ଅଧା ରହିଗଲା ସେନାରେ ଯୋଗଦେବା ସ୍ୱପ୍ନ, ଅଗ୍ନିବୀର ରାଲିରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ସେନାରେ ଯୋଗ ଦେଇ ଦେଶ ପାଇଁ ଲଢିବା ଥିଲା ସ୍ୱପ୍ନ । ସ୍ୱପ୍ନ ପୁରଣ ପାଇଁ ଜୋରଦାର ପ୍ରସ୍ତୁତି କରିଥିଲେ ଦୁଇ ଭାଇ। ହେଲେ ସ୍ୱପ୍ନ ସବୁ ଅଧାରେ ରହିଗଲା । ସେନାରେ ଭର୍ତ୍ତି ହେବା ପୂର୍ବରୁ ଚାଲିଗଲା ଜୀବନ । ଜଣେ ନୁହେଁ, ହାତ ଧରାଧରି ହୋଇ ଚାଲିଗଲେ ଦୁଇ ଭାଇ । ଏମିତି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ।

ସେନାରେ ଭର୍ତ୍ତି ହେବାପାଇଁ ଅଗ୍ନିବୀର ରାଲିରେ ଯୋଗଦେବାକୁ ଯାଇଥିଲେ ଦୁଇଭାଇ । ରାଲିରେ ଦୗଡିବା ପାଇଁ ଡାକରା ଆସିଲା । ଦୗଡ଼ିବା ସମୟରେ ଚେତାଶୂନ୍ୟ ହୋଇ ପଡିଲେ । ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଦୁଇଭାଇଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ କହିବାନୁସାରେ ଉଭୟଙ୍କର ଲିଭର ଏବଂ କିଡନୀ ଖରାପ ହେବା ସହ ହୃଦପିଣ୍ଡ ଫୁଲି ଯାଇଥିଲା ।

ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମୃତ ଦୁଇ ଭାଇ ବେତୁଲର ଅମଲା ତହସିଲ ଅନ୍ତର୍ଗତ ଦିଆମହୁ ଗାଁର ବାସିନ୍ଦା । ଉଭୟେ ଗତ ୩-୪ ବର୍ଷ ହେବ ସେନାରେ ଭର୍ତ୍ତି ହେବା ପାଇଁ ଅଭ୍ୟାସ କରୁଥିଲେ । ୨୯ ଅକ୍ଟୋବରରେ ଭୋପାଳରେ ଅଗ୍ନିବୀର ରାଲିରେ ବଡଭାଇ ରୁପେନ୍ଦ୍ର ଯାଦବ ଦୌଡିବାବେଳେ ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ୪ ନଭେମ୍ୱରରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସେହିପରି ନଭେମ୍ୱର ୩ରେ ସାନଭାଇ ଅଙ୍କିତ ଯାଦବ ମଧ୍ୟ ଭୋପାଳରେ ଅଗ୍ନିବୀର ଭର୍ତ୍ତି ରାଲିରେ ଦୌଡିବା ପାଇଁ ଯାଇ ଚେତାଶୂନ୍ୟ ହୋଇପଡିଥିଲେ । ଡାକ୍ତରଖାନାରେ ଭର୍ତ୍ତି କରିବାର ୪ଦିନ ପରେ ଅର୍ଥାତ ୭ ନଭେମ୍ୱରରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ଦୁଇ ଭାଇଙ୍କ ମୃତ୍ୟୁର କାରଣ ସମାନ ହୋଇଥିବାରୁ ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଅତ୍ୟଧିକ ଷ୍ଟେରଏଡ ବା ଷ୍ଟାମିନା ବୁଷ୍ଟର୍ ନେବା ଯୋଗୁଁ ଉଭାୟଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଡାକ୍ତର ଆଶଙ୍କା କରୁଛନ୍ତି।

Related Posts