ହକି ଇଣ୍ଡିଆର ସଭାପତି ହେଲେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ: ବିନା ପ୍ରତିଦ୍ବନ୍ଦିତାରେ ହେଲେ ନିର୍ବାଚିତ

ଭୁବନେଶ୍ୱର: ହକି ଇଣ୍ଡିଆକୁ ମିଳିଲା ନୂଆ ସଭାପତି । ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ହୋଇଛନ୍ତି ହକି ଇଣ୍ଡିଆର ନୂଆ ସଭାପତି । ବିନା ପ୍ରତିଦ୍ବନ୍ଦିତାରେ ସେ ନିର୍ବାଚିତ ହୋଇଛନ୍ତି ।

ଆଜି ନୋମିନେସନ ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ସେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଭାରତର ପୂର୍ବତନ ହକି ଅଧିନାୟକ ଦିଲୀପ ତିର୍କୀ ରବିବାର ହକି ଇଣ୍ଡିଆର ସଭାପତି ପଦ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ । ଦିଲୀପ ତିର୍କୀ ଟ୍ୱିଟରରେ ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି। ଯେଉଁଥିରେ ତାଙ୍କୁ ନାମାଙ୍କନପତ୍ର ଦାଖଲ କରୁଥିବା ଦେଖିବାକୁ ମିଳିଛି ।
ଭାରତର ହକି ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ କହିଛନ୍ତି, “ହକି ଇଣ୍ଡିଆର ସଭାପତି ପଦ ପାଇଁ ମୋର ନାମାଙ୍କନପତ୍ର ଦାଖଲ କରିଛି । ଭାରତୀୟ ହକିକୁ ନୂତନ ଉଚ୍ଚତାକୁ ନେବାକୁ ମୁଁ ପ୍ରତିଶ୍ରୁତିବଦ୍ଧ।”

ଭାରତୀୟ ହକିର ସବୁଠାରୁ ପ୍ରିୟ ବ୍ୟକ୍ତିତ୍ୱ ମଧ୍ୟରୁ ଦିଲୀପ ତିର୍କୀ ଅନ୍ୟତମ । ସେ ୧୫ ବର୍ଷ ଧରି ଆନ୍ତର୍ଜାତୀୟ କ୍ୟାରିୟରରେ ୪୧୨ଟି ମ୍ୟାଚ ଖେଲିଛନ୍ତି । ଅଧିକାଂଶ ସମୟ ଆନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି ।

ଚଳିତ ବର୍ଷ ଅଗଷ୍ଟରେ ହକି ଇଣ୍ଡିଆ ନିର୍ବାଚନ ପରିଚାଳନା ପାଇଁ ଅଜୟ ନାୟକଙ୍କୁ ରିଟର୍ଣ୍ଣିଂ ଅଫିସର ଭାବରେ ନିଯୁକ୍ତ କରାଯାଇଥିଲା । ବିହାର ସରକାରଙ୍କ ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ଅଜୟ ନାୟକ ରିଟର୍ଣ୍ଣିଂ ଅଫିସର ପଦ ଗ୍ରହଣ କରିଛନ୍ତି । ଏଥିସହ, ଏ.କେ ମଜୁମଦାରଙ୍କୁ ଆସିଷ୍ଟାଣ୍ଟ ରିଟର୍ନିଂ ଅଫିସର ଭାବରେ ନିଯୁକ୍ତ କରାଯାଇଛି।

Related Posts