ପୁଲିସ୍‌ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିବା ଝିଅର ଭୁଲ ପାଇଁ କ୍ଷମା ମାଗିଲେ ବିଜେପି ବିଧାୟକ

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଭାଙ୍ଗି ପୁଲିସ୍‌ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଛନ୍ତି ବିଜେପିର ଜଣେ ବିଧାୟକଙ୍କ ଝିଅ | ଏନେଇ ଏବେ ତାଙ୍କୁ ମହଙ୍ଗା ପଡ଼ିଛି । ଝିଅର ଭୁଲ ପାଇଁ କର୍ଣ୍ଣାଟକା ବିଜେପି ବିଧାୟକ ଅରବିନ୍ଦ ଲିମ୍ବାଭାଲି ଭୁଲ ମାଗିଛନ୍ତି | ପୁଲିସ୍‌ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କ୍ଷମା ମାଗିଛନ୍ତି | ଅରବିନ୍ଦଙ୍କ ଝିଅ ଟ୍ରାଫିକ ସିଗ୍ନାଲ ଭାଙ୍ଗିବାକୁ ଚେଷ୍ଟା କରି ଧରା ପଡ଼ିଥିଲେ।

ପୁଲିସ୍‌ ତାଙ୍କୁ ଅଟକାଇବାରୁ ସେ ବିଧାୟକଙ୍କ ଝିଅ ବୋଲି ନିଜକୁ ପରିଚୟ ଦେଇଥିଲେ। ଏଥିସହ ପୁଲିସ୍‌ କର୍ମଚାରୀଙ୍କ ଯୁକ୍ତିତର୍କ କରିଥିଲେ। ଏହାର ଦୃଶ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ରେକର୍ଡ କରିବା ବେଳେ ବିଧାୟକଙ୍କ ଝିଅ ସେମାନଙ୍କୁ ମଧ୍ୟ ତୋଡ଼ ଦେଖାଇଥିଲେ। ଏହି ଦୃଶ୍ୟ ଭାଇରାଲ ହେବା ପରେ ବିଧାୟକ ଅରବିନ୍ଦଙ୍କୁ ଛାରିଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ସେ ସମସ୍ତଙ୍କୁ ନିଜ ଝିଅ ପାଇଁ କ୍ଷମା ମାଗିଛନ୍ତି।

ଟ୍ରାଫିକ ନିୟମ ନ ମାନି ପୁଲିସ୍‌ ସହ ଯୁକ୍ତିତର୍କ କରିଥିବାରୁ ବିଧାୟକଙ୍କ ଝିଅଙ୍କୁ ୧୦ ହଜାର ଟଙ୍କା ଫାଇନ ଦେବାକୁ ପଡ଼ିଛି। ଭାଇରାଲ ହେଉଥିବା ଭିଡିଓରେ ବିଧାୟକଙ୍କ ଝିଅ ଜଣେ ପୁଲିସ୍‌ କର୍ମଚାରୀଙ୍କ ସହ ଯୁକ୍ତି କରୁଥିବା ଦେଖିବାକୁ ମିଳିଥିଲା। ଏଥିରେ ସେ କହିଥିଲେ ଯେ “ମୁଁ ଏବେ ଯିବାକୁ ଚାହେଁ। କେହି ବି ମୋ କାର୍‌ରୁ ଅଟକାଇ ପାରିବେ ନାହିଁ। ଓଭର ଟେକିଂ ପାଇଁ ଆପଣମାନେ ମୋ ନାଁରେ କେସ କରିପାରିବେ ନାହିଁ। ଏହା ଜଣେ ବିଧାୟକଙ୍କ ଗାଡ଼ି। ଆମେ ଭୁଲ କିମ୍ବା ଦ୍ରୁତଗତିରେ ଗାଡ଼ି ଚଳାଇ ନଥିଲୁ। ମୋ ବାପା ଅରବିନ୍ଦ ଲିମ୍ବାଭାଲି। ଏକଥା ମନେ ରଖିଥାଅ।”

ଭିଡିଓରେ ବିଧାୟକଙ୍କ ଝିଅଙ୍କ ଦୁର୍ବ୍ୟବହାର ରେକର୍ଡ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା। ଭିଡିଓକୁ ଦେଖିବା ପରେ ବିଧାୟକ ଅରବିନ୍ଦ କହିଛନ୍ତି, “ମୁଁ ଉକ୍ତ ଭିଡିଓକୁ ଦେଖିଛି। ସେ ମିଡିଆ ପ୍ରତିନିଧିମାନଙ୍କୁ ସାର୍‌ ବୋଲି ସମ୍ବୋଧନ କରିଥିଲା। ତଥାପି ତା’ର ବ୍ୟବହାରରେ ଯଦି କେହି ଆଘାତ ପାଇଛନ୍ତି, ତା’ହେଲେ ମୋ ଝିଅ ତରଫରୁ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି |

Related Posts