୍ତି ବିବାଦକୁ ନେଇ ଦିଲ୍ଲୀରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କଲେ ଦୁବୃର୍ତ୍ତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ଜହଙ୍ଗୀରପୁରୀ ହିଂସାକୁ ନେଇ ଦେଶରେ ଚର୍ଚ୍ଚା ଥମିନଥିବାବେଳେ ରାଜଧାନୀରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ତେବେ ଗତକାଲି ରାତିରେ ଦିଲ୍ଲୀର ଗାଜୀପୁରରେ ବିଜେପି ନେତା ଜିତୁ ଚୌଧୁରୀଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି । ଯେତେବେଳେ ଏହି ଆକ୍ରମଣ ହୋଇଥିଲା ସେତେବେଳେ ସେ ମୟୂର ବିହାର ଫେଜ-୧ରେ ଥିବା ତାଙ୍କ ବାସଭବନରେ ଥିଲେ। ସେପଟେ ୪୦ ବର୍ଷିୟ ଜିତୁ ଚୌଧୁରୀଙ୍କୁ ହତ୍ୟା କରିଥିବା ଦୁଷ୍କର୍ମକାରୀମାନେ ଏହି ଘଟଣା କରିବା ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏଥିସହ ପୋଲିସ କିଛି ଖାଲି କାର୍ଟ୍ରିଜ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଜବତ କରିଛି। ଏହି ମାମଲାରେ ଡିସିପି ପ୍ରିୟଙ୍କା କଶ୍ୟପ ସୂଚନା ଦେଇଛନ୍ତି ଯେ ପ୍ରତ୍ୟକ୍ଷଦର୍ଶୀଙ୍କୁ ଦିଲ୍ଲୀ ପୋଲିସ ଖୋଜୁଛି ଏବଂ ସିସିଟିଭି ଫୁଟେଜ ସ୍କାନ କରାଯାଉଛି। ଦୁଷ୍କର୍ମକାରୀମାନେ ବିଜେପି ନେତା ଜିତୁ ଚୌଧୁରୀଙ୍କ ଉପରକୁ ୬ ଟି ଗୁଳି ଚଳାଇଥିଲେ।

ସେ ବିଜେପିରେ ମୟୂର ବିହାର ଜିଲ୍ଲାର ମନ୍ତ୍ରୀ ଥିଲେ। ଅନ୍ୟପଟେ ମିଳିଥିବା ସୂଚନା ଅନୁଯାୟୀ, ବିଜେପି ନେତାଙ୍କୁ ଆକ୍ରମଣ କରିଥିବା ଦୁଇ ଦୁଷ୍କର୍ମକାରୀ ଏକ ବାଇକରେ ଆସି ତାଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ଯେଉଁଥିରେ ଗୋଟିଏ ଗୁଳି ଜିତୁ ଚୌଧୁରୀଙ୍କ ମୁଣ୍ଡରେ ବାଜିଥିଲା। ଆହତ ଅବସ୍ଥାରେ ଲୋକମାନେ ତାଙ୍କୁ ଏକ ଘରୋଇ ଗାଡିରେ ଡାକ୍ତରଖାନା ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପ୍ରାଥମିକ ଅନୁସନ୍ଧାନ ପରେ ସମ୍ପତ୍ତି ବିବାଦ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପୋଲିସ ଆଶଙ୍କା ପ୍ରକାଶ କରିଛି। ବର୍ତ୍ତମାନ ଘର ଚାରିପାଖରେ ଲଗାଯାଇଥିବା ସିସିଟିଭି କ୍ୟାମେରାର ଫୁଟେଜ ସ୍କାନ କରି ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା କରୁଛି। ଏ ଖବର ସାମ୍ନାକୁ ଆସିବା ପାରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts