2019ରେ ବିଜେପି ଉପରେ ଭାରୀ ପଡ଼ିବ କଂଗ୍ରେସ ! ତିନିଟି ରାଜ୍ୟରେ ବିଜେପି ହରାଇପାରେ 31 ଆସନ

ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳ ଆସିଲା । କିନ୍ତୁ ଏହି ଫଳକୁ 2019ର ମହାଲଢ଼େଇ ସହ ଯୋଡ଼ି ଦେଖାଯାଉଛି । କଥା ହେଲା ଏହି ସବୁ ରାଜ୍ୟରେ ଯଦି ବିଜେପି ଓ କଂଗ୍ରେସ 2019ରେ ବି ଏହିଭଳି ଫଳ ପାଆନ୍ତି ତେବେ କଣ ହେବ ?

ଗତ ତିନିଟି ନିର୍ବାଚନକୁ ଦେଖାଗଲେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କିଛି ମାସ ପୂର୍ବରୁ ବିଧାନସଭା ନିର୍ବାଚନର ପରିଣାମ ତୁରନ୍ତ ପରେ ହୋଇଥିବା ଲୋକସଭା ନିର୍ବାଚନ ଉପରେ ପଡ଼େ । ଏହି ତିନିଟି ରାଜ୍ୟରେ ତାଜା ନିର୍ବାଚନୀ ପରିଣାମର ହିସାବକୁ ଦେଖାଗଲେ 2019ରେ ବିଜେପିକୁ ବଡ଼ କ୍ଷତି ହୋଇପାରେ ।

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଏମିତି ଭୋଟିଂ ହେଲେ 2019ରେ ବିଜେପି ଉପରେ ପଡ଼ିବ ଭାରୀ
ଏବେର ବିଧାନସଭା ନିର୍ବାଚନ ଫଳାଫଳ ଆଧାରରେ ଦେଖିଲେ ବିଜେପିକୁ ହରାଇବ 31ଟି ଲୋକସଭା ଆସନ
2004,2009 ଓ 2014 ନିର୍ବାଚନରେ ଦେଖିବାକୁ ମିଳିଥିଲା ଏମିତି ଟ୍ରେଣ୍ଡ
ପ୍ରଦର୍ଶନ ଦୋହରାଇଲେ 2019ରେ ବିଜେପି ଉପରେ ଭାରୀ ପଡ଼ିବ କଂଗ୍ରେସ

ହିନ୍ଦୀ ବେଲ୍‌ଟର ତିନିଟି ପ୍ରମୁଖ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ କଂଗ୍ରେସ ବିଜେପିରୁ କ୍ଷମତାରୁ ବେଦଖଲ କଲା । ଲୋକସଭା ନିର୍ବାଚନର ମାତ୍ର 4 ମାସ ପୂର୍ବରୁ ସାମ୍ନାକୁ ଆସିଥିବା ଏହି ବିଧାନସଭା ନିର୍ବାଚନ ଫଳ ପରେ 2019 ନିର୍ବାଚନକୁ ନେଇ ବି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯଦି ଏବେର ହିସାବକୁ ଦେଖାଯିବ ତେବେ କଣ ହେବ 2019ର ଚିତ୍ର ।

ଏହି ରାଜ୍ୟରେ ବିଧାନସଭା ସିଟ୍‌ର ମ୍ୟାପିଂ ଯଦି ଲୋକସଭା ସିଟ୍‌ ସହ କରାଯିବ ତେବେ ବିଜେପିକୁ 2019ରେ ହୋଇପାରେ ଅନେକ କ୍ଷତି । ଯଦିଓ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ସେତେ ବେଶୀ ପ୍ରଭାବିତ ହୋଇ ନ ପାରେ କିନ୍ତୁ ଏମିତି ଭୋଟିଂ ହେଲେ ଲୋକସଭା ନିର୍ବାଚନରେ ଛତିଶଗଡ଼ରୁ ବିଜେପି ଏକପ୍ରକାର ସଫା ହୋଇପାରେ ।

ବିଧାନସଭା ନିର୍ବାଚନ ପରିଣାମ ଆଧାରରେ ବିଜେପିକୁ ମଧ୍ୟପ୍ରଦେଶରୁ 29ରୁ 17, ରାଜସ୍ଥାନରେ 25ରୁ 13 ଓ ଛତିଶଗଡ଼ର 11ଟି ଆସନରୁ ମାତ୍ର ଗୋଟିଏ ଆସନ ମିଳୁଥିବା ଦେଖାଯାଉଛି ।

