ବିଜେପି ବିଧାୟକଙ୍କ ନାଁରେ ଝିଅ ଆଣିଲା ହତ୍ୟା ଧମକ ଅଭିଯୋଗ

ସତ୍ୟପାଠ ବ୍ୟୁରୋ : ଦଳିତ ପୁଅକୁ ଭଲ ପାଇ ବାହା ହେବା ପରେ ଝିଅକୁ ମାରିବାକୁ ଚେଷ୍ଟା କରୁଛି ବାପା । ଭାରତୀୟ ଜନତା ପାର୍ଟିର ବରେଲି ବିଧାୟକ ରାଜେଶ ମିଶ୍ରାଙ୍କ ନାଁ ରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ଝିଅ । ବିଧାୟକଙ୍କ ଝିଅ ସାକ୍ଷୀ ଏକ ଭିଡିଓ ମେସେଜ ଜରିଆରେ ନିଜ ପ୍ରତି ଓ ତାଙ୍କ ସ୍ୱାମୀ ଏବଂ ଶଶ୍ୱରଘର ଲୋକଙ୍କ ଜୀବନ ବିପଦରେ ଥିବା କହିଛନ୍ତି ।

ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ନିକଟରେ ଜଣେ ଦଳିତ ଜାତିର ପୁଅଙ୍କୁ ପ୍ରେମ ବିବାହ କରିଥିଲେ। ଯାହାକୁ ତାଙ୍କ ବାପଘର ଲୋକେ ବିରୋଧ କରୁଥିଲେ। ଏହାପରେ ବିଧାୟକ ବାପା ଏବଂ ତାଙ୍କର ସମର୍ଥକ ମାନେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ସହିତ ତାଙ୍କ ଶାଶୁ ଘର ଲୋକଙ୍କୁ ଧମକ ଚମକ ଦେଉଥିବା ଝିଅ ସାକ୍ଷୀ ତାଙ୍କ ସ୍ୱାମୀଙ୍କ ସହ ଏକ କାରରେ ବସି ରେକର୍ଡ କରିଥିବା ଭିଡିଓ ମେସେଜରେ କହିଛନ୍ତି। ଭାଇରାଲ ହୋଇଥିବା ଏହି ଭିଡିଓରେ ସାକ୍ଷୀ କହିଛନ୍ତି, “ବିଧାୟକ ମହୋଦୟ ପପୁ ଭରତୌଲ ଜୀ ଓ ଭିକି ଭରତୌଲ ଜୀ ଶାନ୍ତିରେ ରୁହ ଓ ଆମକୁ ବଞ୍ଚିବାକୁ ଦିଅ। ମୁଁ ସତରେ ବାହା ହୋଇଯାଇଛି। ଏହି ସିନ୍ଦୂରକୁ କୌଣସି ଫ୍ୟାଶନ ପାଇଁ ମୁଁ ଲଗେଇ ନାହିଁ ବରଂ ବିବାହ କରିଛି ବୋଲି ଲଗେଇଛି।”

ଗଣମାଧ୍ୟମରେ ବିଧାୟକଙ୍କ ଝିଅର ଏହିଁ ମନ୍ତବ୍ୟ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ରାଜେଶ ମିଶ୍ରା। ମିଡିଆରେ ଏକ ପ୍ରେସ ରିଲିଜ ଜାରି କରି କହିଛନ୍ତି ତାଙ୍କ ଝିଅର ବୟସ ଅଠର ବର୍ଷରୁ ଅଧିକ। ସେ କେଉଁଠି ବିବାହ କରିବ ତାହା ତାର ନିଷ୍ପତ୍ତି। “ମୁଁ ଏହି ବିବାହକୁ ବିରୋଧ କରୁ ନାହିଁ, କି ତାକୁ ନିଜ ତରଫରୁ ଅବା ଅନ୍ୟ କାହା ମାଧ୍ୟମରେ ଧମକ ଦେଉନାହିଁ” ବୋଲି କହିଛନ୍ତି ବରେଲି ବିଧାୟକ ରାଜେଶ ମିଶ୍ରା।

Related Posts