ଭବାନୀପୁର ଉପ-ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ନିର୍ବାଚନ ଲଢିବେ ବିଜେପି ନେତ୍ରୀ ପ୍ରିୟଙ୍କା ଟିବ୍ରେୱାଲ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଭବାନୀପୁର ଉପନିର୍ବାଚନରେ ମୁହାଁମୁହିଁ ହେବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ବିଜେପି ନେତ୍ରୀ ପ୍ରିୟଙ୍କା ଟିବ୍ରେୱାଲ।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିମଏସି ଟିକେଟରୁ ଭବାନୀପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଆଉ ମମତାଙ୍କୁ ମାତ୍ ଦେବାକୁ ମହିଳା କାର୍ଡ ଖେଳିଛି ବିଜେପି । ଭବାନୀପୁର ଉପ-ନିର୍ବାଚନ ପାଇଁ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପ୍ରାର୍ଥୀ କରିଛି ବିଜେପି । ପେଶାରେ ଓକିଲ ଥିବା ପ୍ରିୟଙ୍କା ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଦେଖାଦେଇଥିବା ହିଂସାକାଣ୍ଡ ବିରୋଧରେ ପିଟିସନ ଦାୟର କରିଥିଲେ । ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ । ମମତା ଶୁକ୍ରବାର ମଧ୍ୟାହ୍ନରେ ଭବାନୀପୁର ଆସନରୁ ନାମାଙ୍କନପତ୍ର ଦାଖଲ କରିବେ । ତାଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହେବେ ପ୍ରିୟଙ୍କା ଟିବରେଓ୍ୱାଲ । ପ୍ରିୟଙ୍କା ପେଶାରେ ଓକିଲ ଅଟନ୍ତି । ସେ କୋଲକାତା ହାଇକୋର୍ଟ ସହ ସୁପ୍ରିମକୋର୍ଟରେ ଓକିଲ ରହିଛନ୍ତି । ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ନେଇ ଲଗାତର ଭାବେ ଶାସକ ଦଳକୁ ଟାର୍ଗେଟ କରି ଆସୁଛନ୍ତି ପ୍ରିୟଙ୍କା ।ସେ ଏବେ ବିଜେପି ଯୁବମୋର୍ଚ୍ଚାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଉଛନ୍ତି । 

୨୦୧୪ ମସିହାରେ ପ୍ରିୟଙ୍କା ବିଜେପିରେ ସାମିଲ ହୋଇଥିଲେ । ଏବେ ମମତାଙ୍କ ବିରୋଧରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିଛି ବିଜେପି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଉପ ନିର୍ବାଚନରେ ମମତାଙ୍କ ପାଇଁ ଜିତିବା ନିହାତି ଆବଶ୍ୟକ , ନଚେତ ତାଙ୍କ ହାତରୁ ମୁଖ୍ୟମନ୍ତ୍ରୀ ଆସନ ଚାଲି ଯିବାର ସମ୍ଭାବନା ରହିଛି । କାରଣ ବିଧାୟକ ନଥାଇ ମଧ୍ୟ ଯଦି କେହି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ତେବେ ୬ ମାସ ମଧ୍ୟରେ ନିର୍ବାଚିତ ହେବାକୁ ପଡିଥାଏ । ତେଣୁ ଏହି ଉପ ନିର୍ବାଚନ ମମତା ବାନାର୍ଜୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଅନ୍ୟପକ୍ଷରେ ପ୍ରିୟଙ୍କାକୁ ପ୍ରାର୍ଥୀ କରିବା ପୂର୍ବରୁ କେବଳ ଭବାନୀପୁର ଆସନ ପାଇଁ ସାଂସଦ ଅର୍ଜୁନ ସିଂହଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରିଛି ଦଳ।  ଅର୍ଜୁନଙ୍କ ସହ ସାଂସଦ ସୌମିତ୍ର ଖାନ୍ ଓ ଜ୍ୟୋର୍ତିମୟ ସିଂଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦେଇଛି ଭାରତୀୟ ଜନତା ପାର୍ଟି । ଏମିତିକି ବୁଥ୍ ସ୍ତରରେ ଭୋଟ ଜଗିବାକୁ ଦଳ ୮ ଜଣ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ଦେଇଛି ।

ସୂଚନାଯୋଗ୍ୟ ଯେ, ଭବାନୀପୁର ଆସନ ପାଇଁ କଂଗ୍ରେସ କୌଣସି ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିଥିବା ବେଳେ ବାମମୋର୍ଚ୍ଚାରୁ ଶ୍ରୀଜୀବ ବିଶ୍ୱାସ ପ୍ରାର୍ଥୀ ହୋଇଛନ୍ତି । ଭବାନୀପୁର ଆସନ ସହ ପଶ୍ଚିମବଙ୍ଗର ଆଉ ଦୁଇ ବିଧାନସଭା ଆସନ ଶମସେରଗଞ୍ଜ ଓ ଜାଙ୍ଗିପୁରରେ ମଧ୍ୟ ନିର୍ବାଚନ ହେବ । ଏହା ପୂର୍ବରୁ ଭବାନୀପୁରରୁ ମମତା ବାନାର୍ଜୀ ଦୁଇଥର ​​ଜିତିଛନ୍ତି । 

Related Posts