ଏହି ସବୁ ରାଜ୍ୟରେ 2004, 2009 ଓ 2014ରେ ବି ସାଧାରଣ ନିର୍ବାଚନର 6 ମାସରୁ ବି କମ୍‌ ସମୟ ପୂର୍ବରୁ ହୋଇଥିଲା ବିଧାନସଭା ନିର୍ବାଚନ । ପରିସଂଖ୍ୟାନ ଅନୁସାରେ ସେତେବେଳେ ବି ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା ବିଧାନସଭା ନିର୍ବାଚନର ଝଲକ ।

କେବଳ 2004ରେ ରାଜସ୍ଥାନ ଏଥିରେ ବ୍ୟତିକ୍ରମ ହୋଇଥିଲା । ଯେଉଁଠି 2003ରେ ବିଧାନସଭା ନିର୍ବାଚନରେ ଜନତା ବିଜେପିକୁ ପ୍ରତ୍ୟାଖ୍ୟାନ କରିଥିଲେ, ଲୋକସଭା ପାଇଁ 25ରୁ 20ଟି ଆସନରେ ବିଜୟୀ ହୋଇଥିଲା ବିଜେପି ।

ଯଦି ଲୋକସଭା ନିର୍ବାଚନ ଉପରେ ବିଧାନସଭା ନିର୍ବାଚନର ପ୍ରଭାବର ପ୍ୟାଟର୍ଣ୍ଣ ଜାରି ରହେ ତେବେ ବିଜେପି ପାଇଁ 2019 ପାଇଁ ବଡ଼ କ୍ଷତିର କାରଣ ହେବ । 2014ରେ ବିଜେପି ରାଜସ୍ଥାନରେ 25ରୁ 25 ଆସନ,ମଧ୍ୟପ୍ରଦେଶରେ 29ରୁ27 ଆସନ, ଏବଂ ଛତିଶଗଡ଼ରେ 11ରୁ 10ଟି ଆସନରେ ବିଜୟ ହାସଲ କରିଥିଲା । ଅର୍ଥାତ୍‌ ଏହି ତିନିଟି ରାଜ୍ୟର 65ଟି ଲୋକସଭା ଆସନ ମଧ୍ୟରୁ ବିଜେପିକୁ ମିଳିଥିଲା 62ଟି ସିଟ୍‌ ।

ବିଧାନସଭା ନିର୍ବାଚନର ପ୍ରଭାବ ଲୋକସଭା ଉପରେ ପଡ଼ିଲେ ବିଜେପିର ଏହି ସଂଖ୍ୟା କମି 31ରେ ପହଞ୍ଚି ଯାଇପାରେ । ଅର୍ଥାତ୍‌ ବିଜେପିକୁ ସ୍ପଷ୍ଟ ଭାବେ ଅଧା ଲୋକସଭା ଆସନ ହରାଇବାକୁ ପଡ଼ିପାରେ । 2014ର ସାଧାରଣ ନିର୍ବାଚନରେ ହିନ୍ଦିୀ ବେଲ୍‌ଟର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପି 80ରୁ 72ଟି ଆସନରେ ବିଜୟୀ ହୋଇଥିଲା ।

ଏବେ ଉତ୍ତରପ୍ରଦେଶରେ ଏସ୍‌ପି,ବିଏସ୍‌ପି, କଂଗ୍ରେସ ଓ ଆର୍‌ଏଲ୍‌ଡି ଭିତରେ ମହାଗଠବନ୍ଧନ ପାଇଁ ଆଲୋଚନା ଚାଲିଛି । ବିଜେପି ପାଇଁ ଏଠାରେ ବି 2014ର ପ୍ରଦର୍ଶନ ଦୋହରାଇବା ସମ୍ଭବ ଦେଖାଯାଉନାହିଁ । ଏମିତିରେ ବିଜେପିକୁ ହିନ୍ଦୀ ହାର୍ଟଲ୍ୟାଣ୍ଡରୁ ମିଳିବାକୁ ଥିବା ଏହି ଚୋଟ ଭାରୀ ପଡ଼ିପାରେ ।

Related Posts